ରାଉରକେଲା: ଇସ୍ପାତ ସହରାଞ୍ଚଳରେ ଜମି ଜବରଦଖଲ, ଅନୈତିକ ବାସଗୃହ ନିର୍ମାଣ, କ୍ବାର୍ଟର୍ସ ଭଡ଼ାରେ ଲଗାଇବା ଆଦି ସୀମା ଟପିଲାଣି। ଆର୍ଏସ୍ପି ସହରସେବା ବିଭାଗରେ ଅନିୟମିତତା ଓ ଦୁର୍ନୀତି ଏସବୁକୁ ପ୍ରୋତ୍ସାହିତ କରୁଛି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ନିଜ ସୁବିଧା ଅନୁଯାୟୀ କାହାଠୁ ଦେୟ ଆଦାୟରେ ସବୁ ଜୋର ଲଗାଇ ଦେଉଛନ୍ତି ତ’ କାହାଠୁ ନିଜେ ଲାଭବାନ ହୋଇ ସବୁ ଛାଡ଼ କରି ଦେଉଛନ୍ତି। ଏହି ବିଭାଗ ଏକ ରେସ୍ତୋରାଁକୁ ମାଗଣା ପାଣି ଯୋଗାଉଥିବା ଜଣାପଡ଼ିଛି। ଏନ୍ଆଇଟି ମୁଖ୍ୟ ଗେଟ୍ ପାଖ ସେକ୍ଟର-୧ରେ ବୈଶାଖୀ ହୋଟେଲ ଆଣ୍ଡ୍ ରିସୋର୍ଟ୍ ଲିମିଟେଡ୍ର ‘ଦି ପାର୍କ’ ରେସ୍ତୋରାଁ ରହିଛି। ଆର୍ଏସ୍ପିର ଏକ କୋଠାକୁ ଏହି ସଂସ୍ଥା ଗତ ୨୦୨୨ ଜାନୁଆରି ୧୮ ତାରିଖରେ ନିଜ ଅଧୀନକୁ ନେଇଥିଲା।
ସେବେଠାରୁ ଏଠାରେ ରେସ୍ତୋରାଁ ଚାଲିଛି। ଆର୍ଏସ୍ପି ପକ୍ଷରୁ ଦିଆଯାଉଥିବା ବିଲ୍ରେ ଏହି ରେସ୍ତୋରାଁର ଘରଭଡ଼ା ଓ ବିଦ୍ୟୁତ ଉଠୁଛି, କିନ୍ତୁ ପାଣି ବିଲ୍ ଶୂନ ଆସୁଛି। ଆର୍ଏସ୍ପି ସହରସେବା ବିଭାଗ ପକ୍ଷରୁ ଯେଉଁ ବିଲ୍ ଦିଆ ଯାଇଥାଏ, ସେଥିରେ ପୃଥକ୍ଭାବେ ଘରଭଡ଼ା, ବିଦ୍ୟୁତ ଦେୟ ଓ ପାଣି ଦର ଉଲ୍ଲେଖ ରହିଥାଏ। କିନ୍ତୁ ଏହି ରେସ୍ତୋରାଁ ପାଇଁ ଘରଭଡ଼ା, ବିଦ୍ୟୁତ ବିଲ୍ ଆସୁଥିବାବେଳେ ପାଣି ଦର ସଂପୂର୍ଣ୍ଣ ଶୂନ ହେବା ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆରମ୍ଭରୁ ପାଣି ବିଲ୍କୁ ଜାଣିଶୁଣି ଶୂନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆର୍ଏସ୍ପି ପକ୍ଷରୁ କ୍ବାର୍ଟର୍ସ ଗୁଡ଼ିକୁ ପାଣି, ବିଦ୍ୟୁତ ଆଦି ଯୋଗାଇ ଦିଆଯାଏ। ଭଡ଼ାଟିଆ ନିଜ ଉଦ୍ୟମରେ ପାଣି କିମ୍ବା ବିଦ୍ୟୁତ ବ୍ୟବସ୍ଥା କରିପାରିବେ ନାହିଁ। ଆର୍ଏସ୍ପି ପକ୍ଷରୁ ବାସଗୃହ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଭିନ୍ନଭିନ୍ନ ଦର ଧାର୍ଯ୍ୟ କରାଯାଇଛି। ବିଶେଷକରି ବିଭିନ୍ନ ହୋଟେଲ, ରେସ୍ତୋରାଁ ଆଦିରେ ଅତ୍ୟଧିକ ପରିମାଣର ପାଣି ବ୍ୟବହାର ହେଉଥିବାରୁ ତଦନୁଯାୟୀ ପାଣି ବିଲ୍ ମଧ୍ୟ ଅଧିକ ହୋଇଥାଏ।
ଦୈନିକ ୧ କ୍ୟୁବିକ୍ ମିଟର ପାଣି ପାଇଁ ମାସକୁ ୬ ଶହ ଟଙ୍କା ଦେବାକୁ ପଡ଼ିଥାଏ। ସେହି ହିସାବରେ ରେସ୍ତୋରାଁରେ ବର୍ଷକୁ ଲକ୍ଷାଧିକ ଟଙ୍କାର ପାଣି ବ୍ୟବହାର ହେଉଥିବ। ହେଲେ ଗତ ଦୁଇବର୍ଷ ହେଲା ଆର୍ଏସ୍ପି ପାଣି ବିଲ୍ ବାବଦ ଏହି ରାଜସ୍ବ ହରାଉଛି। ସହରସେବା ବିଭାଗ ଅଧିକାରୀମାନେ ବ୍ୟକ୍ତିଗତ ଲାଭ ପାଇଁ ମାଗଣାରେ ପାଣି ଯୋଗାଉଥିବା ଅଭିଯୋଗ ହେଉଛି। ସହରସେବା କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ କୋଏଲନଗରସ୍ଥ ନିଜ ପୈତୃକ ଘରେ ରହୁଥିବାବେଳେ ଆର୍ଏସ୍ପିରୁ ମିଳିଥିବା ବାସଗୃହକୁ ଅନ୍ୟଜଣଙ୍କୁ ଭଡ଼ାରେ ଲଗାଇଛନ୍ତି। କେବଳ ଏହି ଗୋଟିଏ ନୁହେଁ, ଏକାଧିକ ଆର୍ଏସ୍ପି କର୍ମଚାରୀ ବାସଗୃହକୁ ଏଭଳି ଭଡ଼ାରେ ଲଗାଇଥିବା ଜଣାପଡ଼ିଛି। କିନ୍ତୁ ସହରସେବା ବିଭାଗ ସବୁ ଜାଣି ନଜାଣିଲା ଭଳି ରହିଛି। ଏ ସଂପର୍କରେ ଆର୍ଏସ୍ପି ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି, ଗୋଟିଏ କମିଟି ଗଠନ କରାଯାଇଛି। ରେସ୍ତୋରାଁ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ କେତେ ପରିମାଣର ପାଣି ବ୍ୟବହାର ହୋଇଛି ତା’ର ଆକଳନ କରି ବକେୟା ଅର୍ଥ ଆଦାୟ କରାଯିବ। କିନ୍ତୁ ଏଭଳି ଅନିୟମିତତା କରିଥିବା ସହରସେବା ବିଭାଗର ଘର ଆବଣ୍ଟନ ଓ ଭଡ଼ା ଆଦାୟ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେବ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ।