ଆର୍‌ଟି-ପିସିଆର୍‌ ନେଗେଟିଭ୍ ଥାଇ ବି ସଂକ୍ରମିତ?

ସ୍କିଟି-ସ୍କାନ୍‌ରେ ଜଣାପଡ଼ୁଛି ସଂକ୍ରମଣ

୧୦-୧୫% ରୋଗୀଙ୍କଠାରେ ମିଳୁଛି ଏଭଳି ଲକ୍ଷଣ
ରାଜ୍ୟରେ ଏଭଳି ଘଟଣା ନଜରକୁ ଆସିନି: ଜନସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ରାପିଡ୍‌ ଆଣ୍ଟିଜେନ୍ କିଟ୍‌ ଓ ଆର୍‌ଟି-ପିସିଆର ରିପୋର୍ଟ ନେଗେଟିଭ୍। ଶରୀରରେ କରୋନାର କୌଣସି ଲକ୍ଷଣ ନାହିଁ, ହେଲେ ଛାତିରେ ଭରି ରହିଛି ଭୂତାଣୁ। ରାଜ୍ୟରେ ଏଭଳି କ‌ରୋନା ସଂକ୍ରମିତଙ୍କୁ ହସ୍ପିଟାଲ ଗୁଡ଼ିକରେ ଚିହ୍ନଟ କରାଗଲାଣି। ରିପୋର୍ଟ ନେଗେଟିଭ୍ ଥିବାରୁ ଲୋକମାନେ ଏହାକୁ ମାନିବାକୁ ନାରାଜ୍। ବିଶେଷକରି ରାଜଧାନୀର ଘରୋଇ ହସ୍ପିଟାଲରେ ଏଭଳି ଚିତ୍ର ସାମ୍ନାକୁ ଆସୁଛି। ଯଦି ଏସବୁ ଘଟଣା ସତ ହୁଏ ତାହାଲେ ଅଜାଣତରେ ମଧ୍ୟ ଅନେକ ଲକ୍ଷଣ ବିହୀନ ଲୋକ ଅନ୍ୟମାନଙ୍କୁ ସଂକ୍ରମିତ କରି ଚାଲିଛନ୍ତି। ମାତ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ କୌଣସି ଘଟଣା ବିଭାଗର ନଜରକୁ ଆସି ନ ଥିବା କୁହାଯାଇଛି।

ରାଜ୍ୟରେ ଦ୍ବିତୀୟ ଲହରରେ ଦ୍ରୁତ ସଂକ୍ରମଣ ଜାରି ରହିଛି। ଓଡ଼ିଶା ସମେତ ସାରା ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେଲାଣି। ଏହା ଭିତରେ ଛତିଶଗଡ଼ ଓ ଗୁଜୁରାଟ ଭଳି ରାଜ୍ୟରେ ଆର୍‌ଟି-ପିସିଆର ନେଗେଟିଭ୍ ଥାଇ ମଧ୍ୟ ଲୋକମାନେ କରୋନା ସଂକ୍ରମିତ ଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏଭଳି ସ୍ଥିତି ଓଡ଼ିଶାରେ ମଧ୍ୟ ଡରାଇବା ଭଳି ଚିତ୍ର ନଜରକୁ ଆସିଲାଣି। କର କ୍ଲିନିକ୍‌ର ବରିଷ୍ଠ ଭେଷଜ ରୋଗ ବିଶେଷଜ୍ଞ ଡା. ନିରଜ ମିଶ୍ର କହିଛନ୍ତି, ହସ୍ପିଟାଲକୁ ଆସୁଥିବା ୧୦-୧୫ ପ୍ରତିଶତ ରୋଗୀଙ୍କଠାରେ ଏଭଳି ଚିତ୍ର ସାମ୍ନାକୁ ଆସୁଛି। ଆର୍‌ଟି-ପିସିଆର ରିପୋର୍ଟ ନେଗେଟିଭ୍ ସହିତ କୌଣସି ଲକ୍ଷଣ ନ ଥିବା ଲୋକଙ୍କ ସିଟି-ସ୍କାନ୍ ପରେ ଛାତିରେ ସଂକ୍ରମଣ ରହିଥିବା ଜଣାପଡ଼ୁଛି। ଆଜି ହସ୍ପିଟାଲକୁ ଆସିଥିବା ଜଣେ ମହିଳାଙ୍କ ସିଟି-ସ୍କାନ୍ କରାଯିବା ପରେ ସେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ତାଙ୍କ ସିଟି ସ୍କୋର ୧୪ ରହିଥିଲା।

ରାପିଡ୍ ଆଣ୍ଟିଜେନ୍ କିଟ୍ ଅପେକ୍ଷା ଆର୍‌ଟି-ପିସିଆର ପରୀକ୍ଷାର ସେନ୍‌ସିଟିଭିଟି ରେଟ୍‌ ଅଧିକ। ତଥାପି ଏହା ଶତ ପ୍ରତିଶତ ନୁହେଁ। ତେଣୁ ଅନେକ ଲୋକଙ୍କ ମଧ୍ୟ ଆର୍‌ଟି-ପିସିଆର ରିପୋର୍ଟ ନ‌େଗେଟିଭ୍ ଥିଲେ ହେଁ, ସେମାନଙ୍କଠାରେ ଭାଇରାଲ ନିମୋନିଆ ନଜରକୁ ଆସୁଛି। ଏଥିପାଇଁ ଡବଲ ଆର୍‌ଟି-ପିସିଆର ପରୀକ୍ଷା କଲେ ଭଲ। ଏହାଛଡ଼ା ସିଟି-ସ୍କାନ୍‌ରେ ମାତ୍ର ୧ଘଣ୍ଟା ଭିତରେ ରିପୋର୍ଟ ଆସିପାରୁଛି। ତେଣୁ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହା ବେଶ୍ ସହାୟକ ହୋଇପାରୁଛି ବୋଲି ଡା. ମିଶ୍ର କହିଛନ୍ତି।

ଏଭଳି ଯୁକ୍ତିକୁ ମଧ୍ୟ ସମର୍ଥନ ଜଣାଇଛନ୍ତି ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ତଥା ବରିଷ୍ଠ ଚିକିତ୍ସକ ଡା. ତ୍ରିଭୁବନ ମହାପାତ୍ର। ଡା. ମହାପାତ୍ର କହିଛନ୍ତି, ଭୂତାଣୁ ସବୁବେଳେ ପାଇଁ ନାକରେ ନ ରହି ମାତ୍ର ୨ଘଣ୍ଟା ଭିତରେ ଫୁସ୍‌ଫୁସ୍‌କୁ ପଳାଉଛି। ତେଣୁ ସ୍ବାବ୍‌ରେ ଭୂତାଣୁ ମିଳିବା କଷ୍ଟକର। ଏହାସହ ସ୍ବାବ୍‌ ନମୁନା ସଂଗ୍ରହ ଉପରେ ମଧ୍ୟ ଅନେକ କିଛି ନିର୍ଭର କରୁଛି। ଏମ୍‌ସର ନିର୍ଦେଶକ ମଧ୍ୟ ନିକଟରେ ଏହା ଉପରେ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି। ତେଣୁ ଲକ୍ଷଣ ବିହୀନ ଏଭଳି ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଅନ୍ୟତମ ବାଟ ହେଉଛି ସିଟି-ସ୍କାନ୍। ଛତିଶଗଡ଼ ଓ ଗୁଜୁରାଟ ଭଳି ରାଜ୍ୟରେ ଲକ୍ଷଣ ବିହୀନ ଅନେକ ରୋଗୀଙ୍କ ସିଟି-ସ୍କାନ୍ କରାଯିବା ପରେ ସେମାନେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହା କ୍ଲିନିକାଲ ପ୍ରମାଣିତ ମଧ୍ୟ।

ଲକ୍ଷଣ ନ ଥିବା ଏଭଳି ରୋଗୀଙ୍କ ଏୟାର ହଙ୍ଗର ବା ନିଶ୍ବାସ ପ୍ରଶ୍ବାସରେ କଷ୍ଟ ହେଲେ ହିଁ ଜଣେ ହସ୍ପିଟାଲକୁ ଯାଇଥାଏ। ପରେ ଯଦି ସେଠାରେ ସିଟି-ସ୍କାନ୍ କରାଯାଏ ତା’ହେଲେ ସଂକ୍ରମଣ ସଂପର୍କରେ ସ୍ପଷ୍ଟ ହୋଇପାରିବ। ଆମେରିକା ଜଣେ ପରିଚିତ ବ୍ୟକ୍ତି କରୋନା ଟିକାର ୨ଟି ଡୋଜ୍ ନେବା ପରେ ମଧ୍ୟ ସିଟି-ସ୍କାନ୍ ରିପୋର୍ଟରେ ସଂକ୍ରମିତ ଥିବା ନିକଟରେ ସୂଚନା ଦେଇଛନ୍ତି। ତେଣୁ ଏଭଳି ବ୍ୟକ୍ତିମାନେ ଅନ୍ୟଙ୍କୁ ସଂକ୍ରମିତ କରିବାର ଆଶଙ୍କା ଯଥେଷ୍ଟ ଅଧିକ। ଏହାସହ ଆର୍‌ଟି-ପିସିଆର ରିପୋର୍ଟର ସେନ୍‌ସିଟିଭି୍ ରେଟ୍ ୬୦-୭୦ ପ୍ରତିଶତ ଥିବା ବେଳେ ରାପିଟ୍ ଆଣ୍ଟିଜେନ୍‌ର ଏହାଠାରୁ ଯଥେଷ୍ଟ କମ୍। ଆର୍‌ଟି-ପିସିଆର ପରୀକ୍ଷାରେ ଫଲ୍‌ସ ପଜିଟିଭ୍ ରିପୋର୍ଟ ଆସି ନ ଥାଏ। ତେଣୁ ଆର୍‌ଟି-ପିସିଆର ରିପୋର୍ଟ ନେଗେଟିଭ୍ ଥିଲେ ମଧ୍ୟ ଜଣେ ସଂକ୍ରମିତ ହେବା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ। ତେଣୁ ଏ ଦିଗରେ ଅଧିକ ମାତ୍ରାରେ କ୍ଲିନିକାଲ ଆସେସମେଣ୍ଟ ଜରୁରୀ ବୋଲି ଡା. ମହାପାତ୍ର କହିଛନ୍ତି। ଅପରପକ୍ଷରେ ଏଭଳି ଘଟଣାକୁ ଏଡ଼ାଇ ଯାଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର। ଡା. ମିଶ୍ର କହିଛନ୍ତି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ପକ୍ଷରୁ ଜଣେ କରୋନା ପଜିଟିଭ୍ ହେବା ନେଇ ଯେଉଁ ଗାଇଡଲାଇନ୍‌ ରହିଛି ଏଥିରେ ସିଟି-ସ୍କାନ୍ ସମ୍ବନ୍ଧରେ କୌଣସି ସୂଚନା ଦିଆଯାଇ ନାହିଁ। ‘ହୁ’ ମଧ୍ୟ ନିକଟରେ ଗାଇଡଲାଇନ୍‌ରେ ଏଭଳି କୌଣସି ପରିବର୍ତନ କରିନାହିଁ। ତେଣୁ କେଉଁଠି ଗୋଟିଏ କିମ୍ବା ଦୁଇଟି ଘଟଣାକୁ ନେଇ ଅନ୍ୟ ସମସ୍ତ ରୋଗୀଙ୍କ ସହିତ ଏହାକୁ ତୁଳନା କରିବା ଠିକ୍ ନୁହେଁ। ଏହାଛଡ଼ା ରାଜ୍ୟରେ ମଧ୍ୟ ଏଭଳି ଘଟଣା ସଂପର୍କରେ ବିଭାଗ ପାଖରେ ସୂଚନା ନାହିଁ ବୋଲି ଡା. ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର