ରାଉରକେଲା: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ସରସଂଘଚାଳକ ମୋହନ ଭାଗବତ ୬ ଦିନିଆ ରାଉରକେଲା ଗସ୍ତରେ ଆସୁଛନ୍ତି। ଶ୍ରୀ ଭାଗବତ ରବିବାର ରାତି ୧୦ଟାରେ ରାଉରକେଲାରେ ପହଞ୍ଚିବେ। ୫ ଦିନ ଧରି ହେବାକୁଥିବା ଆର୍‌ଏସ୍‌ଏସ୍‌ର ସର୍ବଭାରତୀୟସ୍ତରୀୟ ସ୍ବତନ୍ତ୍ର ଅଧିବେଶନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Advertisment
ଏହି ସ୍ବତନ୍ତ୍ର ଅଧିବେଶନ ସ୍ଥାନୀୟ ଅଗ୍ରସେନ ଭବନଠାରେ ୧ ତାରିଖରୁ ଆରମ୍ଭ ହେବ। ୫ ତାରିଖ ଯାଏ ଚାଲିବାକୁଥିବା ଏହି ଅଧିବେଶନରେ ସଂଘର ସାଧାରଣ ସମ୍ପାଦକ ତଥା ସହ-କାର୍ଯ୍ୟବାହ ଦତ୍ତା‌ତ୍ରେୟ ହୋସୱାଲେଙ୍କ ସମେତ ୪ ଜଣ ଯୁଗ୍ମ ସହ-କାର୍ଯ୍ୟବାହ ଏବଂ ୩୬ ଜଣ ବରିଷ୍ଠ ପଦାଧିକାରୀ ଯୋଗଦେବେ। ବିଭିନ୍ନ ଦିବସରେ ସଂଘର ଅଭିମୁଖ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯିବ। ଏଥିରେ ଯୋଗଦେବାକୁ ସଂଘ ମୁଖ୍ୟ ଶ୍ରୀ ଭାଗବତ ରବିବାର ଅପରାହ୍ନ ୫.୫୦ରେ କୋଲକାତାରୁ ବାହାରି ସନ୍ଧ୍ୟା ୭.୨୫ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ସଡ଼କ ପଥରେ ସେଠାରୁ ବାହାରି ରାଉରକେଲାରେ ରାତି ପ୍ରାୟ ୧୦ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୫ ଦିନ ଧରି କାର୍ଯ୍ୟକ୍ରମରେ ଯୋଗଦେବାପରେ ୫ ତାରିଖ ରାତିରେ ଶାଲିମାର ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ କୋଲକାତା ଅଭିମୁଖେ ବାହାରିବେ। ଏହି ସ୍ବତନ୍ତ୍ର ଅଧିବେଶନ ପାଇଁ ରାଉରକେଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।