ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ବୈଠକ : ସରକାରଙ୍କ ଅଧୁରା କାମ ସମାଜ କରିବ

ଭୁବନେଶ୍ବର : ସରକାର ସବୁ କିଛି କରିପାରିବ ନାହିଁ। ତେଣୁ ସମାଜର ପରିବର୍ତ୍ତନ ପାଇଁ ନିଜେ ସମାଜକୁ କିଛି କାମ କରିବାକୁ ପ‌ଡ଼େ। ଏହି ଭାବନା ଓ ଚିନ୍ତାଧାରାକୁ ନେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର କର୍ମୀମାନେ ବର୍ଷ ବର୍ଷ ଧରି ସମାଜ ସଂସ୍କାର ଦିଗରେ କାମ କରୁଛନ୍ତି। ତେଣୁ ୧୯୯୮ରୁ ଆରମ୍ଭ ହୋଇଥିବା ଗ୍ରାମ ବିକାଶ ପରିଣାମ ଏବେ ଦେଶରେ ବିସ୍ତୃତ ଭାବେ ଦେଖିବାକୁ ମିଳୁଛି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ତ୍ରିଦିବଦୀୟ ବୈଠକ ଉଦ୍‌ଘ‌ାଟନ ଅବସରରେ ସଂଘର ସହ ସରକାର୍ଯ୍ୟବ‌ାହ ଡ. ମନମୋହନ ବୈଦ୍ୟ ଏହା କହିଛନ୍ତି।

ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଡ. ବୈଦ୍ୟ କହିଲେ ଯେ ରାମ ମନ୍ଦିର ନିର୍ମାଣ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ। ଏହା ଦେଶର ଆସ୍ଥାର ବିଷୟ। ସେହିଭଳି କାଶ୍ମୀର ପାଇଁ ଉଦ୍ଦିଷ୍ଟ ୩୭୦ ଧାରା ଅସ୍ଥାୟୀ ଥିଲା ଓ ଏହାର ଉଚ୍ଛେଦ ଜରୁରି ଥିଲା। ଏହା ମଧ୍ୟ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏହା ଏକ ରାଷ୍ଟ୍ରୀୟ ସାଧାରଣ ସହମତିର ବିଷୟ ବୋଲି ସେ କହିଥିଲେ। ପଶ୍ଚିମବଙ୍ଗରେ ସମ୍ପ୍ରତି ରାଷ୍ଟ୍ରୀୟ ବିଚାରଧାରାର ଲୋକଙ୍କୁ ହତ୍ୟା କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ପଶ୍ଚିମବଙ୍ଗର ଶିକ୍ଷକ ପାଲ୍‌ଙ୍କ ପରିବାରକୁ ଗଣହତ୍ୟା କରାଯାଇଥିବା ବେଳେ ଦେଶରେ ମଧ୍ୟ ଏଭଳି କାଣ୍ଡ ବଢ଼ି ଚାଲିଥିବାରୁ ଏହା ଦୁର୍ଭାଗ୍ୟଜନକ ବୋଲି ସେ ଦର୍ଶାଇଥିଲେ।

ସଂଘର କାର୍ଯ୍ୟକ୍ରମ ବୃଦ୍ଧି ଉପରେ ସୂଚନା ଦେଇ ଡ. ବୈଦ୍ୟ କହିଲେ ଯେ ବର୍ତ୍ତମାନ ଦେଶରେ ୬ ହଜାର ପ୍ରଖଣ୍ଡ ବା ତହସିଲ୍‌ରେ ମୋଟ ୫୭,୪୧୧ ଶାଖା କାର୍ଯ୍ୟ କରୁଛି। ୨୦୧୦ ପରଠାରୁ ଶାଖା ଓ କର୍ମୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମାଜକୁ ଜାତିଭେଦ ବନ୍ଧନରୁ ମୁକ୍ତ କରିବା ପାଇଁ ସ୍ବୟଂସେବକ କର୍ମୀମାନେ କାମ କରୁଛନ୍ତି ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାର ଏବଂ ସହ ପ୍ରଚାର ପ୍ରମୁଖ ନରେନ୍ଦ୍ର ଠାକୁର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକାରୀ ମଣ୍ଡଳରେ ଦେଶର ବିଭିନ୍ନ ରାଜ୍ୟରୁ ସଂଘର ୩୫୦ ଜଣ କର୍ମକର୍ତ୍ତା ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର