ବଢ଼ୁଛି ଆର୍‌ଟି-ପିସିଆର ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ ଏବେ ଦିନକୁ ଦିନ ଆର୍‌ଟି-ପିସିଆର ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୨,୯୮୩ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରେ ୧୮,୦୧୩ ଆର୍‌ଟି-ପିସିଆର ନମୁନା ରହିଛି। ଯାହାକି ସମୁଦାୟ ପରୀକ୍ଷଣର ୪୧ ପ୍ରତିଶତରୁ ଅଧିକ। ଆଗାମୀ ଦିନରେ ରାଜ୍ୟରେ ଦୈନିକ ୨୫ହଜାର ଆର୍‌ଟି-ପିସିଆର ନମୁନା ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ବରରେ ସର୍ବାଧିକ ୨୮ଶହ ଆର୍‌ଟି-ପିସିଆର ନମୁନା ପରୀକ୍ଷା ହୋଇଥିବା ବେଳେ କଟକରେ ୧୮୯୧, ସୁନ୍ଦରଗଡ଼ ୧୨୨୨, ମୟୂରଭଞ୍ଜ ୬୯୩, ମାଲକାନଗିରି ୬୮୭, ଅନୁଗୁଳ ୬୭୨ ଓ ନବରଙ୍ଗପୁରରେ ସର୍ବନିମ୍ନ ଗୋଟିଏ ଆର୍‌ଟି-ପିସିଆର ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ ଏବେ ୭ଟି ମେଡିକାଲ କଲେଜ ଓ ୬ଟି ଜିଲ୍ଲା ଚିକିତ୍ସାଳୟରେ ଆର୍‌ଟି-ପିସିଆର ନମୁନା ପରୀକ୍ଷା କରାଯାଉଛି। ଆଗକୁ ଆହୁରି ୨ଟି ଜିଲ୍ଲା‌ରେ ଏହି ନମୁନା ପରୀକ୍ଷା ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।

କିଛିଦିନ ପୂର୍ବରୁ ରାଜ୍ୟ ସରକାର ଦୈନିକ ୧୦ହଜାର ୧୫୦ ଆର୍‌ଟି-ପିସିଆର ନମୁନା ପରୀକ୍ଷା କରିବା ଲାଗି ଜିଲ୍ଲାମାନଙ୍କୁ ନିର୍ଦେଶ ଦେଇଥିଲେ। ମାତ୍ର ଦ୍ବିତୀୟ ଲହରରେ ଦ୍ରୁତ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଅଧିକ ସଂଖ୍ୟାରେ ଆର୍‌ଟି-ପିସିଆର ନମୁନା ପରୀକ୍ଷା ଆରମ୍ଭ କରିଛନ୍ତି। ଯେଉଁ ସବୁ କେନ୍ଦ୍ରରେ ଆର୍‌ଟି-ପିସିଆର ମେସିନ୍ ରହିଛି ସେସବୁର କ୍ଷମତା ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

କୋଭିଡ ପାଇଁ ପିସିସି ପକ୍ଷରୁ କଣ୍ଟ୍ରୋଲ ରୁମ୍‌
ଭୂୁବନେଶ୍ବର : ରାଜ୍ୟରେ ଭୟଙ୍କର ସ୍ଥିତି ସୃଷ୍ଟି କଲାଣି କୋଭିଡ ମହାମାରୀ। ଏଥିରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏଆଇସିସି ନିର୍ଦ୍ଦେଶରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୋଭିଡ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୫ ଜଣିଆ କମିଟି ଗଠନ କରିଛନ୍ତି। ଏହି କଣ୍ଟ୍ରୋଲ ରୁମ୍‌ର ସୁପରିଚାଳନା ପାଇଁ ଶ୍ରୀ ପଟ୍ଟନାୟକ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି କଣ୍ଟ୍ରୋଲ ରୁମ୍‌ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। କମିଟିରେ ପଦ୍ମାକର ଗୁରୁ (ମୋବାଇଲ ନମ୍ବର-୬୩୭୦୯୬୫୯୭୮) ସଂଯୋଜକ ଥିବାବେଳେ ସୁବ୍ରତ ମହାପାତ୍ର (ମୋବାଇଲ-୯୧୩୨୭୮୫୬୨୪), ଲିଙ୍ଗରାଜ ସାହୁ ( ମୋବାଇଲ-୯୨୩୭୦୧୦୯୩୯), ପ୍ରମୋଦ କୁମାର ସାହୁ ( ମୋବାଇଲ- ୭୦୦୮୭୮୮୬୭୭) ଓ ତରୁଣକାନ୍ତ ମିଶ୍ର ( ମୋବାଇଲ-୯୪୩୭୧୯୨୧୬୧) ପ୍ରମୁଖ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର