ରବର ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ଫନି

‘ଫନି’ ଉଜାଡିଲା ୫୦ ଏକରରୁ ଉର୍ଧ୍ବ ବାଦାମ ଫସଲ

ଚିତ୍ରଡା : ସାମୁଦ୍ରିକ ଝଡ଼ ଫନି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ର ରବର ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। ପ୍ରାୟ ହଜାରରୁ ଊର୍ଦ୍ଧ୍ବ ରବର ଗଛ ଉପୁଡ଼ି ପଡ଼ି ଭୂଇଁରେ ଲୋଟି ପଡ଼ିଛି। ଫନି ମାଡ଼ରେ ଏମିତି ଦେଖିବାକୁ ମିଳିଛି ବ୍ଲକ୍‌ର ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ଅସ୍ତିଆ ଗ୍ରାମରେ। ସୂଚନା ଅନୁସାରେ, ୨୦୦୬ ମସିହାରୁ ଅସ୍ତିଆ ଗାଁରେ ରବର ଚାଷ ଆରମ୍ଭ ହୋଇଥିଲା। ପ୍ରାୟ ୫୦ ହେକ୍ଟର ଜମିରେ ୬୧ ଜଣ ଚାଷୀ ରବର ପ୍ଲାଣ୍ଟେସନ କରିଥିଲେ। ରବର ବୋର୍ଡ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମିଳିତ ସହଯୋଗରେ ଉକ୍ତ ଜମିରେ ୧୫ ହଜାର ରବର ଗଛ ଲାଗିଛି। ଏବେ ୮ ହଜାର ଗଛରୁ ଉତ୍ପାଦନ ହେଉଥିବା ବେଳେ ଗଛ ପ୍ରତି ୫ରୁ ୭ଲିଟର କଞ୍ଚାମାଲ ବାହାରୁଥିଲା। ଏହାକୁ କିଲୋ ପ୍ରତି ମୂଲ୍ୟ ୧୨୦ରୁ ୧୩୦ ଟଙ୍କାରେ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ତେବେ ଅମଳ ହେଉଥିବା ହଜାରେରୁ ଊର୍ଦ୍ଧ୍ବ ରବର ଗଛ ଫନି ଦ୍ବାରା କ୍ଷତିଗ୍ରସ୍ତ ହେବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ସେଥିମଧ୍ୟରୁ ଅଧିକାଂଶ ଗଛ ମୂଳରୁ ଉପୁଡି ପଡିଛି। କିନ୍ତୁ ଆଜି ଏକ ଜେସିବି ମେସିନ ଓ ୪୦ରୁ ଊର୍ଦ୍ଧ୍ବ ଶ୍ରମିକଙ୍କ ସାହାଯ୍ୟରେ ଉପୁଡ଼ି ପଡ଼ିଥିବା ଗଛକୁ ସଜାଡ଼ିବାକୁ ଚାଷୀମାନେ ଉଦ୍ୟମ କରିଛନ୍ତି। ତେବେ ସରକାରୀ ସ୍ତରରେ ଯଦି କିଛି ସାହାଯ୍ୟ ମିଳିପାରନ୍ତା, ତାହାଲେ ଚାଷୀମାନଙ୍କୁ ଅଧିକ କ୍ଷତିଗ୍ରସ୍ତ ହେବାକୁ ପଡି ନଥା’ନ୍ତା ବୋଲି ଚାଷୀ ମାଥୁରା ସୋରେନ ପ୍ରକାଶ କରିଛନ୍ତି।

‘ଫନି’ ଉଜାଡିଲା ୫୦ ଏକରରୁ ଉର୍ଧ୍ବ ବାଦାମ ଫସଲ

କଳାବାଡ଼ିଆ : ବାଙ୍ଗିରିପୋଷି ବ୍ଲକ୍‌ ନିଶ୍ଚିତା ଫଚାୟତ ଗୋହିରାପାଳ ଗ୍ରାମର ୫୦ରୁ ଊର୍ଧ୍ବ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। କାରଣ ଅଦିନିଆ ଝଡ଼ ଫନି ଏବେ ସେମାନଙ୍କ ଭାତହାଣ୍ଡି ଉପରେ ଦାଉ ସାଧିଛି। ଯେଉଁମାନେ ବାଦାମ, ମୁଗ, ବିରି  ଇତ୍ୟାଦି ରବି ଫସଲ କରିଥିଲେ ଏବେ ସେ ସବୁ କ୍ଷେତରେ ଅଣ୍ଠୁଏ ପାଣି ଠିଆହୋଇଛି। ଏମିତିରେ ଚାଷୀମାନେ ଚାଷ ପାଇଁ ଉଠାଇଥିବା ଋଣ ଟଙ୍କା କେମିତି ସୁଝିବେ ସେ ଚିନ୍ତାରେ ଭାଳି ହେଉଛନ୍ତି। ଗ୍ରାମର ଦୁଃଖୁ ମାରାଣ୍ଡି, ଦାସମାତ ହାଃସଦା, ବିଶ୍ବନାଥ ସୋରେନ, ନରସିଂହ ସିଂ, ବର୍ଷା ମାରାଣ୍ଡି, କୁଆଁର ସୋରେନ, ଅଶିଣି ସିଂଙ୍କ ପରି ୫୦ରୁ ଊର୍ଧ୍ବ ଚାଷୀ ବେଙ୍ଗଲରୁ ବାଦାମ ବିହନ କିଣି ଚାଷ କରିଥିଲେ। କେଜି ପ୍ରତି ୧୦୫ଟଙ୍କା ଦେଇ ଏକର ପ୍ରତି ୩୦ କେଜି ହିସାବରେ ବିହନ କିଣିଥିଲେ ଚାଷୀ। ଅଧିକାଂଶ ଚାଷୀଙ୍କ କହିବା ଅନୁଯାୟୀ ସେମାନେ କାଳିଆ ଟଙ୍କାରେ ଏଥର ଚାଷ ଆରମ୍ଭ କରିଥିଲେ। ହେଲେ ଫନି ସବୁ ଧୋଇ ନେଲା। ଏବେ ବାଦାମରେ ମଞ୍ଜି ହେବାର ବେଳ। କିନ୍ତୁ ଜମିରେ ପାଣି ଠିଆହୋଇ ଥିବାରୁ ସବୁ ବାଦାମ ପଚିଯିବ ବୋଲି ଆଶଙ୍କା କରୁଛନ୍ତି ଚାଷୀ। ସେହିପରି ବ୍ଲକ୍‌ରୁ ମୁଗ, ବିରି, ସୂର୍ଯ୍ୟମୁଖୀ ଫୁଲ ବିହନ ନେଇ ଚାଷ କରିଥିବା ଚାଷୀର ମଧ୍ୟ ସମାନ ଅବସ୍ଥା। ଚନ୍ଦନପୁର କଂସାପାଳ ଚାଷୀଙ୍କ ଅବସ୍ଥା ମଧ୍ୟ ବେହାଲ ବୋଲି କହିଛନ୍ତି ଚାଷୀ ଲିପ୍ସା ମହାନ୍ତି। ଏହି ଅସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର