ମିଜିଲ୍‌ସ-ରୁବେଲା ଟିକାରେ ପାର୍ଶ୍ୱ ପ୍ରତିକ୍ରିୟା ଗୁଜବ

ଉଡ଼ାଖବରରେ ବିଶ୍ୱାସ ନ କରିବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ଗତ ୨୯ତାରିଖରୁ ରାଜ୍ୟରେ ମିଜିଲ୍‌ସ ରୁବେଲା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ତେବେ ଗତ ୩ ଦିନ ମଧ୍ୟରେ ରାଜ୍ୟରେ କେତେକ ଜିଲ୍ଲାରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହୋଇଛି ବୋଲି କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି। ମାତ୍ର ସେଥିପାଇଁ କୌଣସି ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। କୌଣସି ଖବରକୁ ବିଶ୍ୱାସ କରି କିଛି ନିଷ୍ପତ୍ତି ନେବା ପୂର୍ବରୁ ଏହାର ସତ୍ୟାସତ୍ୟ ଜାଣିବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସ୍ୱାସ୍ଥ୍ୟ ବିଭାଗର କହିବାନୁଯାୟୀ, ଓଡ଼ିଶା ସମେତ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୬.୭କୋଟି ଶିଶୁଙ୍କୁ ଏହି ଟିକା ଦିଆଯାଇଛି। ମାତ୍ର କୌଣସିଠାରେ ଏଭଳି ପାର୍ଶ୍ୱ ପ୍ରତିକ୍ରିୟା ପରିଲିକ୍ଷିତ ହୋଇନାହିଁ। କୌଣସି ଟିକା ନେବାର ଅଧଘଣ୍ଟା ମଧ୍ୟରେ ହିଁ ଟିକାକରଣ ଜନିତ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ। ତେଣୁ ଟିକା ନେବା ପରେ ଅଧଘଣ୍ଟା ପର୍ଯ୍ୟନ୍ତ ଟିକାଦାନ କେନ୍ଦ୍ରରେ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ। ମାତ୍ର ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହେବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ବର୍ଷ ବର୍ଷ ଧରି ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ଟିକାକରଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଯଦି କୌଣସି ସ୍ଥାନରେ ଯଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦିଏ ତେବେ ଏହାର ତୁରନ୍ତ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଣୁ ଟିକାକରଣ ନେଇ ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ନ ଡରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଟିକା ଜରିଆରେ ଶରୀରକୁ ଯାଇଥିବା ନୂଆ ଔଷଧ କେତେକ ପିଲାଙ୍କ ଶରୀରରେ ରୋଗ ପ୍ରତିରୋଧକ କଣିକା ଗୁଡ଼ିକ ସକ୍ରିୟ ହୋଇପଡ଼ନ୍ତି, ତେଣୁ ସାମାନ୍ୟ ଜ୍ୱର ହୋଇଥାଏ। ପରବର୍ତୀ ସମୟରେ ପୁଣିଥିରେ ଠିକ୍‌ ହୋଇଯାଇଥାଏ।

ଶିଶୁରୋଗ ବିଶେଷଜ୍ଞ ଓ ମନୋବିଜ୍ଞାନୀଙ୍କ ମତରେ ପିଲାଙ୍କ ବୟସ ବଢ଼ିବା ସହିତ ସେମାନଙ୍କ ମନରେ ଟିକାପ୍ରତି ଭୟ ସୃଷ୍ଟି ହୋଇଥାଏ। ତେଣୁ ୮ବର୍ଷରୁ ୧୫ବର୍ଷ ବୟସର ପିଲାମାନେ ଦେହରେ ଛୁଞ୍ଚି ଫୋଡ଼ାଯିବାର ଭୟ ଯୋଗୁଁ ଡରି ଯାଇ ବୋହୋସ ହୋଇ ପଡ଼ିଥାନ୍ତି। ମୁହଁରେ ସାମାନ୍ୟ ପାଣି ଛିଞ୍ଚି ଦେଲେ ଠିକ୍‌ ହୋଇଯାଇଥାଏ। ବିଶ୍ୱରେ ମିଳିମିଳା ଯୋଗୁଁ ୩୬ଭାଗ ଶିଶୁ ମୃତ୍ୟୁ ଭାରତରେ ହୋଇଥାଏ। ମିଳିମିଳା ସଂକ୍ରମଣ ଯୋଗୁଁ ଡାଇରିଆ ଓ ନିମୋନିଆ ଭଳି ରୋଗରେ ଦେଶରେ ସର୍ବାଧିକ ଶିଶୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ରୁବେଲାରେ ମଧ୍ୟ ସଂକ୍ରମଣ ହାର ବେଶ ଅଧିକ। ୨୦୨୦ ମସିହା ସୁଦ୍ଧା ଦେଶରୁ ମିଳିମିଳା ଦୂରୀକରଣ ଓ ରୁବେଲା ନିୟନ୍ତ୍ରଣ ପାଇଁ ଲକ୍ଷ୍ୟ ରହିଛି। ଦେଶରେ ଏହି ଟିକାକରଣ ଅଭିଯାନରେ ୪୧କୋଟି ଶିଶଙ୍କୁ ଏହି ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟରେ ୧କୋଟି ୧୩ଲକ୍ଷ ଶିଶୁଙ୍କୁ ଟିକା ଦିଆଯିବ। ଗତ ୨ ଦିନରେ ୧୯ଲକ୍ଷ ୫ହଜାର ୫୭୪ଜଣ ଶିଶୁଙ୍କୁ ଟିକା ଦିଆଯାଇଛି। ଏହା ଆସନ୍ତା ମାର୍ଚ ୨୬ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର