ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ : ଅଖଣ୍ଡ ଭାରତ ଏକ କଳ୍ପନା, ଏକ ସ୍ୱପ୍ନ

ଭୁବନେଶ୍ୱର : ଅଖଣ୍ଡ ଭାରତ ଏକ କଳ୍ପନା ଓ ଏକ ସ୍ବପ୍ନ। ଏହି କଳ୍ପନା ଓ ସ୍ବପ୍ନ ବାସ୍ତବ ରୂପ ନେଇପାରିବ କି ନାହିଁ, ତାହା ଭବିଷ୍ୟତ ହିଁ ନିର୍ଣ୍ଣୟ କରିବ। ତେଣୁ ଏବେ ଏହା ଉପରେ କିଛି କହିବା ଠିକ୍ ହେବ ନାହିଁ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ତିନିଦିନିଆ ସ୍ବତନ୍ତ୍ର ବୈଠକ ଉଦ୍‌ଯାପନୀ ଅବସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ସରକାର୍ଯ୍ୟବାହ ସୁରେଶ ସଦାଶିବ ଯୋଶୀ ଏଭଳି ମତବ୍ୟକ୍ତ କରିଛନ୍ତି।

ତିନି ଦିନିଆ ବୈଠକର ଅନ୍ତିମ ଦିବସରେ ଆଜି ମଣ୍ଡଳ ପକ୍ଷରୁ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଯୋଶୀ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ କାଶ୍ମୀରରୁ ପଣ୍ଡିତମାନେ ସୁରକ୍ଷା ଦୃଷ୍ଟିରୁ ପଳାୟନ କରିଥିଲେ। ତତ୍କାଳୀନ ସରକାରୀ ବ୍ୟବସ୍ଥା ସେମାନଙ୍କୁ ସୁରକ୍ଷା ଦେଇ ପାରି ନ ଥିଲା। ଫଳରେ ଭିଟାମାଟି ଛାଡ଼ିବାକୁ ସେମାନେ ବାଧ୍ୟ ହୋଇଥିଲେ ଓ ନିଜ ଦେଶରେ ଶରଣାର୍ଥୀ ଭାବେ ରହିବାକୁ ବାଧ୍ୟ ହୋଇଥିଲେ। ଏବେ ୩୭୦ ଧାରା ଉଚ୍ଛେଦ ହେବା ପରେ ସରକାର ସେଠାରେ ପଣ୍ଡିତମାନଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେବା ଉଚିତ। ପଣ୍ଡିତମାନଙ୍କୁ ପୁଣି ସେମାନଙ୍କ ଜନ୍ମମାଟିକୁ ଫେରାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ବ ବୋଲି ସେ କହିଥିଲେ। ସେହିଭଳି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉପରେ ମତ ରଖି ସେ କହିଲେ ଯେ ଖୁବ୍‌ ଶୀଘ୍ର ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇବ। ଉକ୍ତ ରାୟକୁ ଅପେକ୍ଷା କରିବାକୁ ପଡ଼ିବ। ଯଦି ମଧ୍ୟସ୍ଥତା ଜରିଆରେ ଏହି ସମସ୍ୟାର ସମାଧାନ ହୋଇପାରୁଛି, ତେବେ ତାହା ମଧ୍ୟ ସ୍ବାଗତଯୋଗ୍ୟ ବୋଲି ସେ ମତ ଦେଇଥିଲେ।

ଏନ୍‌ଆର୍‌ସି(ନନ୍‌ ରେସିଡେଣ୍ଟ ସିଟିଜେନ୍) ପ୍ରସଙ୍ଗ ଉପରେ ସେ କହିଲେ ଯେ ଏନ୍‌ଆର୍‌ସିମାନେ ହେଉଛନ୍ତି ବିଦେଶୀ ନାଗରିକ। ସେମାନେ ଭାରତରେ ବିଦେଶୀ ନାଗରିକ ତଥା ଅନୁ‌ପ୍ରବେଶକାରୀ ହିସାବରେ ରହିବା ଉଚିତ ବା ସେମାନଙ୍କୁ ରଖ‌ାଯିବା ଜରୁରୀ। ଏଥିପାଇଁ ସରକାର ଏକ ସ୍ବତନ୍ତ୍ର ନୀତି ପ୍ରଣୟନ କରିବା ଉଚିତ। ଏହା ବ୍ୟତୀତ ୟୁନିଫର୍ମ ସିଭିଲ୍‌ କୋଡ୍‌ ଲାଗୁ କରାଯିବା ପ୍ରସଂଗରେ ସେ କହିଥିଲେ ଏହା ଏକ ପୁରୁଣା ଦାବି। ଏହି ଅବସରରେ ଶ୍ରୀ ଯୋଶୀ ସଂଘର ବିସ୍ତାର ଓ କାର୍ଯ୍ୟକ୍ରମ ଉପରେ କହିଥିଲେ ଯେ ସଂଘର ଗ୍ରାମ ବିକାଶ ଯୋଜନା ବେଶ୍ ଫଳପ୍ରଦ ହେଉଛି। ବର୍ତ୍ତମାନ ସୁଦ୍ଧା ଦେଶର ୨୫୦ ଖଣ୍ଡ ଗାଁରେ ଏହି ଯୋଜନା‌ ଦ୍ବାରା ଲୋକେ ଉପକୃତ ହୋଇଛନ୍ତି ଓ ଏହାଦ୍ବାରା ଗ୍ରାମୀଣ ବିକାଶ ସମ୍ଭବ ହୋଇପାରିଛି। ସମ୍ପ୍ରତି ଦେଶରେ ୧୩ ଲକ୍ଷରୁ ଅଧିକ ଆର୍‌ଏସ୍‌ଏସ୍‌ କର୍ମୀ ସମାଜ ଗଠନରେ ବ୍ରତୀ ହୋଇଥିବା ବେଳେ ୧୮ରୁ ୩୫ବର୍ଷ ବୟସର ଯୁବକମାନଙ୍କ ସଂଖ୍ୟା ଏକ ଲକ୍ଷ ୧୫ହଜାରରୁ ଅଧିକ ବୋଲି ସେ ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଅଖିଳ ଭାରତ ପ୍ରଚାର ମୁଖ୍ୟ ଅରୁଣ କୁମାର ଓ ସହ ପ୍ରଚାର ମୁଖ୍ୟ ନରେନ୍ଦ୍ର ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର