‘ବାଂଲାର ରସଗୋଲା’କୁ ଆରଡିଟି ପକ୍ଷରୁ ପ୍ରତିବାଦ, ରଦ୍ଦ କରିବା ନେଇ ଦାବିପତ୍ର ପ୍ରଦାନ

ଚେନ୍ନାଇ: ‘ବାଂଲାର ରସଗୋଲା’କୁ ଚେନ୍ନାଇରେ ମଙ୍ଗଳବାର ବିରୋଧ କରାଯାଇଛି। ବାଂଲାର ନାଁରେ ମିଳିଥିବା ଭୌଗଳିକ ପରିଚିତ ଅର୍ଥାତ ଜିଆଇ ମାନ୍ୟତାକୁ ଅସିଦ୍ଧ ଘୋଷଣା କରିବା ପାଇଁ ଚେନ୍ନାଇସ୍ଥିତ ଇଣ୍ଟେଲକ୍‌ଚୁଆଲ ପ୍ରପର୍ଟି ଅଫିସରେ ଭୁବନେଶ୍ୱରର ରିଜିଓନାଲ ଡେଭଲପ୍‌ମେଣ୍ଟ ଟ୍ରଷ୍ଟ (ଆରଡିଟି) ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ଅବସରରେ ସାଂସ୍କୃତିକ ଅନୁଷ୍ଠାନ ‘ପୂଣ୍ୟ ଉତ୍କଳ’ ପକ୍ଷରୁ ଲେଖକ ସୁଶାନ୍ତ ଓ ସାହିତ୍ୟ ପ୍ରତିକା ‘ଓଡ଼ିଆ ପର୍ବ’ର ସଂପାଦକ ସନ୍ତୋଷ କୁମାର ସାହୁ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଭୁଲ ତଥ୍ୟ ଉପସ୍ଥାପନ କରି, ମାତ୍ର ଦେଢ଼ ଶହ ବର୍ଷ ତଳେ ସେମାନେ ରସଗୋଲା ଉଦ୍‌ଭାବନ କରିଛନ୍ତି ବୋଲି ଦର୍ଶାଇ, ପଶ୍ଚିମବଙ୍ଗ ଚଞ୍ଚକତା କରି ଭୌଗଳିକ ପରିଚିତ ହାସଲ କରିଛି। ଶ୍ରୀମନ୍ଦିର ଓ ଓଡ଼ିଆ ଜନଜୀବନରେ ୮ଶହ ଓ ହଜାରେ ବର୍ଷ ତଳେ ଯେ ରସଗୋଲା ଥିଲା ଏବଂ ଆମର ପ୍ରାଚୀନ ସାହିତ୍ୟ ଓ ମାଦଳା ପାଞ୍ଜିରେ ସେସବୁ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ୫ଶହ ବର୍ଷ ତଳେ ଭକ୍ତକବି ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲା ସର୍ମ୍ପକରେ ଉଲ୍ଲେଖ ରହିଛି ବୋଲି ଟ୍ରଷ୍ଟ ଦାବି କରିଛି।

ଦାବିପତ୍ର ପ୍ରଦାନ ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ପୁଣ୍ୟ ଉତ୍କଳର ସୁଶାନ୍ତ, ଓଡ଼ିଆ ପର୍ବର ସଂପାଦକ ସନ୍ତୋଷ କୁମାର ସାହୁ ଏବଂ ଚେନ୍ନାଇସ୍ଥିତ ଉତ୍କଳ ଆସୋସିଏସନ୍‌ ଅଫ୍‌ ମାଡ୍ରାସ୍‌ର ସଭାପତି ବିଭୂତି ଭୂଷଣ ବିଷୋୟୀ, କୋଷାଧ୍ୟକ୍ଷ ପଞ୍ଚାନନ ସାହୁ, କାର୍ଯ୍ୟକାରୀ ସଦସ୍ୟ ବିଶ୍ୱଜିତ କାନୁନଗୋ, ସଦସ୍ୟ ଅଶୋକ ସାମନ୍ତ ଏବଂ ବରିଷ୍ଠ ଗୀତିକାର ବିଷ୍ଣୁ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର