ଯାଜପୁର : ପାଣିକୋଇଲି ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥର ଶୁଳିଆରେ ଆଜି ବିଳମ୍ବିତ ରାତିରେ ଟ୍ରକ୍ ଚାପାରେ ଯାଜପୁର ଟାଉନ୍ ଆର୍ଟିଓ ମନୋଜ ବେହେରାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଆର୍ଟିଓ ଓ ତାଙ୍କ ସହଯୋଗୀ ଲଘୁ ଖଣିଜ ସମ୍ପଦ ଚୋରା କାରବାରର ତନଖି କରୁଥିଲା ବେଳେ ଏହି ଘଟଣା ଘଟିଛି। ଟ୍ରକ୍ ଚକା ତଳେ ତାଙ୍କ ଶରୀର ବାଟି ହୋଇଯାଇଛି। ଜାଣିଶୁଣି ତାଙ୍କ ଉପରେ ଟ୍ରକ୍ ମଡ଼ାଇ ତାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ରବିବାର ମଧ୍ୟରାତ୍ରିରେ ପାଣିକୋଇଲି ନିକଟ ଶୁଳିଆରେ ଆର୍ଟିଓ ଶ୍ରୀ ବେହେରା ଓ ତାଙ୍କ ଟିମ୍ ଜାତୀୟ ରାଜପଥରେ ବେଆଇନ୍ ଚିପ୍ସ, ବୋଲ୍ଡର୍, ବାଲି ଆଦି ଲଘୁ ଖଣିଜ ସମ୍ପଦ ଚାଲାଣର ତନଖି ପାଇଁ ଯାଇଥିଲେ। ସେଠାରେ ସନ୍ଦେହଜନକ ପରିସ୍ଥିତିରେ ତାଙ୍କ ଶବ ମିଳିଛି। ଏକ ଟ୍ରକ୍ ଚକାତଳେ ତାଙ୍କ ଖଣ୍ଡବିଖଣ୍ଡିତ ଶବ ମିଳିଛି। ତାଙ୍କ ସହ ଥିବା ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିବା କୁହାଯାଉଛି। ଘଟଣା ସଂପର୍କରେ ଜଣାପଡ଼ିବା ପରେ ଯାଜପୁର ଏସ୍ପି ଚରଣ ସିଂ ମିନା, ତହସିଲଦାର ସପନ ନନ୍ଦ, ପାଣିକୋଇଲି ଆଇଆଇସି ଶରତ ପାତ୍ର, କୋରେଇ ଆଇଆଇସି ଚିନ୍ମୟ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଘଟଣାସ୍ଥଳରେ ଥିବା କିଛି ଟ୍ରକ୍ ଡ୍ରାଇଭରଙ୍କ କହିବା ମୁତାବକ, ଆର୍ଟିଓ ଶ୍ରୀ ବେହେରା ସେହି ରାସ୍ତାରେ ଯାଉଥିବା ଏକ ଚିପ୍ସ ବୋଝେଇ ଟ୍ରକ୍ (ଓଡି୦୧କେ୫୫୭୭)କୁ ଅଟକାଇ ତନଖି କରୁଥିଲେ। ଏହି ସମୟରେ ଉକ୍ତ ଟ୍ରକ୍ ପଛରେ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ଚିପ୍ସ ବୋଝେଇ ଟ୍ରକ୍ (ଓଡି୦୪ଜେ୯୪୭୫) ଧକ୍କା ଦେଇଥିଲା। ଫଳରେ ପ୍ରଥମ ଟ୍ରକ୍ଟି ଶ୍ରୀ ବେହେରାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ତେବେ ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖିଲେ ଘଟଣା ଅନ୍ୟ ପ୍ରକାରର ବୋଲି ସନ୍ଦେହ ସୃଷ୍ଟି ହେଉଛି। ପଥର ମାଫିଆମାନେ ଯୋଜନାବଦ୍ଧ ଭାବେ ଆର୍ଟିଓଙ୍କୁ ଟ୍ରକ୍ ଚଢ଼ାଇ ହତ୍ୟା କରିଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ପୁଲିସ୍ ତନାଘନା ଚଳାଇଥିବା ବେଳେ ଏ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ।