ବୋମା ମାଡ଼ରେ ସୂଚନା ଅଧିକାର କର୍ମୀ ଆହତ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଇମାମନଗର ଛକ ନିକଟରେ ଆଜି ସୂଚନା କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରା(୫୩)ଙ୍କୁ ବୋମା ମାଡ଼ କରାଯାଇଛି। ଏକ କଳା ଓ ନାଲି ଦୁଇ ରଙ୍ଗ ଥିବା ପଲସରରେ ଆସି ଦୁଇ ଜଣ ଯୁବକ ଶ୍ରୀ ବେହୁରାଙ୍କ କାର୍‌ ଉପରକୁ ବୋମା ମାଡ଼ କରିଥିଲେ। ବୋମା ମାଡ଼ରେ ଶ୍ରୀ ବେହୁରା ଆହତ ହୋଇଥିବା ବେଳେ ତାଙ୍କ ସହଯୋଗୀ ସୁଶାନ୍ତ ବେହେରା(୩୫) ମଧ୍ୟ ଆହତ ହୋଇଛନ୍ତି। ଆହତ ଶ୍ରୀ ବେହୁରାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଖବର ପାଇ ଧର୍ମଶାଳା ‌ଡାକ୍ତରଖାନା ପରିସର ଲୋକାରଣ୍ୟ ହୋଇପଡ଼ିଛି। ଆହତ ଶ୍ରୀ ବେହୁରାଙ୍କୁ କଟକ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଆଜି ରାତି ସାଢ଼ ୯ଟାରେ ଶ୍ରୀ ବେହୁରା, ତାଙ୍କ ସହଯୋଗୀ ସୁଶାନ୍ତ ବେହେରା ଓ ବଳରାମ ଦାସ ଏକ ମାରୁତି ବ୍ରିଜା କାର୍‌ ଓଡି-୦୪ଏନ-୦୦୪୯ ରେ ଇମାମନଗର ଠାରେ ହେଉଥିବା ଅଷ୍ଟପ୍ରହରକୁ ଯାଇଥିଲେ। ସେଠାରୁ ଫେରୁଥିବା ‌ସମୟରେ ହାଇଲେବୁଲ କେନାଲ ବନ୍ଧର ଇମାମନଗର ଛକରେ ଏକ କଳା ଓ ନାଲି ରଙ୍ଗର ପଲସର ବାଇକ୍‌ ଧରି ଛିଡ଼ା ହୋଇଥିବା ଦୁଇଜଣ ଯୁବକ ଶ୍ରୀ ବେହୁରାଙ୍କ କାର୍‌ ଉପରକୁ ଚାରୋଟି ବୋମା ଫିଙ୍ଗିଥିଲେ। ଗୋଟିଏ ବୋମା ତଳେ ପଡ଼ିଥିବା ବେଳେ ଅନ୍ୟ ୩ଟି କାର୍‌ ଉପରେ ପଡ଼ିଥିଲା। ଆଗରେ ବସିଥିବା ଶ୍ରୀ ବେହୁରା ଓ ସୁଶାନ୍ତଙ୍କ ହାତରେ ଆଘାତ ଲାଗିଥିଲା।

ବୋମା ମାଡ଼ରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଆହତ ଶ୍ରୀ ବେହୁରାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ଉଦ୍ୟମ କରାଯାଉଛି। ଖବର ପ୍ରଚାର ହେବା ପରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶହଶହ ବିଜେପି କର୍ମୀ ପହଞ୍ଚିଥିଲେ। ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର