ପୁରୀ : କେନ୍ଦ୍ର ସରକାରଙ୍କ ନୂଆ ମୋଟର ଯାନ ଆଇନ ଏବେ ପରିବହନ କାର୍ଯ୍ୟାଳୟ ପାଇଁ ଆଶୀର୍ବାଦ ହୋଇଛି। ବର୍ଷ ବର୍ଷ ଧରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡିକ ଯେତିକି ରାଜସ୍ବ ଆଦାୟ କରୁଥିଲେ ଏବେ ଦିନ କେଇଟାରେ ସେମାନଙ୍କର ରାଜସ୍ବ ୫ ଗୁଣା ବଢିଯାଇଛି। ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ମାସକୁ ହାରାହାରି ଭାବେ ୨୦ରୁ ୨୫ ଲକ୍ଷ ପର୍ଯ୍ୟନ୍ତ ରାଜସ୍ବ ଆଦାୟ କରୁଥିଲା। ମାତ୍ର ନୂଆ ମୋଟର ଯାନ ଆଇନ, କଟକଣା ଓ ଜରିମାନା ଆଦାୟ ପରେ ହଠାତ ଏହି ଆୟ ବଢିଛି। ସେପ୍ଟେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ପୁରୀ ଆରଟିଓ ୧ କୋଟି ୩୩ ଲକ୍ଷ ୨୯ ହଜାର ରାଜସ୍ବ ଆଦାୟ କରିଥିବା ଜଣାପଡିଛି। ମାସ ପୂରିବାକୁ ଆହୁରି ୧୩ ଦିନ ବାକି ଅଛି। ଏହି ହାରରେ ରାଜସ୍ବ ଆଦାୟ ହେଲେ ୨ କୋଟି ଟପିଯିବ ବୋଲି ଆକଳନ କରାଯାଉଛି।
ତେବେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଡିଏଲ୍ (ଡ୍ରାଇଭିଂ ଲାଇସେନସ୍) ଆବେଦନ ସଂଖ୍ୟା ଶହେ ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ମାସକୁ ହାରାହାରି ଦୁଇ ଶହ ଡିଏଲ୍ ଆବେଦନ ହେଉଥିଲା। ଏବେ ନୂଆ ଆଇନ ଲାଗୁ ହେବା ପରେ ଗତ ୧୫ ଦିନ ମଧ୍ୟରେ ପୁରୀ ଆରଟିଓରେ ୧୨ ହଜାର ୭୦୦ ଡ୍ରାଇଭିଂ ଲାଇସେନସ୍ ପାଇଁ ଆବେଦନ କରାଯାଇଥିବା ଜଣାପଡିଛି। ସେଥିରୁ ୬ ହଜାର ଆବେଦନକାରୀଙ୍କୁ ଲର୍ଣ୍ଣିଂ ଲାଇସେନସ୍ ଇସ୍ୟୁ କରଯାଇଛି। କଟକଣା ଲାଗୁ ହେବାର ପ୍ରଥମ ୬ ଦିନରେ ଟିକସ ଓ ଜରିମାନା ବାବଦରେ ୧୪ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ପୁରୀ ଏମ୍ଭିଆଇ ସୂଚନା ଦେଇଛନ୍ତି। ପୁରୀ ଜିଲ୍ଲାରେ ଏକ ମଇଁଷି ନେଉଥିବା କଣ୍ଟେନର୍ ଗାଡିରୁ ସର୍ବାଧିକ ୩୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ରାଜସ୍ବ ବଢୁଥିଲେ ମଧ୍ୟ ପୁରୀ ଆରଟିଓରେ ବର୍ତ୍ତମାନ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। କେବଳ ଡିଏଲ୍ ଆବେଦନ ଓ ଫଟୋ ଉଠା ପାଇଁ ପ୍ରତିଦିନ ୮ ଶହରୁ ୧ ହଜାର ଲୋକଙ୍କ ଲମ୍ବାଧାଡି ଲାଗୁଛି। ପୂର୍ବାହ୍ନ ୧୦ଟାରେ ଲମ୍ବା ଧାଡିରେ ଠିଆ ହୋଇ ରହୁଥିବା ଜଣେ ଆବେଦନକାରୀଙ୍କ ପାଳି ପ୍ରାୟ ୪ ଘଣ୍ଟା ପରେ ଯାଇ ପଡୁଛି। ବରିଷ୍ଠ ନାଗରିକଙ୍କୁ ମଧ୍ୟ ଲମ୍ବା ଧାଡିରେ ଠିଆ ହେବାକୁ ପଡୁଛି। ଲମ୍ବାଧାଡିରେ ଘଣ୍ଟା ଘଣ୍ଟା ଠିଆ ହୋଇ ରହୁଥିବା ଆବେଦନକାରୀ ଝାଳରେ ବୁଡିଯାଉଛନ୍ତି। ସେମାନଙ୍କ ସୁବିଧା ପାନୀୟ ଜଳ କିମ୍ବା ପଙ୍ଖାର କୌଣସି ବ୍ୟବସ୍ଥା ହୋଇନାହିଁ।
ଏହାଛଡ଼ା ଆରଟିଓ କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ନଥିବାରୁ ଅଧିକ କାଉଣ୍ଟର ଖୋଲା ଯାଇପାରୁନାହିଁ। ଏଭଳି ଘଡିସନ୍ଧି ସମୟରେ ଆରଟିଓ ପଦବି ଖାଲି ପଡିଛି। ଗତ ଜୁଲାଇ ମାସରୁ ଏହି ପଦବି ଖାଲି ପଡିଥିଲେ ମଧ୍ୟ ଏହାକୁ ପୂରଣ କରାଯାଉନାହିଁ। ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କୁ ଏହାର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଶ୍ରୀ ସାହୁ ଏକାଧିକ ଦାୟିତ୍ବରେ ରହିଥିବା ବେଳେ ଉଚ୍ଛେଦ କାର୍ଯ୍ୟ ତଦାରଖ କରୁଛନ୍ତି। ସେଥିରୁ ସମୟ ବାହାର କରି ସେ ଆରଟିଓ ଅଫିସ କଥା ବୁଝୁଥିଲେ ବି ପର୍ଯ୍ୟାପ୍ତ ସମୟ ଦେଇ ପାରୁନାହାନ୍ତି। ଅବଶ୍ୟ ଆରଟିଓ ଅଫିସରେ ଅବ୍ୟବସ୍ଥା ସୁଧାରିବାକୁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି। ଶନିବାର, ରବିବାର ଓ ଛୁଟି ଦିନରେ କାମ ହେଉଛି। କର୍ମଚାରୀମାନେ ରାତି ୧୦ଟା ପର୍ଯ୍ୟନ୍ତ କାମ କରୁଥିଲେ ମଧ୍ୟ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି।