ଭୁବନେଶ୍ବର : ତାମିଲନାଡ଼ୁରେ ଆର୍ଟି-ପିସିଆର୍ରେ କରୋନା ପରୀକ୍ଷା କରୁଥିବା ଲୋକଙ୍କ ସଂଖ୍ୟା ୯୯ ପ୍ରତିଶତ। ହେଲେ ଓଡ଼ିଶାରେ ଆର୍ଟି-ପିସିଆର୍ ପରୀକ୍ଷା ହାର ଅତ୍ୟନ୍ତ ନୈରାଶ୍ୟଜନକ। ଦେଶରେ ସର୍ବାଧିକ କୋଭିଡ ନମୁନା ପରୀକ୍ଷା କରିଥିବା ୧୧ଟି ରାଜ୍ୟ ଭିତରେ ଆର୍ଟି-ପିସିଆର୍ ପରୀକ୍ଷାରେ ଓଡ଼ିଶା ୨୦ ପ୍ରତିଶତ ସହ ତଳଆଡ଼ୁ ଦ୍ବିତୀୟରେ ରହିଛି। ଓଡ଼ିଶା ପଛରେ କେବଳ ବିହାର ରହିଛି। ବିହାରରେ ସମୁଦାୟ ପରୀକ୍ଷାର ମାତ୍ର ୧୪ ପ୍ରତିଶତ ଆର୍ଟି-ପିସିଆର୍ ପରୀକ୍ଷା କରାଯାଇଛି।
ଚଳିତମାସ ୯ତାରିଖ ସୁଦ୍ଧା ରାଜ୍ୟରେ ୭୫ ଲକ୍ଷ ୭୬ ହଜାର ୨୪୯ କୋଭିଡ୍ ନମୁନା ପରୀକ୍ଷା ହୋଇଛି। ତହିଁରୁ ମାତ୍ର ୨୦ ପ୍ରତିଶତ ହାରରେ ୧୪ ଲକ୍ଷ ୯୨ ହଜାର ୨୬୪ ଆର୍ଟି-ପିସିଆର୍ ପରୀକ୍ଷା ହୋଇଥିବା କେନ୍ଦ୍ର ସରକାର ନିକଟରେ ସଂସଦରେ ରଖିଥିବା ତଥ୍ୟରୁ ଜଣାପଡ଼ିଛି। ବଳକା ୭୯ ପ୍ରତିଶତ ପରୀକ୍ଷା ରାପିଡ୍ ଆଣ୍ଟିଜେନ୍ କିଟ୍ରେ ହେଉଛି। ଅନ୍ୟ ୧ ପ୍ରତିଶତ ପରୀକ୍ଷା ସିବିନାଟ୍, ଟ୍ରୁନାଟ୍ ଓ ଅନ୍ୟ ଉପାୟରେ ପରୀକ୍ଷା କରାଯାଇଛି। ଓଡ଼ିଶା ତୁଳନାରେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ମହାରାଷ୍ଟ୍ର, ଆନ୍ଧ୍ର, ଦିଲ୍ଲୀ, ଗୁଜୁରାଟ, କେରଳ, ପଶ୍ଚିମବଙ୍ଗରେ ଅଧିକ ସଂଖ୍ୟାରେ ଆର୍ଟି-ପିସିଆର୍ ପରୀକ୍ଷା କରାଯାଉଛି। ଦେଶରେ ହୋଇଥିବା ସମୁଦାୟ ପରୀକ୍ଷାର ଆର୍ଟି-ପିସିଆର୍ ପରୀକ୍ଷା ହାର ୪୯ ପ୍ରତିଶତ ରେକର୍ଡ କରାଯାଇଛି।
କରୋନା ବା କୋଭିଡ-୧୯ ପାଇଁ ପରିଗଣିତ ହେଉଥିବା ସବୁଠାରୁ ଉନ୍ନତ ମାନର ପରୀକ୍ଷା ହେଉଛି ଆର୍ଟି-ପିସିଆର୍। ବିଶ୍ବବ୍ୟାପୀ ଏହି ପରୀକ୍ଷାକୁ ଗ୍ରହଣ କରାଯାଉଛି। ହେଲେ ଓଡ଼ିଶାରେ ଆର୍ଟି-ପିସିଆର୍ ପରୀକ୍ଷା ସଂଖ୍ୟା ଆଶାଜନକ ହୋଇପାରି ନାହିଁ। ରାଜ୍ୟ ତଥା ଦେଶରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଓଡ଼ିଶାରେ ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା ଶହେ ତଳେ ରହିଛି। ତଥାପି କରୋନା ଭୟ ଲୋକଙ୍କ ମନରୁ ଯାଇ ନାହିଁ। ଏବେ ଦୈନିକ ୨୦ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି। ଏଥିରୁ ୨୦ ପ୍ରତିଶତ ହିସାବକୁ ନେଲେ ପ୍ରାୟ ଦୈନିକ ୪ହଜାର ଆର୍ଟି-ପିସିଆର୍ ନମୁନା ପରୀକ୍ଷା ହେଉଛି। ବଳକା ୧୬ହଜାର ପରୀକ୍ଷା ରାପିଡ୍ ଆଣ୍ଟିଜେନ୍ରେ କରାଯାଉଛି।
ଆଇସିଏମ୍ଆର ପକ୍ଷରୁ ଓଡ଼ିଶାରେ ସରକାରୀ ଓ ଘରୋଇ ପରୀକ୍ଷାଗାରକୁ ମିଶାଇ ସମୁଦାୟ ୫୭ଟି ପରୀକ୍ଷାଗାରକୁ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିଛି। ଏଥିରେ ଆର୍ଟି-ପିସିଆର୍ ପାଇଁ ସମୁଦାୟ ୨୫ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ୧୩ଟି ସରକାରୀ ଓ ୧୨ଟି ଘରୋଇ କେନ୍ଦ୍ର ରହିଛି। ରାପିଡ୍ ଆଣ୍ଟିଜେନ୍ କିଟ୍ରେ ଅଧିକ ସଂଖ୍ୟାରେ ପରୀକ୍ଷାକୁ ନେଇ ସବୁ ସମୟରେ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ଏହି କିଟ୍ରେ ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ସଂକ୍ରମିତଙ୍କ ଚିହ୍ନଟ କରିବାର କ୍ଷମତା ରହିଛି। ମାତ୍ର ଆର୍ଟି-ପିସିଆର୍ରେ ଏହାର ମାତ୍ରା ଢେର ଅଧିକ ରହିଛି। ଏଭଳି ପରିସ୍ଥିତିରେ ଓଡ଼ିଶାରେ ଅଧିକ ମାତ୍ରରେ ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା କରାଯିବା କରୋନା ବିରୋଧରେ ଚାଲିଥିବା ଲଢ଼େଇକୁ ନେଇ ପ୍ରଶ୍ନ ଉଠିଛି।
ଗତବର୍ଷ ଜୁଲାଇ-ଅକ୍ଟୋବର ମାସ ଭିତରେ ରାଜ୍ୟରେ ଯେତେବେଳେ କରୋନା ସଂକ୍ରମଣ ଶୀର୍ଷରେ ରହିଥିବା କୁହାଯାଇଥିଲା, ସେ ସମୟରେ ହେଉଥିବା ନମୁନା ପରୀକ୍ଷାରେ ସବୁ ସଂକ୍ରମିତ ଚିହ୍ନଟ ନ ହେବା ଫଳରେ ସଂକ୍ରମଣ ମାଡ଼ି ଚାଲିଥିଲା କି? ଯଦି ଆର୍ଟି-ପିସିଆର୍ ପରୀକ୍ଷା ଅଧିକ ହୋଇଥାନ୍ତା ହୁଏତ ଅନେକଙ୍କୁ ଚିହ୍ନଟ କରି ସଂଗରୋଧରେ ରଖିବା ସମ୍ଭବ ହୋଇପାରିଥାନ୍ତା। ଅନେକ ବୟସ୍କ ବ୍ୟକ୍ତିଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା। କେବଳ ସଂକ୍ରମଣ ବୃଦ୍ଧି ପାଇବା ନୁହେଁ, ପ୍ରତ୍ୟେକ ଦିନ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହେଉଥିବା କଥା ରାଜ୍ୟ ସରକାର କହୁଥିଲେ ତାହାର ସଂଖ୍ୟା ମଧ୍ୟ ଏବେ ବିବାଦ ଘେରକୁ ଆସିଛି। ୨୫ଟି ଆର୍ଟି-ପିସିଆର୍ ପରୀକ୍ଷା କେନ୍ଦ୍ର ରହିଥିବା ସତ୍ବେ କାହିଁକି ଆର୍ଟି-ପିସିଆର୍ ପରୀକ୍ଷା ସଂଖ୍ୟା ବଢ଼ାଗଲା ନାହିଁ, ତାହା ମଧ୍ୟ ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରିଛି।
ଆଇସିଏମ୍ଆର୍ର ପୂର୍ବତନ ଉପଦେଷ୍ଟା ଡା.ତ୍ରିଭୁବନ ମହାପାତ୍ରଙ୍କ କହିବା କଥା, ରାପିଡ୍ ଆଣ୍ଟିଜେନ୍ କିଟ୍ରେ ଅଧିକ ସଂଖ୍ୟାରେ ଫଲ୍ସ ନେଗେଟିଭ୍ ଆସିଥାଏ। ଏଭଳି ସ୍ଥିତିରେ ୪୦ବର୍ଷରୁ କମ୍ ବ୍ୟକ୍ତି ଯଦି ସଂକ୍ରମିତ ଥାଆନ୍ତି ଓ ତାଙ୍କର କୌଣସି ଲକ୍ଷଣ ନ ଥାଏ ତାହାଲେ ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା କଲେ ସଂକ୍ରମିତଙ୍କୁ ଚିହ୍ନଟ କରିବା ଏକପ୍ରକାର ଅସମ୍ଭବ। ଯାହାଫଳରେ ସେମାନଙ୍କୁ ଟ୍ରେସିଂ ଓ ଆଇସୋଲେଟ୍ କରିବା ଅସମ୍ଭବ। ତେଣୁ ଘରେ ରହିଥିବା ବୟସ୍କ ବ୍ୟକ୍ତିମାନେ ସଂକ୍ରମିତ ହେବାର ଆଶଙ୍କା ଦ୍ବିଗୁଣିତ ହୋଇଥାଏ। ଏହାବାଦ୍ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଛି ତାହା ମଧ୍ୟ ସନ୍ଦେହ ଘେରରେ ଆସିବା ସ୍ବାଭାବିକ ବୋଲି ଡା. ମହାପାତ୍ର କହିଛନ୍ତି।