କଟକ: ରାଜ୍ୟରେ ଏବେ ୮୫ଲକ୍ଷରୁ ଅଧିକ ଗାଡ଼ି ଚଳାଚଳ କରୁଛି। ଏହି ଗାଡ଼ିଗୁଡ଼ିକ ମୋଟର ଯାନ ଆଇନ ଭାଙ୍ଗିଲେ ଯାଞ୍ଚ ପାଇଁ ପରିବହନ ବିଭାଗରେ ଆବଶ୍ୟକତା ଅନୁଯାୟୀ ଅଧିକାରୀ ଓ କର୍ମଚାରୀ ନାହାନ୍ତି। ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ ଅଫ୍ ଟ୍ରାଫିକ୍‌ରୁ କନଷ୍ଟେବଳ ପର୍ଯ୍ୟନ୍ତ ମୋଟ ମଞ୍ଜୁରୀପ୍ରାପ୍ତ ପଦବି ୩୭୯ ଥିବା ବେଳେ ଏଥିରୁ ୧୨୩ଟି ଖାଲି ପଡ଼ିଛି। ଅର୍ଥାତ ରାଜ୍ୟରେ ୮୫ ଲକ୍ଷ ଗାଡ଼ି ଯାଞ୍ଚ ପାଇଁ ୨୫୬ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ତେଣୁ ପରିବହନ ବିଭାଗ ପକ୍ଷରୁ ଅନେକ ସମୟରେ ପୁଲିସ ଉପରେ ନିର୍ଭର କରିବାକୁ ପଡ଼ୁଛି। ଟ୍ରାଫିକ୍‌ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍ ସହିତ ଜଡ଼ିତ ଏହି ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ଯୋଜନା କରାଯାଉଛି। ଯାହା ଫଳରେ ଥାନା ପୁଲିସ ଭଳି ଆର୍‌ଟିଓ ସ୍ତରରେ ଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ଡ୍ୟୁଟି କରିବା ସହିତ ଖିଲାପୀ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ନେଇ ପଦକ୍ଷେପ ନେଇପାରିବ।

Advertisment

ରାଜ୍ୟରେ ଯେଉଁ ୮୫ ଲକ୍ଷରୁ ଅଧିକ ଗାଡ଼ି ଚଳାଚଳ କରୁଛି, ଏଥିରୁ ୮୫ ପ୍ରତିଶତ ଦୁଇଚକିଆ ଓ ୧୫ ପ୍ରତିଶତ ଉଭୟ ଭାରୀ ଓ ହାଲୁକା ଯାନ ରହିଛି। ଏହି ଗାଡ଼ିଗୁଡ଼ିକ ମୋଟର ଯାନ ଆଇନ ଖିଲାପ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆର୍‌ଟିଓସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ବ୍ୟବସ୍ଥା ରହିଛି। କିନ୍ତୁ ଅଧିକାରୀ ଓ କର୍ମଚାରୀ ପଦବି ଖାଲି ପଡ଼ିବା ଏବେ ବିଭାଗ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ମିଳିଥିବା ତଥ୍ୟ ମୁତାବକ, ରାଜ୍ୟରେ କଟକ, ବାଲେଶ୍ବର, କୋରାପୁଟ, ସମ୍ବଲପୁର, ଛତ୍ରପୁର, ଅନୁଗୁଳ ୬ଟି ଜୋନ୍‌ରେ ୬ଟି ଡିଏସ୍‌ଟି(ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ ଅଫ୍ ଟ୍ରାଫିକ୍‌) ପଦବି ଥିବା ବେଳେ ଏବେ ଦୁଇ ଜଣ ଅଛନ୍ତି। ସେହିଭଳି ୩୫ଟି ଆର୍‌ଟିଓରୁ ପ୍ରାୟ ୨୭ ଜଣ ଆର୍‌ଟିଓ ଅଛନ୍ତି। ସେହିଭଳି ଟ୍ରାଫିକ୍‌ ଇନ୍‌ସ୍ପେକ୍ଟର୍‌ ମଞ୍ଜୁରୀପ୍ରାପ୍ତ ପଦବି ୨୭ଟି ଥିବା ବେଳେ ଏବେ ୨୫ ଜଣ ଅଛନ୍ତି। ଟ୍ରାଫିକ୍‌ ସବ୍-ଇନସ୍ପେକ୍ଟର ମଞ୍ଜୁରୀପ୍ରାପ୍ତ ପଦବି ୩୦ଟି ଥିବା ବେଳେ ମାତ୍ର ୯ ଜଣ ଅଛନ୍ତି। ଏମ୍‌ଭିଆଇ ଓ ଅତିରିକ୍ତ ଆରଟିଓ ମଞ୍ଜୁରୀପ୍ରାପ୍ତ ପଦବି ୬୧ଟି ଥିବା ବେଳେ ୪୮ଜଣ ଅଛନ୍ତି। ଖାଲି ପଡ଼ିଥିବା ଏହି ପଦବିରୁ ୮ଜଣଙ୍କୁ ସେପ୍ଟେମ୍ବର୍‌ ସୁଦ୍ଧା ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଜୁନିୟର୍‌ ଏମ୍‌ଭିଆଇ ୬୪ଟି ମଞ୍ଜୁରୀପ୍ରାପ୍ତ ପଦବି ଥିବା ବେଳେ ଏବେ ମାତ୍ର ୧୫ ଜଣ ଅଛନ୍ତି। ସେଥିରେ ଅକ୍ଟୋବର ସୁଦ୍ଧା ନିଯୁକ୍ତି ଯୋଜନା ଚାଲିଛି। କନ୍‌ଷ୍ଟେବଳ ୧୫୬ରୁ ୧୨୯ ଜଣ ଅଛନ୍ତି। ପାଖାପାଖି ଏକ ବର୍ଷ ହେବ ଏହି ପଦବିଗୁଡ଼ିକ ଖାଲି ପଡ଼ିଛି। ଏବେ ଆର୍‌ଟିଓ ପିଛା ଜଣେ ଟ୍ରାଫିକ୍‌ ଇନ୍‌ସ୍ପେକ୍ଟର୍‌ ଓ ଦୁଇଜଣ ଲେଖାଏ କନ୍‌ଷ୍ଟେବଳଙ୍କୁ ନେଇ ଏନ୍‌ଫୋର୍ସମେଣ୍ଟ ଡ୍ୟୁଟି କରାଯାଉଛି। କର୍ମଚାରୀ ସଂକଟ ଥିବାରୁ ସ୍ଥାନୀୟ ପୁଲିସର ସହାୟତା ନିଆଯାଉଛି। ପୁଲିସ ଏଥିପାଇଁ ଧାର୍ଯ୍ୟ ସମୟରେ ପର୍ଯ୍ୟାପ୍ତ ଫୋର୍ସ ଯୋଗାଇ ନପାରିଲେ ଏନ୍‌ଫୋର୍ସମେଣ୍ଟ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେଉଥିବା କୁହାଯାଉଛି। ଏଭଳି ସମସ୍ୟାର ମୁକାବିଲା କରିବା ପାଇଁ ପ୍ରତି ଆର୍‌ଟିଓ ପିଛା ୩ଜଣ ଟ୍ରାଫିକ୍‌ ଇନ୍‌ସ୍ପେକ୍ଟର୍‌ ଓ ୧୨ ଜଣ କନ୍‌ଷ୍ଟେବଳ, ୩ଟି ଗାଡ଼ି ଯୋଗାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଆଲୋଚନା ଚାଲିଛି। ଯାହାଫଳରେ ଆର୍‌ଟିଓ ସ୍ତରରେ ଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍ ତିନୋଟି ସିଫ୍ଟରେ ୨୪ ଘଣ୍ଟା କାର୍ଯ୍ୟ କରିବେ। ପ୍ରତି ସିଫ୍ଟରେ ଜଣେ ଟ୍ରାଫିକ ଇନସ୍ପେକ୍ଟର, ୪ ଜଣ କନ୍‌ଷ୍ଟେବଲ୍‌ ଓ ଗୋଟିଏ ଗାଡ଼ି ଏନ୍‌ଫୋର୍ସମେଣ୍ଟ କରିବା ସମୟରେ ନିୟୋଜିତ ହେବ। ଏଭଳି ସଂଖ୍ୟା ବୃଦ୍ଧି ହେଲେ ପୁଲିସ ଉପରେ ପରିବହନ ବିଭାଗ ଆଉ ନିର୍ଭରଶୀଳ ହେବ ନାହିଁ ବୋଲି ଆଶା କରାଯାଉଛି।