ରାଜ୍ୟରେ ବଢ଼ୁଛି ସୂଚନାଧିକାର କର୍ମୀଙ୍କୁ ହତ୍ୟା ଓ ଆକ୍ରମଣ

ଭୁବନେଶ୍ବର : ରାଜ୍ୟରେ ସୂଚନାଧିକାର କର୍ମୀଙ୍କୁ ହତ୍ୟା, ହତ୍ୟା ଧମକ ଓ ଆକ୍ରମଣ ଘଟଣା ବଢ଼ି ଚାଲିଥିବା ବେଳେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ଓଡ଼ିଶା ସୂଚନାଧିକାର ଅଭିଯାନ। ସୂଚନାଧିକାର କର୍ମୀଙ୍କ ହତ୍ୟା ଘଟଣାରେ ରାଜନେତା, ଠିକାଦାର ଓ ମାଫିଆଙ୍କ ସଂପୃକ୍ତି ରହୁଥିବାରୁ ପୁଲିସ ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ଚଳିତ ବିଧାନସଭାରେ ବିରୋଧୀ ଦଳ ନେତା ଘରୋଇ ସଦସ୍ୟ ‘ହ୍ବିସିଲ ବ୍ଲୋୟର ସୁରକ୍ଷା ଆଇନ’ ବିଲ୍ ଆଣିବା ପାଇଁ ଅଭିଯାନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ଆଜି ଅଭିଯାନ ପକ୍ଷରୁ ଲୋହିଆ ଏକାଡେମିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ କହିଲେ, ଗତମାସ ୩୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ସୂଚନାଧିକାର କର୍ମୀ ରଂଜନ ଦାସଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଇତି ମଧ୍ୟରେ ୧୪ ଦିନ ବିତି ଯାଇଥିଲେ ହେଁ ପୁଲିସର ତଦନ୍ତ ବିଶେଷ ଅଗ୍ରଗତି କରିପାରି ନାହିଁ। ଗତ ୧ବର୍ଷ ଧରି ସୂଚନା ଅଧିକାର ଆଇନକୁ ବ୍ୟବହାର କରି ଅନେକ ଦୁର୍ନୀତିକୁ ଲୋକଲୋଚନକୁ ଆଣୁଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗତବର୍ଷ ଡିସେମ୍ବରରେ ପାଟକୁରା ଥାନାରେ ମାମଲା ଦାୟର କରିଥିଲେ। ମାତ୍ର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଗତ ମାସ ୩୧ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାର ଶୁଣାଣି କରି ଲୋକାୟୁକ୍ତ ଗୃହ ସଚିବ, ପୁଲିସ ମହାନିର୍ଦେଶକ ଓ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ୪ ସପ୍ତାହ ଭିତରେ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି।

ସେହିପରି ଗତବର୍ଷ କନ୍ଧମାଳ ଜିଲ୍ଲାର ବିଶିଷ୍ଟ ସୂଚନାଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ତାଙ୍କ ବାସଗୃହ ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ଥିବା ୫ ଜଣଙ୍କୁ ପୁଲିସ ଗିରଫ କରିଥିଲେ ହେଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ଠିକାଦାରଙ୍କୁ ପୁଲିସ ଗିରଫ କରିପାରି ନାହିଁ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ର ତଳସରା ଗ୍ରାମର ସୂଚନାଧିକାର କର୍ମୀ ସୀମାଞ୍ଚଳ ଜେନାଙ୍କୁ ଗତବର୍ଷ କିଛି ଯୁବକ ଟ୍ରାକ୍ଟର ଚଢ଼ାଇ ମାରିଦେବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଅଳ୍ପକେ ବର୍ତି ଯାଇଥିଲେ। ଏହାପରେ ସେ ବେଗୁନିଆପଡ଼ା ଥାନା ଏସ୍‌ପିଙ୍କୁ ଜଣାଇଥିଲେ ହେଁ ପୁଲିସ କ‌ୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ସେହିପରି ସୂଚନାଧିକାର କର୍ମୀ ଶ୍ରୀକାନ୍ତ ପାକଳଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଛି। ଏଭଳି ଘଟଣା ଯୋଗୁଁ ରାଜ୍ୟରେ ସୂଚାନାଧିକାର କର୍ମୀମାନେ ଆତଙ୍କିତ ହୋଇପଡ଼ିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସଂଯୁକ୍ତା ପାଣିଗ୍ରାହୀ, ଶ୍ରୀକାନ୍ତ ପାକଳ, ରାଜକିଶୋର ନାୟକ, ସର୍ବେଶ୍ବର ବେହୁରା ଓ ଅଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର