କୋହଳ କଲେ ପରିବହନ କମିସନର : ଇ-ମେଲ୍‌ରେ ସରେଣ୍ଡର କରିବେ ଗାଡ଼ି, ଆର୍‌ଟିଓ କାଉଣ୍ଟର ୧୨ଟା ୩୦ରେ ବନ୍ଦ

କଟକ : ଲକ ଡାଉନ ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏ ଜାରି ରହିବ। ଏଭଳି ସ୍ଥିତିରେ ଆରଟିଓ କାଉଣ୍ଟରରେ କଟକଣା ଲାଗିଥିବାରୁ କମରସିଆଲ ଭେଇକିଲ ମାଲିକ ନିଜ ଗାଡ଼ି ସରେଣ୍ଡର କରିବାକୁ ଚାହୁଁଥିଲେ ଇ-ମେଲ ମାଧ୍ୟମରେ ନିକଟସ୍ଥ ଆରଟିଓଙ୍କୁ ଅବଗତ କରିପାରିବେ। ଏଥିପାଇଁ ଆରଟିଓ ଅଫିସ ଆସିବାକୁ ପଡ଼ିବ ନାହିଁ। ଲକ ଡାଉନ ଉଠିବାର ୧୫ ଦିନ ଭିତରେ ସମ୍ପୃକ୍ତ ଗାଡ଼ିର ସମସ୍ତ ମୂଳ କାଗଜପତ୍ର ଆରଟିଓ ଅଫିସରେ ଦାଖଲ କରିପାରିବେ ବୋଲି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟର ମୋଟ ୩୮ଟି ଆରଟିଓ ଅଫିସରେ ଏଣିକି କ୍ୟାସ କାଉଣ୍ଟର ଦିନ ୧୦ଟାରୁ ୧୨ଟା ୩୦ ଯାଏ ଖୋଲାଯିବ। ଏଥିରେ କେବଳ ନୂଆ ଗାଡ଼ି ପଞ୍ଜୀକରଣ, ପରମିଟି, ଫିଟନେସ ସଂକ୍ରାନ୍ତ ଦେୟ ପୈଠ କରାଯିବ। ପୁରୁଣା ଗାଡ଼ିର କେବଳ ଟ୍ୟାକ୍ସ ଦାଖଲ କରିପାରିବେ ଗାଡ଼ି ଚାଳକ। ଗୋଟିଏ କାଉଣ୍ଟରରେ ଏ ସମସ୍ତ କାର୍ଯ୍ୟ କରାଯିବ। ମୋଟ କର୍ମଚାରୀଙ୍କ ୧୦ ପ୍ରତିଶତ ମାନବ ସମ୍ବଳରେ କିଭଳି କାର୍ଯ୍ୟ କରାଯାଇପାରିବ, ସେ ନେଇ ପରିବହନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଦୁଇଟି ପର୍ଯ୍ୟାୟରେ ଆରଟିଓ କର୍ମଚାରୀ ଅଫିସକୁ ଆସିବେ। କିନ୍ତୁ ଚାଳକଙ୍କ କୌଣସି ପ୍ରକାର ଅଭିଯୋଗ ଶୁଣାଣି କରାଯିବ ନାହିଁ। ଭିଡ଼ ଯୋଗୁ ସଂକ୍ରମଣ ଆଶଙ୍କା ଥିବାରୁ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି।

ଅନ୍ୟପଟେ ଗଲାକାଲି ପ୍ରଧାମନ୍ତ୍ରୀ ଦେଶବ୍ୟାପୀ ୨୧ ଦିନ ଲକ ଡାଉନ ଘୋଷଣା କରିଥିବାରୁ ବସ, ଟ୍ରକ ଭଳି କମର୍ସିଆଲ ଭେଇକିଲ ମାଲିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ଯେଉଁମାନେ ନିଜ ଗାଡ଼ି ସରେଣ୍ଡର କରିବାକୁ ଇଚ୍ଛୁକ ଥାନ୍ତି, ସେମାନେ ପୂର୍ବ ମାସର ଶେଷ ତାରିଖ ସୁଦ୍ଧା ଗାଡ଼ିର ଓରଜିନାଲ୍ ଆରସି, ପରମିଟ, ଫିଟନେସ ଦାଖଲ କରିବାର ନିୟମ ରହିଛି। ନଚେତ ପର ମାସ ପାଇଁ ଟ୍ୟାକ୍ସ ଭରିବାକୁ ପଡ଼ିଥାଏ। କିନ୍ତୁ ଆରଟିଓ କାଉଣ୍ଟରରେ କଟକଣା ଲାଗୁ ହୋଇଥିବାରୁ କୋହଳ କରିଛି ପରିବହନ ବିଭାଗ। ପରିବହନ ବିଭାଗ ଓ୍ବେବସାଇଟରୁ ଫର୍ମ-ଏଚ୍ ଡାଉନଲୋଡ କରି ଗାଡ଼ି ମାଲିକ ପୂରଣ କରିବେ। ଏହାକୁ ନିଜ ଅଞ୍ଚଳର ଆରଟିଓଙ୍କୁ ମେଲ ଯୋଗେ ସରେଣ୍ଡର ସଂକ୍ରାନ୍ତରେ ଅବଗତ କରାଯିବ। ଲକ ଡାଉନ ପ୍ରତ୍ୟାହାର ହେବାର ୧୫ ଦିନ ମଧ୍ୟରେ ଗାଡ଼ିର ସମସ୍ତ ଓରଜିନାଲ କାଗଜପତ୍ର ଆରଟିଓ ଅଫିସରେ ଦାଖଲ ସଂକ୍ରାନ୍ତରେ ମଧ୍ୟ ଗାଡ଼ି ମାଲିକ ଏକ ସ୍ବୀକାରୋକ୍ତି ଉକ୍ତ ମେଲରେ ସଂଯୋଗ କରିବେ। ଗାଡ଼ି ମାଲିକ ଗାଡ଼ି କିଣିଲା ସମୟରେ ଯେଉଁ ମେଲ୍ ଆଇଡି ଦେଇଥିଲେ, ଉକ୍ତ ମେଲ୍ ଆଇଡିରୁ ଗାଡ଼ି ସରେଣ୍ଡର ପାଇଁ ମେଲ କରିପାରିବେ। ଉପରୋକ୍ତ ଦୁଇଟି ନିୟମ ଖିଲାପ କଲେ ଗାଡ଼ି ସରେଣ୍ଡର ପାଇଁ କରାଯାଇଥିବା ଆବେଦନକୁ ଗ୍ରହଣ କରାଯିବ ନାହିଁ। ରାଜ୍ୟର ସମସ୍ତ ଆରଟିଓଙ୍କ ପୃଥକ ମେଲ ଆଇଡି ଥିବାରୁ ସେଗୁଡ଼ିକ ସମସ୍ତ ବସ ଏବଂ ଟ୍ରକ ଆସୋସିଏସନକୁ ମେଲ କରି ଅବଗତ କରିଦିଆଯାଇଥିବା ପରିବହନ କମିସନର ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର