ଆର୍ଟି-ପିସିଆର ପରୀକ୍ଷା କମୁଛି, ମାତ୍ରାଧିକ ଆଣ୍ଟିଜେନ୍ କିଟ୍ର ବ୍ୟବହାରକୁ ଏଡ଼ାଇବା ଜରୁରୀ: ବିଶେଷଜ୍ଞ
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଦାବି ଅନୁସାରେ ରାଜ୍ୟରେ ପଜିଟିଭ୍ ହାର କମୁଛି। ଚଳିତମାସ ଦ୍ବିତୀୟ ସପ୍ତାହରେ ଏହା ୨୨ ପ୍ରତିଶତ ଥିବା ବେଳେ ତୃତୀୟ ସପ୍ତାହରେ ୧୯ ପ୍ରତିଶତ ଓ ଚତୁର୍ଥ ସପ୍ତାହରେ ଏହା ୧୭ ପ୍ରତିଶତ ତଳକୁ ଖସି ଆସିଛି। ଆସନ୍ତା ୧୦ଦିନ ଭିତରେ ପଜିଟିଭ୍ ହାର ଆହୁରି କମିଯିବ। ହେଲେ ରାଜ୍ୟ ସରକାରଙ୍କ ଏହି ଦାବି ଭରସାଯୋଗ୍ୟ କି? କାରଣ ରାଜ୍ୟରେ ହେଉଥିବା କୋଭିଡ୍ ନମୁନା ପରୀକ୍ଷାରେ ଆର୍ଟି-ପିସିଆର ଓ ଆଣ୍ଟିଜେନ୍ କିଟ୍ର ବ୍ୟାପକୁ ଅସନ୍ତୁଳନ ରାଜ୍ୟ ସରକାରଙ୍କ ଏହି ଦାବିର ବିରୋଧାଭାଷ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତବର୍ଷ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୮୦ ପ୍ରତିଶତ ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା କରାଯାଉଥିଲା। ଦ୍ବିତୀୟ ଲହର ଆରମ୍ଭ ହେବା ପରେ ରାଜ୍ୟରେ କରୋନା ପରୀକ୍ଷା ପାଇଁ ଉଚ୍ଚମାନର ପରୀକ୍ଷା ଆର୍ଟି-ପିସିଆର ନମୁନା ସଂଖ୍ୟା ବଢ଼ିଥିଲା। ସ୍ବାସ୍ଥ୍ୟ ବିଭାଗ ଦୈନିକ ୨୫ହଜାର ଆର୍ଟି-ପିସିଆର ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖିଥିଲା। ହେଲେ ପୁଣିଥରେ ରାଜ୍ୟରେ ଆଣ୍ଟିଜେନ୍ ପରୀକ୍ଷା ସଂଖ୍ୟା ବଢ଼ୁଥିବା ନଜରକୁ ଆସିଛି। ଏପରିକି ଗତ ୨୪ଘଣ୍ଟାରେ ରାଜ୍ୟରେ ୨୮.୫ ପ୍ରତିଶତ ଆର୍ଟି-ପିସିଆର ପରୀକ୍ଷା ହୋଇଛି। ଏହି କେବଳ ଗତ ୨୪ଘଣ୍ଟାର ନୁହେଁ, ବରଂ ବେଶ୍ କିଛିଦିନ ହେବ ଏହି ସଂଖ୍ୟା କମି କମି ଚାଲିଛି। ଗତ ୧୫/୨୦ଦିନ ପୂର୍ବରୁ ଏହା ୩୫ ପ୍ରତିଶତରୁ ଅଧିକ ରହିଥିଲା।
ଦେଶରେ ଦ୍ବିତୀୟ ଲହରକୁ ନଜରରେ ରଖି ଚଳିତମାସ ୪ତାରିଖରେ ଆଇସିଏମ୍ଆର ପକ୍ଷରୁ କୋଭିଡ୍ ପରୀକ୍ଷା ନେଇ ନିର୍ଦେଶାବଳୀ ଜାରି କରାଯାଇଥିଲା। ଏଥିରେ ରାଜ୍ୟମାନଙ୍କୁ ସେମାନେ ଆର୍ଟି-ପିସିଆର କ୍ଷମତାର ସର୍ବାଧିକ ବିନିଯୋଗ କରିବା ସହିତ ମୋବାଇଲ ଭ୍ୟାନ୍ ଜରିଆରେ ଆର୍ଟି-ପିସିଆର ପରୀକ୍ଷା କରିବା ଲାଗି ନିର୍ଦେଶ ଦିଆଯାଇଥିଲା। ନିକଟରେ ରାଜ୍ୟ ସରକାର ୧୫ଟି ଜିଲ୍ଲାରେ ଆର୍ଟି-ପିସିଆର ପରୀକ୍ଷା କରିବା ଲାଗି ଘୋଷଣା କରିଛନ୍ତି। ମାତ୍ର ଏହା କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟରେ ଆର୍ଟି-ପିସିଆର ନମୁନା ପରୀକ୍ଷା କମି କମି ଚାଲିଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ହ୍ରାସ ପାଇଛି ବୋଲି କୁହାଯାଇ ପାରିବ କି? ନା କୃତ୍ରିମ ଭାବରେ ପଜିଟିଭ୍ ହାର କମାଇବା ଲାଗି ଅଧିକ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା ଉଦ୍ୟମ କରାଯାଉଛି। ଏଭଳି ଅଭିଯୋଗ ଏବେ ବିଶେଷଜ୍ଞ ମହଲକୁ ଆନ୍ଦୋଳିତ କଲାଣି। କୋଚିସ୍ଥିତ ରାଜଗିରି କଲେଜ ଅଫ ସୋସିଆଲ ସାଇନ୍ସର ହେଲଥ୍ ଇକୋନୋମିକ୍ସ ପ୍ରଫେସର ଡ. ରିଜୋ ଏମ୍ ଜନ୍ ନିକଟରେ କେଉଁ ରାଜ୍ୟରେ କେଉଁ ନମୁନା ପରୀକ୍ଷା ଓ କେଉଁ ନମୁନା କେତେ ପ୍ରତିଶତରେ ହେଉଛି ତାହାର ଏକ ତଥ୍ୟ ପ୍ରଦାନ କରିଛନ୍ତି। ଏହି ତଥ୍ୟ କହୁଛି ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଓଡ଼ିଶାରେ ୭୯.୫ ପ୍ରତିଶତ ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା କରାଯାଇଛି। ପରବର୍ତୀ ମାସଗୁଡ଼ିକର ତଥ୍ୟ ଉପଲବ୍ଧ ନ ଥିବାରୁ ତାହାର ହିସାବ ହୋଇପାରି ନାହିଁ। ଡ. ଜନ୍ ‘ସମ୍ବାଦ’କୁ କହିଛନ୍ତି, ମାତ୍ରାଧିକ ଆଣ୍ଟିଜେନ୍ କିଟ୍ରେ ନିର୍ଭରଶୀଳ ହେବା ଫଳରେ କୃତ୍ରିମ ଭାବେ ଏହା ପଜିଟିଭ୍ ହାରକୁ କମାଇଦେବ। ଯାହାଫଳରେ ପ୍ରକୃତରେ ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମଣ କିଭଳି ରହିଛି ତାହା ଜାଣିବା ମୁସ୍କିଲ ହୋଇ ପଡ଼ିବ। ଆର୍ଟି-ପିସିଆର ଓ ଆଣ୍ଟିଜେନ୍ କିଟ୍ର ପରୀକ୍ଷା ଭିତରେ ଏକ ସନ୍ତୁଳନ ରହିବା ଜରୁରୀ ବୋଲି ସେ କହିଛନ୍ତି।