ବୌଦ୍ଧରେ ଘରୋଇ ବସକୁ ୭ ଲକ୍ଷ ଟଙ୍କାର ଜରିମାନା କଲା ପରିବହନ ବିଭାଗ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପୁଣି ଏକ ଯାତ୍ରୀବାହୀ ବସକୁ ପକାଇଛି ବଡ଼ ଫାଇନ। ଖୁଣ୍ଟିଗୋରା ରୁ ବରଗଡ଼ ଯାଉଥିବା ବୁଢ଼ୀମା ଗାଡି ନମ୍ବର ଓଆର ୦୩ବି୬୧୮୫କୁ ୭ ଲକ୍ଷ ୭ ହଜାର ୨୩୦ ଟଙ୍କାର ଜରିମାନା କରାଯାଇଛି । ଗୁରୁବାର ବସଟି ବରଗଡରୁ ବାହାରି ଖୁଣ୍ଟିଗୋରା ଯାଉଥିବାବେଳେ ଘଣ୍ଟାପଡାଠାରେ ଆଞ୍ଚଳିକ ପରିବହନ ଅଧିକାରୀ ଭାଗୀରଥି ନାୟକଙ୍କ ନେତୃତ୍ୱରେ ଗାଡିକୁ ଧରି ସଂଶୋଧିତ ପରିବହନ ଆଇନ ଉଲଂଘନ ଓ ଅନ୍ୟାନ୍ୟ ବାବଦ ଫାଇନ ପକାଯିବା ସହ ଗାଡିକୁ ଜବତ କରାଯାଇଛି। ୭ଟି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ବାବଦ ମୋଟ୍‌ ୭ ଲକ୍ଷ ୭ ହଜାର ୨୩୦ ଟଙ୍କାର ଜରିମାନା କରିବା ସହ ଗାଡ଼ିଟିକୁ ଜବତ କରାଯାଇଥିବା ଆରଟିଓ କହିଛନ୍ତି।

ଆରଟିଓଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଳାଚଳ ପାଇଁ ୫ ହଜାର ଟଙ୍କା, ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଡ୍ରାଇଭର ଗାଡି ଚଳାଉଥିବାରୁ ୫ ହଜାର ଟଙ୍କା, ପ୍ରଦୂଷଣ ପାଇଁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି | ଏହା ବ୍ୟତୀତ ଏହି ବସ୍‌ର ଓଡ଼ିଶା ମୋଟର ଯାନ ଟିକସ ବାବଦ ୬ ଲକ୍ଷ ୭୪ ହଜାର ୭୩୦ ଟଙ୍କା ବକେୟା ରହିଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ କିଛି ଦିନ ତଳେ ବୌଦ୍ଧ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜାତୀୟ ରାଜପଥ ୫୭ସ୍ଥିତ ନୂଆପଡ଼ାଠାରେ ଯାଞ୍ଚ ଚାଲିଥିବା ବେଳେ ଭୁବନେଶ୍ବରରୁ ‌ବୌଦ୍ଧକୁ ଚଳାଚଳ କରୁଥିବା ‘ମିନାର’ ନାମକ ଯାତ୍ରୀବାହୀ ବସ୍‌ ମୋଟର ଯାନ ଆଇନ ଉଲ୍ଲଂଘନ କରିଥିବା ଜଣାପଡ଼ିଥିଲା। ୫ଟି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ବାବଦ ମୋଟ୍‌ ୬ଲକ୍ଷ ୭୨ହଜାର ୪୪୫ଟଙ୍କାର ଜରିମାନା କରିବା ସହ ଗାଡ଼ିଟିକୁ ଜବତ କରାଯାଇଥିଲା |

ସମ୍ବନ୍ଧିତ ଖବର