ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) ସ୍ବୀକୃତିପ୍ରାପ୍ତ ଶ୍ରମିକ ସଂଗଠନର ସମୟ ଅବଧି ସରିଲାଣି। ଅବଧି ସରିବାର ଦେଢ଼ ବର୍ଷ ବିତିଲାଣି। କିନ୍ତୁ ଏଯାଏଁ ନିର୍ବାଚନ ନେଇ ସାମାନ୍ୟତମ ପ୍ରକ୍ରିୟା ବି ଆରମ୍ଭ ହୋଇନି। ମାନ୍ୟତାପ୍ରାପ୍ତ ଶ୍ରମିକ ସଂଗଠନ ନ ଥିବାରୁ ଶ୍ରମିକ ସମସ୍ୟା ସମାଧାନ ହୋଇପାରୁନି। ନାଯ୍ୟ ଦାବିରୁ ବଞ୍ଚିତ ହେଉଥିବା ଶ୍ରମିକ ସମାଜ ଯାବତୀୟ ମାଧ୍ୟମରେ ଶୋଷିତ ହେଉଥିବା ଅଭିଯୋଗ ହେଉଛି। ନିର୍ବାଚନ ନ ହେବାର ମୁଖ୍ୟ କାରଣ ପାଲଟିଛି କେନ୍ଦ୍ର ଶ୍ରମ ମନ୍ତ୍ରାଳୟର ବେପରୁଆ ମନୋଭାବ। ନିର୍ବାଚନ ନେଇ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇ ସାରିଛନ୍ତି। କିନ୍ତୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟର ରହସ୍ୟମୟ ନିରବତା ଯୋଗୁଁ ଏହା ସମ୍ଭବ ହୋଇପାରୁନି।
୨୦୧୮ ମସିହା ଜାନୁଆରି ୩୦ ତାରିଖରେ ଶେଷଥର ପାଇଁ ଅନୁଷ୍ଠିତ ଆର୍ଏସ୍ପି ସ୍ବୀକୃତି ନିର୍ବାଚନରେ ବିଏମ୍ଏସ୍ ସହବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ(ଆର୍ଆଇକେକେଏସ୍) ବିଜୟୀ ହୋଇଥିଲା। ଏହି ସଂଗଠନର ସମୟ ଅବଧି ୨୦୨୦ ଏପ୍ରିଲ ୨୫ ତାରିଖରେ ଶେଷ ହୋଇଥିଲା। ପ୍ରାୟତଃ, ସ୍ବୀକୃତିପ୍ରାପ୍ତ ସଂଗଠନ ହିଁ ନିର୍ବାଚନ ନେଇ କର୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥାନ୍ତି। କିନ୍ତୁ ସଂଗଠନର ସ୍ଥିତିକୁ ସୁଦୃଢ଼ କରିବାକୁ ଅଧିକ ସମୟର ଆବଶ୍ୟକତା ହେଉ ଅବା କରୋନା ମହାମାରୀ ସମୟରେ ଅଯଥା ଭିଡ଼କୁ ଏଡ଼ାଇବା, ଆର୍ଆଇକେକେଏସ୍ ଆବେଦନ କରିନଥିଲା। ଏଣୁ ରାଉରକେଲା ଶ୍ରମିକ ସଂଘ(ଆର୍ଏସ୍ଏସ୍) ନିର୍ବାଚନ ନେଇ ୨୦୨୦ ମସିହା ଏପ୍ରିଲ ୨୬ ତାରିଖରେ କର୍ତୃପକ୍ଷଙ୍କୁ ନିବେଦନ କରିଥିଲା। କିନ୍ତୁ ପ୍ରାୟ ସାଢ଼େ ୪ ମାସ ଧରି କର୍ତୃପକ୍ଷ ନିର୍ବାଚନ ନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ଏଣୁ ଆର୍ଏସ୍ଏସ୍ ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ଉଚ୍ଚ ନ୍ୟାୟାଳୟରେ ମାମଲା ଦାଏର୍ କରିଥିଲା।
ଉଚ୍ଚ ନ୍ୟାୟାଳୟ ନିର୍ବାଚନ ସପକ୍ଷରେ ରାୟ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶାନାମାପରେ ମଧ୍ୟ କର୍ତୃପକ୍ଷଙ୍କ ନିଦ ଭାଙ୍ଗିନଥିଲା। ଏଣୁ ଗତ ଅଗଷ୍ଟ ମାସରେ ପୁନର୍ବାର କୋର୍ଟଙ୍କ ଅବମାନନା ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ଏହାପରେ କର୍ତୃପକ୍ଷ ଚେଇଁ ଉଠିଛନ୍ତି। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଶ୍ରମ ବିଭାଗ, ଆର୍ଏସ୍ପି କର୍ତୃପକ୍ଷ ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଛନ୍ତି। ସୂଚନା ମୁତାବକ ମୁଖ୍ୟ ଶ୍ରମ ଆୟୁକ୍ତ ନିର୍ବାଚନ ନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ନିକଟକୁ ଫାଇଲ୍ ପଠାଇ ଦେଇଛନ୍ତି। ତେବେ, ଉକ୍ତ ଫାଇଲ ମନ୍ତ୍ରୀଙ୍କ ଟେବୁଲରେ ଏଯାଏଁ ପଡ଼ିରହିଛି। ମନ୍ତ୍ରୀଙ୍କ ସମ୍ମତି ମିଳିପାରୁନଥିବାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରୁନି। ମନ୍ତ୍ରୀଙ୍କ ଅନୁମତି ପରେ ଶ୍ରମ ଆୟୁକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ନିର୍ବାଚନ ଅଧିକାରୀ ନିଯୁକ୍ତି ଓ ନିର୍ବାଚନ ତାରିଖ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ଏଯାଏଁ ମନ୍ତ୍ରୀଙ୍କ ଅନୁମତି ମିଳିପାରିନଥିବାରୁ ନିର୍ଦ୍ଦିଷ୍ଟ କେବେ ନିର୍ବାଚନ ଅନୁଷ୍ଠିତ ହେବ, ତାହା ଅସ୍ପଷ୍ଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/29a1c733-1a17-4ecc-8464-d6a43d735eea.jpg)