ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ବ୍ଲାଷ୍ଟ୍ ଫର୍ଣ୍ଣେସ୍ରୁ ବାହାରୁଥିବା ଧାତୁ ଖାଦ (ସ୍ଲାଗ୍)କୁ ଇ-ନିଲାମରେ ବିକ୍ରି କରାଗଲେ ରେଳ ପରିବହନରେ ମିଳୁଛି ଟନ୍ ପିଛା ୧୦୬୫ ଟଙ୍କାରୁ ୧୧୦୫ ଟଙ୍କା ପର୍ଯ୍ୟନ୍ତ। ସଡ଼କ ପରିବହନରେ ତାହାର ଦାମ ୫୨୦ ଟଙ୍କାରୁ ୭୬୫ ଟଙ୍କାରେ ବିଭିନ୍ନ ସିମେଣ୍ଟ୍ କାରଖାନା ଇତିମଧ୍ୟରେ କିଣି ନେଇଛନ୍ତି। ତେବେ ବିସ୍ମୟକର ଏହି ଯେ ଆର୍ଏସ୍ପି କର୍ତ୍ତୃପକ୍ଷ ସ୍ଲାଗ୍ ବିକ୍ରି ପାଇଁ ବିଗତ ଦୁଇ ବର୍ଷ ଧରି ଇ-ନିଲାମ୍ ପ୍ରକ୍ରିୟା ଅନୁସରଣ କରିନାହାନ୍ତି। ବରଂ କାରଖାନା ନୋଟିସ୍ ବୋର୍ଡ଼ରେ ସ୍ଲାଗ୍ ବିକ୍ରି ବିଜ୍ଞପ୍ତି ପ୍ରକାଶ କରି ପ୍ରିୟ ସିମେଣ୍ଟ କମ୍ପାନିଗୁଡ଼ିକୁ ଟନ୍ ପିଛା ୩୦୦ ଟଙ୍କାରୁ ୩୫୦ ଟଙ୍କା ମଧ୍ୟରେ ସ୍ଲାଗ୍ ବିକ୍ରି କରିଆସୁଥିଲେ। ପରିଣାମ ସ୍ୱରୂପ ଏହି ମହାରତ୍ନ କମ୍ପାନି ଗତ ଦୁଇ ବର୍ଷ ମଧ୍ୟରେ କେବଳ ସ୍ଲାଗ୍ ବିକ୍ରିରେ ୧୭୫ କୋଟି ଟଙ୍କାରୁ ଅଧିକ ରାଜସ୍ୱ ହାତଛଡ଼ା କରିଛି।
ସ୍ଲାଗ୍ ବିକ୍ରିରେ ଆର୍ଏସ୍ପି ପ୍ରଶାସନ ଦାମରେ ସାଲିସ୍ କରି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଜାଣିବା ପରେ ଆର୍ଏସ୍ପିର ପୂର୍ବତନ ଅତିରିକ୍ତ ମୁଖ୍ୟ ଭିଜିଲାନ୍ସ ଅଧିକାରୀ (ଏସିଭିଓ) ବି. ଏନ୍.ଅଗ୍ରଓ୍ଵାଲ୍ ଆପତ୍ତି ଉଠାଇବା ସହ ଇ-ନିଲାମ୍କୁ ଗୁରୁତ୍ୱ ଦେବାରୁ ଗତ ବର୍ଷ ଏଠାରୁ ତାଙ୍କ ବଦଳି ହୋଇଯାଇଥିଲା। ତେବେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ଏହି ହେରଫେର ସମେତ ଆର୍ଏସ୍ପିରେ ଚାଲିଥିବା ବିଭିନ୍ନ ଅନିୟମିତତା ସମ୍ପର୍କରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବୀରେନ୍ଦର ସିଂହଙ୍କୁ ଚିଠି ଲେଖିବା ପରେ କର୍ତ୍ତୃପକ୍ଷ ଗତ ନଭେମ୍ବର ୧୫ରେ ସ୍ଲାଗ୍ର ଇ-ନିଲାମ ଆହ୍ଵାନ କରିବାକୁ ବାଧ୍ୟ ହୋଇଥିଲେ। ନଭେମ୍ବର ୨୭ରେ ଟେଣ୍ଡର କମିଟି ଦ୍ୱାରା ନିର୍ଦ୍ଧାରିତ ଚୂଡ଼ାନ୍ତ ମୂଲ୍ୟ ଅନୁଯାୟୀ ସିମେଣ୍ଟ କମ୍ପାନିଗୁଡ଼ିକ ସ୍ଲାଗ୍ କିଣିବାକୁ ଆଗ୍ରହୀ ହୋଇଥିବାରୁ ଆର୍ଏସ୍ପି କର୍ତ୍ତୃପକ୍ଷ କେଉଁ ଆଧାରରେ ବର୍ଷ ବର୍ଷ ଧରି କମ୍ ଦାମରେ ସ୍ଲାଗ୍ ବିକ୍ରି କରୁଥିଲେ, ତାହା କର୍ମଚାରୀ ଓ ଅଫିସରଙ୍କ ମହଲରେ ଘୋର ସନ୍ଦେହ ସୃଷ୍ଟି କରିଛି।
ହିସାବ ଅନୁଯାୟୀ ଆର୍ଏସ୍ପି ବ୍ଲାଷ୍ଟ ଫର୍ଣ୍ଣେସ୍ରୁ ଦୈନିକ ହାରାହାରି ୩୦୦୦ ଟନ୍ ସ୍ଲାଗ୍ ବାହାରିଥାଏ। ମାସକୁ ୯୦ ହଜାର ଟନ୍ ହିସାବରେ ବର୍ଷକୁ ହାରାହାରି ୧୦ ଲକ୍ଷ ଟନ୍ ସ୍ଲାଗ୍ କାରଖାନା ପରିସରରେ ଗଚ୍ଛିତ ରହିପାରିବ। ତେଣୁ ତରବରିଆ ଭାବେ ସ୍ଲାଗ୍ ଖଲାସ ନକରି ଦେଶରେ ଥିବା ଅଧିକରୁ ଅଧିକ ସିମେଣ୍ଟ କମ୍ପାନି କିପରି ଇ-ନିଲାମ୍ରେ ପ୍ରତିଯୋଗିତା କରିବେ, ସେଥିପାଇଁ କର୍ତ୍ତୃପକ୍ଷ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିବା ଉଚିତ। କାରଣ ଏହା ଦ୍ୱାରା ପ୍ରତିଯୋଗିତା ଭିତ୍ତିରେ ସ୍ଲାଗ୍ର ଦାମ ଓ ଚାହିଦା ବୃଦ୍ଧିର ସୁଯୋଗ ଅଛି। ମାତ୍ର ଏହା ନକରି କର୍ତ୍ତୃପକ୍ଷ କେବଳ ସଡ଼କ ପରିବହନରେ ସ୍ଲାଗ୍ ବିକ୍ରି ନିମନ୍ତେ କାରଖାନା ନୋଟିସ୍ ବୋର୍ଡ଼ରେ ବିଜ୍ଞପ୍ତି ଜାରି କରିଥାନ୍ତି। ତେଣୁ ରାଜ୍ୟ ତଥା ଦେଶରେ ଥିବା ବହୁ ସିମେଣ୍ଟ କମ୍ପାନି ଏହି ବିଜ୍ଞପ୍ତି ସମ୍ପର୍କରେ ଜାଣିବା ସୁଯୋଗ ନଥାଏ। ପରିସ୍ଥିତି ଫାଇଦା ଉଠାଇ ନିର୍ଦ୍ଦିଷ୍ଟ ସିମେଣ୍ଟ କମ୍ପାନିମାନଙ୍କ ସହ କର୍ତ୍ତୃପକ୍ଷ ଅସାଧୁ ମେଣ୍ଟ କରି ଆର୍ଏସ୍ପି ସ୍ଲାଗ୍କୁ କମ୍ ଦାମରେ ବିକ୍ରି କରି ଦିଅନ୍ତି। ଫଳରେ ସ୍ଲାଗ୍ ବିକ୍ରିରୁ ଉପଯୁକ୍ତ ବଜାର ମୂଲ୍ୟ ମିଳିବା ବଦଳରେ ଆର୍ଏସ୍ପି କମ୍ ପାଇଥାଏ। ଏହି ପ୍ରକ୍ରିୟାକୁ ବନ୍ଦ କରି ଇ-ନିଲାମ୍ ପ୍ରବର୍ତ୍ତନ କରିବାକୁ ତତ୍କାଳୀନ ଏସିଭିଓ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ପ୍ରସ୍ତାବ ଦେବା ପରେ ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ତାହାକୁ ଅନୁମୋଦନ କରିଥିଲେ ସତ, ମାତ୍ର ତାହା କାର୍ଯ୍ୟକାରୀ ହୋଇନଥିଲା। ବରଂ ଏସିଭିଓଙ୍କୁ ଏଠାରୁ ବଦଳି କରାଯାଇଥିଲା। କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ଗତ ମାର୍ଚ୍ଚ ୨୪ରେ ସ୍ଲାଗ୍ ଦୁର୍ନୀତି ସମ୍ପର୍କରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବୀରେନ୍ଦର ସିଂହଙ୍କୁ ଚିଠି ଲେଖିବା ପରେ ମଧ୍ୟ ଆର୍ଏସ୍ପିର ବିପଣନ ବିଭାଗ ମାର୍ଚ୍ଚ ୩୦ରେ ସ୍ଲାଗ୍ ବିକ୍ରି ବିଜ୍ଞପ୍ତି ଜାରି କରିଥିଲେ। ସେଥିରେ ଟନ୍ ପିଛା ୩୫୦ ଟଙ୍କା ମୂଲ୍ୟ ଦର୍ଶାଯାଇଥିଲା ବେଳେ ଯେଉଁ ସଂସ୍ଥା ୬୫,୦୦୦ ଟନ୍ରୁ ଅଧିକ ସ୍ଲାଗ୍ କିଣିବ, ତାହାକୁ ଟନ୍ ପିଛା ୫୦ ଟଙ୍କା ଲେଖାଏଁ ରିହାତି ମିଳିବ ବୋଲି ସର୍ତ୍ତ ଥିଲା। ଅର୍ଥାତ୍ ୩୦୦ ଟଙ୍କା ଦାମରେ ସ୍ଲାଗ୍ ବିକ୍ରି ପାଇଁ ପ୍ରିୟ କମ୍ପାନିଙ୍କ ନମନ୍ତେ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ସୁଯୋଗ ସୃଷ୍ଟି କରିଥିଲେ। ତେବେ ଗତ ଜୁନରେ ଇ-ନିଲାମ ପ୍ରବର୍ତ୍ତନ କରାଯିବା ପରେ ବର୍ଦ୍ଧିତ ମୂଲ୍ୟରେ ଆର୍ଏସ୍ପି ସ୍ଲାଗ୍ ବିକ୍ରିରୁ ମାସକୁ ହାରାହାରି ୧୦ କୋଟି ଟଙ୍କା ଅଧିକ ରାଜସ୍ୱ ପାଉଛି। ପୂର୍ବରୁ ବିକ୍ରି ହେଉଥିବା ଦର ଓ ଏବେ ମିଳିଥିବା ଦାମର ତାରତମ୍ୟ ଦୃଷ୍ଟିରୁ ଆର୍ଏସ୍ପି ଗତ ଦୁଇ ବର୍ଷରେ ପ୍ରାୟ ୧୭୫ କୋଟି ଟଙ୍କାରୁ ଅଧିକ ରାଜସ୍ୱ ହରାଇଛି। ଟନ୍ ପିଛା ୩୨୫ ଟଙ୍କା ଦରରେ ସଡ଼କ ପରିବହନରେ ଦୁଇ ବର୍ଷରେ ବିକ୍ରି ହୋଇିଥିବା ହାରାହାରି ୨୦ ଲକ୍ଷ ଟନ୍ ସ୍ଲାଗ୍ରୁ ପ୍ରାୟ ୬୫ କୋଟି ଟଙ୍କା ପାଇଥିବ। ଇ-ନିଲାମରେ ସଡ଼କ ପରିବହନରେ ସ୍ଲାଗ ଦର ଟନ୍ ପିଛା ହାରାହାରି ୬୫୦ ଟଙ୍କା ହିସାବ କରାଗଲେ ଦୁଇ ବର୍ଷରେ ମିଳିଥାନ୍ତା ୧୩୦ କୋଟି ଟଙ୍କା। ଅର୍ଥାତ ସଡ଼କ ପରିବହନରେ ସ୍ଲାଗ୍ ବିକ୍ରିରୁ ଆର୍ଏସ୍ପି ଦୁଇ ବର୍ଷରେ ହରାଇଛି ୬୫ କୋଟି ଟଙ୍କା। ସେହିପରି ରେଳ ପରିବହନରେ ଇ-ନିଲାମ ଦର ହାରାହାରି ୧୧୦୦ ଟଙ୍କାରେ ପହଞ୍ଚିଛି। ଯଦି ଏହି ଦରରେ ମାସକୁ ୧୨ ର୍ୟାକ୍ ସ୍ଲାଗ୍ ବିକ୍ରି ହୋଇଥାନ୍ତା ତେବେ ୨୪ ମାସରେ ବିକ୍ରି ହୋଇଥାନ୍ତା ୧୦ ଲକ୍ଷ ୮ ହଜାର ଟନ୍। ଟନ୍ ପିଛା ୧୧୦୦ ଟଙ୍କା ଦରରେ ଏଥିରୁ ମିଳିଥାନ୍ତା ପାଖାପାଖି ୧୧୧ କୋଟି ଟଙ୍କା।