କେନ୍ଦୁଝର: ଅରଡ଼େଇ ନଦୀକୁ ଅଡ଼ୁଆ ଆବର୍ଜନା। ନଦୀରେ ସହର ଓ କାରଖାନାର ଦୂଷିତ ଜଳ ମିଶୁଛି। ନଦୀଜଳ ବିଷାକ୍ତ ହେବା ସହ ଦିନକୁ ଦିନ ଏହା ଆବର୍ଜନାରେ ପୋତି ହୋଇଯାଉଛି। ସହରର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଓ ସବୁଜ ଶକ୍ତି ପ୍ଲାଣ୍ଟ ନଥିବାରୁ ଆବର୍ଜନା ସିଧାସଳଖ ଅରଡ଼େଇରେ ମିଶୁଛି। କେନ୍ଦୁଝର ସହରର ଜୀବନରେଖା ହେଉଛି ଅରଡ଼େଇ। ଚାଷଠାରୁ ଆରମ୍ଭ କରି ମାଛ ଧରିବାପାଇଁ ସ୍ଥାନୀୟ ଲୋକେ ଏହି ନଦୀ ଉପରେ ନିର୍ଭର କରୁଛନ୍ତି। ଲୋକଙ୍କ ଜୀବନଜୀବିକା ସହ ଯୋଡ଼ି ହୋଇଥିବା ଅରଡ଼େଇ ହେଉଛି ବୈତରଣୀ ପରେ ଜିଲ୍ଲାର ଅନ୍ୟତମ ପ୍ରମୁଖ ନଦୀ। ଏହା ବାଂଶପାଳ ବ୍ଲକ୍ର ବାର୍ହାରାଶି ପାହାଡ଼ରୁ ବାହାରି ଚମ୍ପୁଆରେ ସରେଇଠାରେ ବୈତରଣୀରେ ମିଶିଛି। କେନ୍ଦୁଝର ସହର ଦେଇ ବହି ଯାଇଥିବା ଅରଡ଼େଇ ନଦୀକୂଳରେ ଗୋବିନ୍ଦପୁର, ଚକ, ମଣ୍ଡୁଆ, କାଶିପୁର ଭଳି ଏକାଧିକ ଗାଁ ରହିଛି। ସହରର ଡ୍ରେନ୍ ପାଣି, ପାଇଖାନାରୁ ବାହାରୁଥିବା ଆବର୍ଜନା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସିଧାସଳଖ ଅରଡ଼େଇ ନଦୀରେ ମିଶୁଛି।
ନଦୀରେ ଆବର୍ଜନା ନମିଶିବା ପାଇଁ କେନ୍ଦୁଝର ନାଗରିକ ମଞ୍ଚ ପକ୍ଷରୁ ୨୦୧୭ ଅକ୍ଟୋବର ମାସରେ ସ୍ଥାୟୀ ଲୋକ ଅଦାଲତରେ ଅଭିଯୋଗ ପରେ ତନାଘନା ଆରମ୍ଭ ହୋଇଥିଲା। ନାଗରିକ ମଞ୍ଚ ପକ୍ଷରୁ ଦର୍ଶାଯାଇଥିଲା ଯେ, କେନ୍ଦୁଝର ସହରର ପଶ୍ଚିମ ଦିଗରେ ପାହାଡ଼ ଥିବାବେଳେ ପୂର୍ବରେ ନଦୀ ବହିଯାଇଛି। ଏହାକୁ ଦୃଷ୍ଟିରେ ରଖି ସହରରେ ଡ୍ରେନ୍ ନିର୍ମାଣ ହେବା କଥା। ଏହା ହୋଇଥିଲେ ସହରର ବର୍ଷାଜଳ ସ୍ବାଭାବିକ ଭାବେ ଡ୍ରେନ୍ ମାଧ୍ୟମରେ ନିଷ୍କାସିତ ହୋଇଥାନ୍ତା। ମାତ୍ର ଭୌଗୋଳିକ ସ୍ଥିତିକୁ ନଜର ନଦେଇ ଉତ୍ତର-ଦକ୍ଷିଣ ଦିଗରେ ଡ୍ରେନ୍ ନିର୍ମାଣ କରାଯାଇଛି। ଫଳରେ ଡ୍ରେନ୍ରେ ଦୂଷିତ ପାଣି ନିଷ୍କାସିତ ନହୋଇ ଅରଡ଼େଇ ନଦୀରେ ମିଶୁଛି। ଏଥିରେ ପ୍ଲାଷ୍ଟିକଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ କାରଖାନାରୁ ବାହାରୁଥିବା ରସାୟନିକ ଆବର୍ଜନା ଏବଂ ପାଇଖାନାରୁ ବାହାରୁ ଆବର୍ଜନା ମଧ୍ୟ ରହିଛି।
ଅରଡ଼େଇକୁ ପ୍ରଦୂଷଣମୁକ୍ତ କରିବାପାଇଁ ସ୍ଥାୟୀ ଲୋକ ଅଦାଲତ ଏକ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବାପାଇଁ ପୌରପାଳିକାକୁ ନିର୍ଦେଶ ଦେଇଥିଲେ। ଇତିମଧ୍ୟରେ ୭ବର୍ଷ ବିତିଯାଇଥିଲେ ମଧ୍ୟ ଅଦାଲତଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇନାହିଁ। ଏନେଇ ସିଭିଲ କୋର୍ଟରେ ମାମଲା ନମ୍ବର-୧୩୬/୨୦୧୯ ରୁଜୁ ହୋଇଥିଲା। ତଥାପି ପୌର ପ୍ରଶାସନ ଏଦିଗରେ ନିଦାବିଷ୍ଣୁ। ସେହିପରି ସବୁଜ ଶକ୍ତି ପ୍ଲାଣ୍ଟ ଥିଲେ ଏହି ଆବର୍ଜନାକୁ ବିଜୁଳିରେ ରୂପାନ୍ତରିତ କରାଯିବା ସହ ନଦୀରେ ଆବର୍ଜନା ମିଶିବା ରୋକାଯାଇପାରନ୍ତା। ତାହା ମଧ୍ୟ କରାଯାଉ ନାହିଁ। କିଛିମାସ ତଳେ ତତ୍କାଳୀନ ପରିବେଶ ସମ୍ପର୍କିତ ବିଧାନସଭା କମିଟି ଅରଡ଼େଇ ନଦୀର ଅବବାହିକା ପରିଦର୍ଶନ କରିଥିଲେ। କିଛି କାରଖାନାର ଆବର୍ଜନା ସିଧାସଳଖ ନଦୀରେ ମିଶୁଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ। ଏହାସତ୍ତ୍ବେ ଅରଡ଼େଇକୁ ପ୍ରଦୂଷଣମୁକ୍ତ କରିବାକୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏହିନଦୀ ଅପମୃତ୍ୟୁ ଆଡ଼କୁ ମୁହାଁଉଛି।