ଭୁବନେଶ୍ୱରରେ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ ସିଜ୍ କଲା ପରିବହନ ବିଭାଗ

ଦ୍ୱିତୀୟ ଦିନରେ ଟ୍ରାଫିକ ଚେକିଂ ଜୋରଦାର

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ବି ଜୋରଦାର ଚାଲିଛି ଟ୍ରାଫିକ୍ ଚେକିଂ । ଆଜି ପରିବହନ ବିଭାଗ ଭୁବନେଶ୍ୱରରେ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ ସିଜ୍ କରିଥିବା ଜଣାଯାଇଛି । ଉଭୟ ଗାଡ଼ିକୁ ୨୫ ହଜାର ୫ଶହ ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ବୈଧ ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ୍ ନ ଥିବାରୁ ଗାଡ଼ିକୁ ଫାଇନ୍ କରାଯାଇଛି । ଗାଡ଼ି ଦୁଇଟିର ରେଜିଷ୍ଟ୍ରେସନ୍ ଓ ଫିଟନେସ୍ ସାର୍ଟିଫିକେଟ୍ ନଥିବାରୁ ୫ହଜାର, ପ୍ରଦୂଷଣ ପାଇଁ ୧୦ ହଜାର ଓ ପରମିଟ୍ ନ ଥିବାରୁ ୧୦ ହଜାର ଟଙ୍କାର ଚାଲାଣ କଟାଯାଇଛି ।

ଅନ୍ୟପଟେ, ଗତକାଲିଠୁ ଟ୍ରାଫିକ୍ ଆଇନକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଆଜିଠୁ  ଅସଲ ତନଖି ଆରମ୍ଭ ହୋଇଛି । ଆଜି ସୋମବାର ଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ବିଭିନ୍ନ ସଂସ୍ଥାର କାର୍ଯ୍ୟାଳୟ ଖୋଲା ରହିଛି । ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବଢ଼ିଛି । ତେଣୁ ଆଜିଠାରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସହରରେ ଟ୍ରାଫିକ୍ ଚେକିଂକୁ ଅଧିକ କଡ଼ାକଡ଼ି କରାଯାଇଥିବା ଜଣାଯାଇଛି । ଜାତୀୟ ରାଜପଥ ଓ ଅନ୍ୟ ରାଜପଥ ସହ ସହରର ଗଳିକନ୍ଦିରେ ଆଜି ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଚେକିଂ । ପ୍ରଥମ ଦିନରେ ରଙ୍ଗରୁଟରେ ଗାଡ଼ି ଚଳାଇବା ଓ ହେଲମେଟ ପିନ୍ଧିବା ଉପରେ ଫୋକସ୍ କରିଥିବା ଟ୍ରାଫିକ ପୁଲିସ ଆଜି ଦ୍ୱିତୀୟ ଦିନରେ ଟ୍ରିପିଲ ରାଇଡିଂ ଓ ମୋବାଇଲରେ ଗପିବା ଉପରେ ଫୋକସ୍ କରୁଥିବା ଜଣାଯାଇଛି ।

ତେବେ ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ୯ଟା ସୁଦ୍ଧା ୧୬ଶହ ୫୦ ଜଣ ନିୟମ ଖିଲାପକାରୀଙ୍କ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍ । କଟକରେ ସର୍ବାଧିକ ୨୩୫ ଜଣ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍ । ସେହିପରି ବାଲେଶ୍ୱର ଜିଲ୍ଲାରେ ୧୫୫, ସମ୍ବଲପୁର ଜିଲ୍ଲାରେ ୧୧୯, ବରଗଡ଼ ଜିଲ୍ଲାରେ ୧୦୪, ଗଞ୍ଜାମ ଜିଲ୍ଲାରେ ୯୨ ଏବଂ କୋରାପୁଟ ଜିଲ୍ଲାରେ ୮୪ ଜଣଙ୍କ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍ ।

 

ସମ୍ବନ୍ଧିତ ଖବର