ଭଦ୍ରକ ଜିଲ୍ଲାରେ ଡ୍ରାଇଭିଂ ଲାଇସେନ୍ସ ଲାଗି ୪୧ ହଜାର ଚାଳକଙ୍କ ନାମ ପଂଜିକରଣ; ୧୩ ହଜାର ଚାଳକଙ୍କୁ ମିଳିଛି ଲାଇସେନ୍ସ, ଲାଇସେନ୍ସ ପାଇବାକୁ ପୁଣି ଲାଗିଲାଣି ଭିଡ

ଭଦ୍ରକ : ରାଜ୍ୟ ସରକାର ୨୦୧୯ ମସିହା ସେପ୍ଟେମ୍ବର ମାସ ୧ ତାରିଖଠାରୁ ମୋଟର ଯାନ ଆଇନକୁ କଡାକଡି କରିଛନ୍ତି। ଆଇନ୍ କଡାକଡି କରିବା ପରେ ସେତେବେଳେ ରାଜ୍ୟସାରା ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୩ ମାସ ପାଇଁ ଆଇନ୍ କୋହଳ ହୋଇଥିଲା। ଗତ ଡିସେମ୍ବର ମାସରେ ଆଇନକୁ କଡାକଡି କରିବାକୁ ସରକାର ପ୍ରସ୍ତୁତ ହେବା ବେଳେ ମଧ୍ୟ ଅନୁରୂପ ଭାବେ ଲୋକଙ୍କର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସରକାର ଏଇ ଆଇନକୁ କୋହଳକରି ୨୦୨୦ ମାର୍ଚ୍ଚ ୧ ତାରିଖରେ ଆଇନକୁ କଡାକଡି କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟ ସରକାର ମୋଟର ଯାନ ଚଳାଚଳ ଆଇନକୁ କଡାକଡି କରିବା ଘୋଷଣା ପରେ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହେଲାଣି। ମୋଟର ଯାନ ଆଇନ୍ ଭିତରେ ମୁଖ୍ୟତଃ ଡ୍ରାଇଭିଂ ଲାଇସେନ୍ସ, ଗାଡିର ପଲ୍ୟୁସନ୍ ଫିଟନେସ୍ ଓ ଆରଟିଓ ଅଫିସରେ ଗାଡିର ପଂଜିକରଣ ଉପରେ ଗୁରୁତ୍ବ ଦିଆଯାଉଛି। ବିନା ଫିଟନେସ୍ ଓ ବିନା ଲାଇସେନ୍ସରେ ଗାଡିଚାଳନା କରୁଥିବା ଲୋକ ଓଡ଼ିଶାରେ ବେଶୀ। ଏହା ପଛରେ ମୂଳ କାରଣ ହେଉଛି। ଓଡ଼ିଶାରେ ପରିବହନ ବିଭାଗର ଭିତ୍ତିଭୂମିର ଅଭାବ ଓ ଆବଶ୍ୟକ କର୍ମଚାରୀଙ୍କର ଅଭାବ। ଏଇସବୁ କାରଣରୁ ଆରଟିଓ ଅଫିସଗୁଡିକରେ ଲୋକଙ୍କର କାର୍ଯ୍ୟ ସୂଚାରୁ ରୂପେ ହୋଇପାରୁ ନାହିଁ।

ବର୍ଷ ବର୍ଷ ଧରି ଲୋକମାନେ ଲାଇସେନ୍ସଟିଏ ପାଇଁ ଦୌଡି ଦୌଡି ନୟାନ୍ତ ହେଉଥିଲେ। ଦଲାଲଙ୍କୁ ନଧରିଲେ କାମ ହେଉ ନଥିଲା। ଏବେ ସେସବୁ ଯନ୍ତ୍ରଣାରୁ ଲୋକେଳ ରକ୍ଷା ପାଇଥିଲେ ମଧ୍ୟ ଆରଟିଓ ଅଫିସରେ ଲାଇସେନ୍ସ ପ୍ରଦାନରେ ଥିବା କଡା କଟକଣା ମଧ୍ୟ ଲୋକଙ୍କୁ ଅତିଷ୍ଟ କରୁଛି। ମାର୍ଚ୍ଚରୁ ମୋଟର ଯାନ ଆଇନ କଡାକଡି ହେବା ଶୁଣିବା ପରେ ପୁଣି ଭଦ୍ରକ ଆରଟିଓ ଅଫିସରେ ଲାଇସେନ୍ସ ପାଇଁ ଭିଡ ଜମିଲାଣି। ପ୍ରତିଦିନ ଏବେ ଆରଟିଓ ଅଫିସରେ ଶହ ଶହ ଲୋକ ଲାଇସେନ୍ସ ଓ ରେଜିଷ୍ଟ୍ରେସନ୍ ଲାଗି ଡେରା ପକାଉଛନ୍ତି। ସହରରେ ଥିବା ୮ଟି ପଲୁସନ୍ ଟେଷ୍ଟିଂ ସେଣ୍ଟରଗୁଡିକରେ ମଧ୍ୟ ଲୋକଙ୍କର ଭିଡ ଜମୁଛି।

ସୂଚନାରୁ ପ୍ରକାଶ ଯେ, ଆରଟିଓ କାର୍ଯ୍ୟାଳୟରେ ଏବେ ସୁଦ୍ଧା ୪୧ ହଜାରରୁ ଉର୍ଦ୍ଧ୍ବ ଲୋକ ଡ୍ରାଇଭିଂ ଲାଇସେନ୍ସ ଲାଗି ଆବେଦନ କରିଛନ୍ତି। ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ଲର୍ଣ୍ଣିଂଲାଇସେନ୍ ପାଇଥିବା ବେଳେ ଫାଇନାଲ ଡ୍ରାଇଭିଂ ଲାଇସେନ୍ସ ପାଇ ନାହାନ୍ତି। ଗତ ୨୦୧୮ସେପ୍ଟମ୍ବର ମାସରୁ ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଭଦ୍ରକ ଆରଟିଓ ଅଫିସରେ ୫, ୩୩୮ଜଣ ବ୍ୟକ୍ତି ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪,୧୬୬ ଜଣଙ୍କୁ ଫାଇନାଲ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ଏହି ସମୟରେ ମଧ୍ୟରେ ଜିଲ୍ଲାରେ ୩୧୦୦ଟି ଗାଡିର ପଲ୍ୟୁସନ୍ ଟେଷ୍ଟିଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ନୂଆ ମୋଟର ଯାନ ଆଇନ୍ ପରେ ବ୍ୟାପକ ପରିବର୍ତ୍ତନ ହୋଇଛି। ନିଜର ଡ୍ରାଇଭିଂ ଲାଇସେନସ ଠାରୁ ଆରମ୍ଭକରି ଗାଡିର ଇନସ୍ୟୁରାନସ୍, ପଲୁସନ୍ ପ୍ରମାଣପତ୍ର, ଗାଡି ପଂଜିକାଣ ଓ ନବୀକରଣ କ୍ଷେତ୍ରରେ ଲୋକେ ଅଧିକ ସଚେତନ ହୋଇଛନ୍ତି।ଏ କ୍ଷେତ୍ରରେ ମଧ୍ୟ ଆରଟିଓ ଅଫିସ୍ ପକ୍ଷରୁ ସହଯୋଗ ମିଳିଛି। ଡ୍ରାଇଭିଂ ଲାଇସେନ୍ସ ପାଇବା କ୍ଷେତ୍ରରେ ବିନା ଦଲାଲଙ୍କ ସହାୟତାରେ ଲୋକମାନେ ଆରଟିଓ ଅଫିସରେ ନିଜର ନାମ ପଂଜିକରଣ କରିବା ସହ ଲାଇସେନ୍ସ ପାଇପାରୁଛନ୍ତି। ଏବେସୁଦ୍ଧା ଜିଲ୍ଲାରେ ୪୧ ହଜାରରୁ ଉର୍ଦ୍ଧ୍ବ ଲୋକ ଲାଇନେସ୍ ପାଇଁ ସେମାନଙ୍କର ନାମ ପଂଜିକରଣକରି ଫାଇନାଲ ଲାଇସେନ୍ସକୁ ଅପେକ୍ଷା କରିଛନ୍ତି।

ଏହା ଭିତରେ ଜିଲ୍ଲାରେ ୧୧ହଜାର୭ ଶହ ଜଣଙ୍କୁ ଫାଇନାଲ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି।ଜିଲ୍ଲାରେ ଏକ ଲକ୍ଷ ୧୫ ହଜାର ୨୨୬ଜଣଙ୍କୁ ପଲ୍ୟୁସନ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ୫୨୦ରୁ ଉର୍ଦ୍ଧ୍ବ ଗାଡି ମାଲିକ ସେମାନଙ୍କର ଗାଡିର ପଂଜିକରଣ କରିଥିବା ଜଣାପଡିଛି। ଗାଡି ଚଳାଚଳ କରିବା କ୍ଷେତ୍ରରେ ଡ୍ରାଇଭିଂ ଲାଇସେନ୍ସ ଉପରେ କଡାକଡି ଆଇନ କରାଯାଇଥିବା ବେଳେ ବିନା ଲାଇସେନ୍ସରେ ବାଇକ୍ ଚଳାଇବା ଅପରାଧ ଓ ଏଥିପାଇଁ ଅଧିକ ଜୋରିମାନା ଦେବାକୁ ସରକାର ଡରାଇବା ଆରମ୍ଭ କରିଛନ୍ତି। ଯେଉଁମାନଙ୍କର ଗାଡି ଫିଟନେସ୍ କାଗଜପ୍ରତ ନାହିଁ, ଡ୍ରାଇଭିଂ ଲାଇସେନ୍ସ ନାହିଁ, ସେମାନେ ମାର୍ଚ୍ଚ ୧ରୁ ଯାଞ୍ଚ ପ୍ରକ୍ରିୟାକୁ ଶଙ୍କାଗ୍ରସ୍ତ ହେଲେଣି। ଆଗାମୀ ଦିନର ଯାଞ୍ଚ ପ୍ରକ୍ରିୟାକୁ ନେଇ ଜିଲ୍ଲା ପରିବହନ ଅଧିକାରୀ ବିରଞ୍ଚିନାରାୟଣ ଅଧିକାରୀ ନିଜ ପ୍ରତିକ୍ରିୟାରେ କହନ୍ତି, ଲୋକମାନଙ୍କୁ ଆରଟିଓ ଅଫିସ୍ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି। ଯେଉଁମାନେ ଲର୍ଣ୍ଣିଂ ଲାଇସେନ୍ସ ପାଇଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ଫାଇନାଲ ଲାଇସେନ୍ସ ଯୋଗାଇ ଦିଆଯିବ। କିନ୍ତୁ ଯେଉଁ ଲୋକମାନଙ୍କର ଗାଡି ଫିଟନେସ୍ ନାହିଁ କିମ୍ବା ଗାଡି ପଂଜିକରଣ ନକରି ଚଳାଉଛନ୍ତି ସେମାନଙ୍କଠାରୁ ଫାଇନ୍ ଆଦାୟ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର