ଅପଡେଟ୍‌ ହେଉନି ଆର୍‌ଟିଆଇ ଓଡ଼ିଶା ୱେବସାଇଟ୍‌, ସୂଚନା ଓ ଲୋକସଂପର୍କ ବିଭାଗର ତାଗିଦ୍ ସତ୍ତ୍ବେ ମାନୁ ନାହାନ୍ତି ବିଭାଗ

ଭୁବନେଶ୍ବର : ସୂଚନା ଅଧିକାର ଆଇନ ଅନୁସାରେ ରାଜ୍ୟର ସମସ୍ତ ବିଭାଗ ନିଜ କାର୍ଯ୍ୟ ସଂପର୍କରେ ‌ଅପଡେଟ୍‌ ତଥ୍ୟ ଉଲ୍ଲେଖ କରିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍‌ଟିଆଇ ଓଡ଼ିଶା ନାଁରେ ୱେବସାଇଟ୍‌ ଖୋଲା ଯାଇଛି। ତେବେ ଏହି ୱେବସାଇଟ୍‌ରେ ବର୍ଷ ବର୍ଷ ଧରି କୌଣସି ତଥ୍ୟ ଅପଡେଟ୍‌ ହେଉନାହିଁ। ରାଜ୍ୟ ସରକାର ଏବେ ‘୫ଟି’ କାର୍ଯ୍ୟକାରୀ କରିଥିବା ବେଳେ ଏଥିରେ ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତାକୁ ଗୁରୁତ୍ବ ଦେଉଛନ୍ତି। ମାତ୍ର ସରକାରଙ୍କ ବିଭାଗ ଏହାକୁ ମାନିବାକୁ ନାରାଜ।

ଆର୍‌ଟିଆଇ ଓଡ଼ିଶା ୱେବସାଇଟ୍‌ରେ ସରକାରଙ୍କ ସମସ୍ତ ବିଭାଗ ୧୭ ପ୍ରକାରର ତଥ୍ୟ ଦେବାକୁ ବାଧ୍ୟ। ଏଥିରେ କାର୍ଯ୍ୟରତ କର୍ମଚାରୀଙ୍କଠାରୁ ଆରମ୍ଭ ସଂପୃକ୍ତ ବିଭାଗର ନୀତି, ଯୋଜନା, କ୍ଷତିପୂରଣ, ବ୍ୟୟ ଅଟକଳ, ପିଆଇଓମାନଙ୍କର ତଥ୍ୟ ଓ ଅନ୍ୟାନ୍ୟ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ ହେବା କଥା। ନିୟମିତ ବ୍ୟବଧାନରେ ଇଂରାଜୀ ଓ ଓଡ଼ିଆ ଭାଷାରେ ଏହାର ଅପଡେଟ୍‌ କରିବା ପାଇଁ ନିୟମ ରହିଛି। ମାତ୍ର କୌଣସି ବିଭାଗ ଏହାକୁ ଅପଡେଟ୍‌ କରୁ ନାହାନ୍ତି। ଏପରିକି କିଛି ବିଭାଗରୁ ଅବସର ଗ୍ରହଣ କରି ସାରିଥିବା ଅଧିକାରୀଙ୍କ ନାଁ ଏବେ ବି ୱେବସାଇଟ୍‌‌ରେ ଗଡ଼ୁଛି। ସୂଚନା ଓ ଲୋକସଂପର୍କ ବିଭାଗ ଏହାର ନୋଡାଲ ଏଜେନ୍ସି ରହିଛି। ତେବେ ବର୍ଷ ବର୍ଷ ଧରି ଆରଟିଆଇ ଓଡ଼ିଶା ୱେବସାଇଟ୍ ଅପଡେଟ୍ ନ ହେବା ବିରୋଧରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ରାଜ୍ୟ ସୂଚନା ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ସମସ୍ତ ବିଭାଗକୁ ଓଡ଼ିଆରେ ତଥ୍ୟ ଉପଲବ୍ଧ କରିବା ପାଇଁ ଦୁଇ ଦୁଇ ଥର ଚିଠି ଲେଖିଥିଲେ ହେଁ ବିଭାଗ ଏହାକୁ ଶୁଣୁ ନାହାନ୍ତି। ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଆରଟିଆଇ ୱେବସାଇଟ୍‌ରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଆରଟିଆଇ ତଥ୍ୟ ଉପଲବ୍ଧ କରିବା ପାଇଁ ଚିଠି ଲେଖିଛି। ଏହା ସତ୍ତ୍ବେ ବିଭାଗ ପକ୍ଷରୁ ନିୟମିତ ବ୍ୟବଧାନରେ ଏହାର ଅପଡେଟ୍‌ କରାଯାଉ ନାହିଁ।

ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ‘୫ଟି’ ଉପରେ ଗୁରୁତ୍ବ ଦେଉଛନ୍ତି। ମାତ୍ର ସରକାରୀ ବିଭାଗଗୁଡ଼ିକ ଏହାକୁ ଗୁରୁତ୍ବ ଦେଉନାହାନ୍ତି। ସୂଚନା ଆୟୋଗଙ୍କ ନିକଟରେ ଏ ନେଇ ଅଭିଯୋଗ କରିବା ପରେ ଆୟୋଗ ମଧ୍ୟ ସବୁ ବିଭାଗକୁ ତଥ୍ୟ ଅପଡେଟ୍‌ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ମାତ୍ର ଏହା କାର୍ଯ୍ୟକାରୀ କରାଯାଉନଥିବା ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର