ଗୁଳିମାଡ଼ରେ ଆର୍‌ଏସ୍‌ପି କର୍ମଚାରୀ ମୃତ

ରାଉରକେଲା : ଅଳ୍ପଦିନର ବ୍ୟବଧାନ ପରେ ଆଜି ପୁଣି ଇସ୍ପାତ ସହରରେ ଗୁଳି ଫୁଟିଛି। ଋଣ ଟଙ୍କା ଆଦାୟକୁ ନେଇ ଦୁଇ ଜଣ ଦୁର୍ବୃତ୍ତ ଆର୍‌ଏସ୍‌ପି ଷ୍ଟିଲ୍‌ ମେଲ୍‌ଟିଂ ସପ୍‌-୧ର ଅପରେଟର୍‌ ତଥା ସେକ୍ଟର-୧, ଡି-୧୪୮ରେ ରହୁଥିବା ନୃସିଂହ ସାହୁ ଓରଫ୍‌ କୈଳାସ (୫୦)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଘର ଭିତରେ ପଶି ମୁଣ୍ଡରେ ଗୁଳି ମାରିଥିବାରୁ ଘଟଣାସ୍ଥଳରେ ନୃସିଂହଙ୍କ ମୃତ୍ୟୁ ହୋଇଛି। ଘର ଭିତରୁ ପୁଲିସ ଗୋଟିଏ ଖୋକା ଉଦ୍ଧାର କରିଛି।

ଆଜି ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ନୃସିଂହ ନିଜ ଡ୍ରଇଂ ରୁମ୍‌ରେ ବସିଥିଲେ। ଏତିକିବେଳେ ଗୋଟିଏ ବାଇକ୍‌ରେ ଦୁଇ ଅଭିଯୁକ୍ତ ସେଠାରେ ପହଞ୍ଚିଥିଲେ। ଋଣ ଟଙ୍କା ଆଦାୟକୁ ନେଇ ଅଭିଯୁକ୍ତ ଓ ନୃସିଂହଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିଛି ସମୟ ପରେ ଉତ୍ତ୍ୟକ୍ତ ହୋଇ ଜଣେ ଅଭିଯୁକ୍ତ ସାଇଲେନ୍‌ସର୍‌ ଲଗା ବନ୍ଧୁକରେ ନୃସିଂହଙ୍କ ମୁଣ୍ଡରେ ଗୁଳି କରିଥିଲେ। ସଙ୍ଗେସଙ୍ଗେ ଅନ୍ୟ ରୁମ୍‌ରେ ଥିବା ପରିବା ସଦସ୍ୟ ଡ୍ରଇଂ ରୁମ୍‌କୁ ଆସି ଦେଖିବାରୁ ଅଭିଯୁକ୍ତ ଦ୍ବୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ଟଳି ପଡ଼ିଥିବା ନୃସିଂହଙ୍କୁ ତୁରନ୍ତ ଆଇଜିଏଚ୍‌କୁ ଅଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସ୍‌ପି ଉମାଶଙ୍କର ଦାଶ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର