୪ବର୍ଷ ହେଲାଣି ବିଛଣାରେ ରୁବେନ୍, ବୃଦ୍ଧା ମା’ ଓ ୩ ଝିଅ ଉପରେ ପରିବାର ବୋଝ

ଜୟପୁର: ମାସେ କି ଦୁଇ ମାସ ନୁହେଁ, ୪ ବର୍ଷ ହେଲା ବିଛଣାରେ ପଡିଛନ୍ତି। ଖାଇବା, ପିଇବା ସହ ନିତ୍ୟକର୍ମ ବି ସେଠି କରୁଛନ୍ତି। ଦୁଇ ଜଣ ଧରିଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି। ସମୟର ବିକଟାଳ ରୂପ ଆଗରେ ହାର ମାନିଯାଇଛନ୍ତି। ଯେଉଁ ବୟସରେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା କଥା ସେହି ବୟସରେ ବିଛଣାରେ ଦିନ କଟୁଛି। ଝିଅ ଓ ବୃଦ୍ଧା ମା’ ଯେଉଁ ଟଙ୍କା ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳୁଛି। ଜୟପୁର ପୌରପାଳିକା ଅନ୍ତର୍ଗତ ହାନାଗୁଡା ଅଞ୍ଚଳରେ ଏମିତି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ସେଠିକାର ରୁବେନ ଧାନଫୁଲଙ୍କ ଶରୀର ଅଧାରୁ ଅଧିକ ଅଚଳ ହେବା ପରେ ଏମିତି ଦୁର୍ଦ୍ଦଶା ତାଙ୍କ ପରିବାର ଉପରେ ଖସି ପଡିଛି। ରଙ୍ଗ ମିସ୍ତ୍ରୀ ଭାବେ  କାମ କରୁଥିବା ରୁବେନ ଆଜି ପରିବାର ଉପରେ ବୋଝ ପାଲଟି ଯାଇଛନ୍ତି।

ରୁବେନଙ୍କ ପରିବାର କହିଲେ ବୃଦ୍ଧା ମା’ ଧର୍ଯ୍ୟମଣୀ ଓ ୩ଟି ଝିଅ କଳ୍ପନା (୧୪), ଲାବନ୍ୟା (୧୩) ଓ ରିଧୀମ୍ (୧୦)। ୮ ବର୍ଷ ପୂର୍ବେ ରୁବେନଙ୍କ ସ୍ତ୍ରୀଙ୍କୁ ଜ୍ବର ହୋଇଥିଲା ଏହାପରେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବାରେ ବଦଳରେ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ରୁବେନ୍ ଓ ତାଙ୍କରି ମା’ ହିଁ ୩ଟି କନ୍ୟାର ଯତ୍ନ ନେଉଥିଲେ। ରୁବେନ୍ ଜୟପୁର ସହରରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ। ସେଥିରୁ କିଛି ଟଙ୍କା ମିଳିଯାଉଥିବା ବେଳେ ମା’ ଧର୍ଯ୍ୟମଣୀ ପଲିଥିନ୍ ସଂଗ୍ରହ କରି ତାହାକୁ ବିକ୍ରି କରି କିଛିଟା ଟଙ୍କା ରୋଜଗାର କରୁଥିଲେ। ସେଥିରେ ରୁବେନଙ୍କ ୫ ଜଣିଆ ପରିବାର କଷ୍ଟରେ ଚଳିଯାଉଥିଲା। ପାଖପାଖି ୪ ବର୍ଷ ପୂର୍ବେ ରୁବେନଙ୍କ ପରିସ୍ରା ବନ୍ଦ ହୋଇଯାଇଥିଲା।

ଏନେଇ ସେ ନବରଙ୍ଗପୁର ସ୍ଥିତ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ। ସେଠାରେ ରୁବେନଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ପରିସ୍ରା ନଳୀରେ ପାଇପ୍ ଲଗାଯାଇଥିଲା, ସେ ସୁସ୍ଥ ହେବାରେ ଲାଗିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେହି ପାଇପ୍ ଲାଗିଥିବା ସ୍ଥାନରୁ ତାଙ୍କର ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଅସହ୍ୟ ଯନ୍ତ୍ରଣା ହେବାରୁ ଚିକିତ୍ସାଳୟରେ ଦେଖାଇଥିଲେ କିନ୍ତୁ ପୁଣି ଥରେ ଅସ୍ତ୍ରୋପଚାର ପାଇଁ ଟଙ୍କାର ଆବଶ୍ୟକତା ପଡିଥିଲା। ସଞ୍ଚିତ ଟଙ୍କାରେ ପୂର୍ବରୁ ଚିକିତ୍ସା କରିଥିବା ବେଳେ ପୁଣି ଚିକିତ୍ସା କରାଇବା ପାଇଁ ପାଖରେ ଟଙ୍କା ନଥିଲା। ବାଧ୍ୟ ହୋଇ ପରିବାର ଲୋକେ ରୁବେନଙ୍କୁ ଘରକୁ ନେଇ ଆସିଥିଲେ ଓ ଡାକ୍ତର କହିବା ଅନୁସାରେ କିଛିଟା ଔଷଧ କିଣି ଖାଇଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ସୁସ୍ଥ ହୋଇପାରି ନାହାନ୍ତି, ସେମିତି ହିଁ ବର୍ଷ ବର୍ଷ ଧରି ସେହି ବିଛଣାରେ ପଡି ରହୁଛନ୍ତି।

ଦିନ ସାରା ପରିଶ୍ରମ କରି ଯାହା ଟଙ୍କା ରୋଜଗାର କରୁଥିଲେ ସେଥିରେ ପରିବାର ଚାଲୁଥିବା ବେଳେ ରୁବେନ୍ ଅସୁସ୍ଥ ହୋଇପଡିବାରୁ ପରିବାର ଦୁର୍ଦ୍ଦିନ ଆରମ୍ଭ ହୋଇଗଲା। ବୃ୍ଦ୍ଧା ମା’ ପଲିଥିନ୍ ବିକ୍ରି କରି କିଛି ଟଙ୍କା ପାଉଥିବା ବେଳେ ବଡ ଝିଅ କଳ୍ପନା କିଏ କେଉଁ କାମକୁ ଡାକିଲେ ଯାଉଛି ସେଥିରୁ କିଛି ଟଙ୍କା ପାଉଛି। କିନ୍ତୁ କଳ୍ପନାକୁ ସବୁଦିନେ କାମ ମଧ୍ୟ ମିଳିପାରୁ ନାହିଁ। ସାନ ଦୁଇ ଭଉଣୀ ଛୋଟ ଥିବାରୁ ଘରେ ହିଁ ରହୁଛନ୍ତି। ଜେଜେମା ନାତୁଣୀ କିଛି ଟଙ୍କା ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳିବା ସହ ଔଷଧ ଖର୍ଚ୍ଚ ମଧ୍ୟ ହୋଇଯାଉଛି। ଚିକିତ୍ସା କରିବା ପାଇଁ ନିକଟରେ ଟଙ୍କା ଯୋଗାଡ ହୋଇପାରୁ ନାହିଁ।

ଧର୍ଯ୍ୟମଣିଙ୍କ କହିବାନୁଯାୟୀ, ୨ ବଖରା ଝିକର ଘରେ ପରିବାର ଚଳୁଛି, ସରକାରଙ୍କ ପକ୍ଷରୁ ଆବାସ ଯୋଜାନରେ ଘରଟିଏ ମିଳିନଥିବା ବେଳେ ଶୌଚାଳୟ ମଧ୍ୟ ମିଳିପାରି ନାହିଁ। ମାସକୁ ଭତ୍ତା ଟଙ୍କା ଓ ଚାଉଳ ମିଳୁଛି। ରୋଜଗାରିଆ ପୁଅ ବିଛଣା ପଡିଥିବା ବେଳେ ତାହାର ସମସ୍ତ ପ୍ରକାର ସେବା କରୁଥିବା କହିବା ବେଳକୁ ତାଙ୍କର ଆଖିରୁ ଲୁହ ଧାର ବୋହି ପଡୁଛି। ରୋଷେଇ କରି ୩ଟି ଝିଅକୁ ପାଳିବା ବେଳକୁ ଓ ପୁଅ ଚିକିତ୍ସା ପାଇଁ ଚିନ୍ତା ହେଉଛି। ହାତ ଥରୁଛି ଆଖିକୁ ମଧ୍ୟ ସଠିକ ଦେଖାଯାଉନାହିଁ, ପୁଅର ସେବା କେମିତି କରିବି। ପୁଅର ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର