ରୁବେନ ବାନାର୍ଜୀଙ୍କ ‘ନବୀନ ପଟ୍ଟନାୟକ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନକୁ ନେଇ ରଚିତ ପୁସ୍ତକ ‘ନବୀନ ପଟ୍ଟନାୟକ’ ଆଜି ଲୋକାର୍ପିତ ହୋଇଛି। ଆଉଟଲୁକ୍‌ ମାଗାଜିନ୍‌ର ସମ୍ପାଦକ ରୁବେନ୍‌ ବାନାର୍ଜୀଙ୍କ ଦ୍ୱାରା ରଚିତ ଏହି ପୁସ୍ତକଟି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ରାଜନୈତିକ ଜୀବନୀ ପୁସ୍ତିକା ବୋଲି କୁହାଯାଇଛି।

ଆଜି ଭୁବନେଶ୍ୱର କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ପୁଲିସ ଡିଜି ଅମୀୟ ଭୂଷଣ ତ୍ରିପାଠୀ ଏବଂ ବରିଷ୍ଠ ସାମ୍ବାଦିକ ରବି ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ୧୯୯୭ ମସିହାରୁ ନବୀନଙ୍କ ରାଜନୈତିକ ଜୀବନ ଆରମ୍ଭ ହେବା ସମୟରୁ ନିକଟରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ବହିଷ୍କୃତ ହେବା ପର୍ଯ୍ୟନ୍ତ ବିଭିନ୍ନ ଘଟଣାବଳୀକୁ ନେଇ ଏହି ପୁସ୍ତକଟି ଲେଖା ଯାଇଛି।

ପୁସ୍ତକଟିକୁ ଲୋକାର୍ପିତ କରି ପୂର୍ବତନ ପୁଲିସ ଡିଜି ଅମୀୟ ଭୂଷଣ ତ୍ରିପାଠୀ କହିଲେ ଯେ, ନବୀନ ୧୮ବର୍ଷ ଶାସନ କରିବା ପରେ ବି ତାଙ୍କର ଲୋକପ୍ରିୟତା ନ କମିବା ଓ ପୂର୍ବ ପରି ବଜାୟ ରହିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ। ସେ ଓଡ଼ିଶାର ଭଲ କରିବା ପାଇଁ ଚେଷ୍ଟା କରିଥାନ୍ତି। ଓଡ଼ିଶା ରାଜନୀତିକୁ ଉଚିତ ମାର୍ଗଦର୍ଶନ ଦେଇଛନ୍ତି। କିନ୍ତୁ ୨୦୦୦ ମସିହାରେ ଯେଉଁମାନେ ନବୀନଙ୍କୁ ସଫଳ ରାଜନେତା କଲେ ସେମାନଙ୍କୁ ସେ ଦଳରୁ ବିଦା କରିଦେଲେ। ବରିଷ୍ଠ ସାମ୍ବାଦିକ ରବି ଦାସ କହିଲେ ଯେ, ନବୀନ ତାଙ୍କ ବଳରେ ଜଣେ ଦକ୍ଷ ରାଜନେତା ହୋଇପାରିଛନ୍ତି। ସେ ଜଣେ ବିରଳ ବ୍ୟକ୍ତିତ୍ୱ। ଭାରତର ଏହିଭଳି ଜଣେ ବିରଳ ରାଜନେତାଙ୍କ ଉପରେ ଗୋଟିଏ ବହି ଲେଖା ହେବା ଅତ୍ୟନ୍ତ ଆବଶ୍ୟକ ଥିଲା।

ପୁସ୍ତକର ଲେଖକ ରୁବେନ୍‌ ବାନାର୍ଜୀ କହିଥିଲେ ଯେ, ଆଜି ଯାଏଁ କୌଣସି ନିର୍ବାଚନ ହାରିନଥିବା ନବୀନ ୨୦୦୦ ମସିହାରୁ ସଫଳତାର ଶିଡ଼ି ଚଢ଼ିଚାଲିଛନ୍ତି।

ଏହି ଅବସରରେ ସେ ତାଙ୍କ ସହିତ ବିତାଇଥିବା କିଛି ସ୍ମୃତିକୁ ବର୍ଣ୍ଣନା କରିଥିଲେ। ନବୀନଙ୍କ ଜୀବନଶୈଳୀକୁ ପୁସ୍ତକରେ ବର୍ଣ୍ଣନା କରି ସେ ଲେଖିଛନ୍ତି, ନବୀନ ସକାଳୁ କମଳା ଜୁସ୍‌, କିଛି ଖଣ୍ଡ ତରଭୁଜ କିମ୍ବା ଅମୃତ ଭଣ୍ଡା, କଫି ପିଅନ୍ତି। ପୂର୍ବାହ୍ନ ୧୧ଟାରେ ସଚିବାଳୟ ଯିବା ପୂର୍ବରୁ ପଇଡ଼ ପାଣି ପିଇଥାନ୍ତି। ମଧ୍ୟାହ୍ନରେ ଘରକୁ ଫେରିବା ପରେ ଅଧିକାଂଶ ସମୟରେ ଖେଚେଡି ଓ ଦହି ଖାଆନ୍ତି ନଚେତ୍‌ ରୁଟି ଓ ସୁପ୍‌ ପିଅନ୍ତି। ରାତ୍ରିଭୋଜନରେ ଅଧିକାଂଶ ସମୟରେ ତାଙ୍କର ପ୍ରିୟ ରେଡ୍‌ ହଟ୍‌ ଥାଇ ଚିକେନ୍‌ ଖାଆନ୍ତି।

ନବୀନ କିପରି ଜଣେ ଭଲ ଶାସକ ତାହା ବର୍ଣ୍ଣନା କରି ରୁବେନ୍‌ ଲେଖିଛନ୍ତି ଯେ, ଥରେ ନବୀନ କୋରାପୁଟ ଗସ୍ତରେ ଯାଇଥିବା ବେଳେ ଦସମନ୍ତପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଆସି ହଠାତ୍‌ ତାଙ୍କ ଗୋଡ଼ ତଳେ ପଡ଼ିଯାଇଥିଲେ। ଗର୍ଭବତୀ ମହିଳା ଜଣଙ୍କର ଦୁଇଟି ପିଲା ଥିବାବେଳେ ଦୁଇ ମାସ ପୂର୍ବରୁ ତାଙ୍କ ସ୍ୱାମୀ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ଭିକ୍ଷା କରିଥିଲେ। ଏହାପରେ ହେଲିକପ୍ଟରରେ ଓଡ଼ିଶା ଫେରିବା ପାଇଁ ନବୀନ କାର୍‌ରେ ବସିଥିଲେ। ଆଉ ଜୋର୍‌ରେ କହିଥିଲେ ସେ ଗର୍ଭବତୀ, ତାର ଦୁଇଟି ଛୋଟ ପିଲା, ତା’ ସ୍ୱାମୀ ମରିଯାଇଛି, ସେ କ’ଣ କରିବ? ଗାଡ଼ିରେ ବସିଥିବା ଜଣେ ଅଧିକାରୀ କହିଥିଲେ ଜିଲ୍ଲା ପ୍ରଶାସନ ସେ ମହିଳାଙ୍କୁ ସାହାଯ୍ୟ କରିବ। ଏହାପରେ ନବୀନ ପୁଣି ସମାନ କଥା ଦୋହରାଇଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ବରିଷ୍ଠ ଅଧିକାରୀ କୋରାପୁଟ ଜିଲ୍ଲାପାଳଙ୍କ ସହ ଫୋନ୍‌ରେ କଥା ହେଲେ। ଆଉ ତୁରନ୍ତ ସାହାଯ୍ୟ ଦେବାକୁ କହିଲେ। ନବୀନ ଘଣ୍ଟାକ ପରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ମହିଳାଙ୍କର କ’ଣ ହେଲା ବୋଲି ପଚାରିଲେ, ଏହାପରେ ଉକ୍ତ ଅଧିକାରୀ ଜଣଙ୍କ କହିଥିଲେ, ମହିଳାଙ୍କୁ ବିଧବା ଭତ୍ତା, ଇନ୍ଦିରା ଆବାସରେ ଘର, ଅଙ୍ଗନଓ୍ଵାଡିରେ ଚାକିରି ଦିଆଯାଇଛି। ଏହାପରେ ନବୀନ ଆଶ୍ୱସ୍ତ ହୋଇଥିଲେ।

ଏହିଭଳି ବହୁ ଅଜଣା କଥା ଏହି ପୁସ୍ତକରେ ରହିଛି ବୋଲି ଲେଖକ ଶ୍ରୀ ବାନାର୍ଜୀ କହିଛନ୍ତି।

ସମ୍ବନ୍ଧିତ ଖବର