ରାଉରକେଲା: ରୁବିକ୍ସ କ୍ୟୁବ୍ ପ୍ରତିଯୋଗିତାରେ ବିଶ୍ବସ୍ତରରେ ସଫଳତା ହାସଲ କରିଛନ୍ତି ରାଜଗାଙ୍ଗପୁରର ସିଦ୍ଧାର୍ଥ ନନ୍ଦ। ସେ ଅତି କମ୍ ସମୟ ମଧ୍ୟରେ ୧୧ ପ୍ରକାର ରୁବିକ୍ସ କ୍ୟୁବ୍ ସମାଧାନ କରିପାରିଛନ୍ତି। ଯେଉଁଗୁଡ଼ିକ ମଧ୍ୟରେ ରହିଥିଲା ମିର୍ର, ଗିଅର୍, ଆପ୍ଲ, ସିଲି, ବ୍ୟାରେଲ୍ କ୍ୟୁବ୍ ଇତ୍ୟାଦି। ମାତ୍ର ୮.୧୬ ସେକେଣ୍ଡରେ ୧୧ ପ୍ରକାର କ୍ୟୁବ୍ସକୁ ସମାଧାନ କରି ବିଶ୍ବ ରେକର୍ଡ (ୱାରଲ୍ର୍ଡ ୱାଇଡ୍ ବୁକ୍ସ ଅଫ୍ ରେକର୍ଡସ)ରେ ସେ ସ୍ଥାନ ପାଇଛନ୍ତି। ଗତ ଜୁନ୍ ୨ରେ ଅନ୍ ଲାଇନ୍ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଭାରତ, ୟୁଏସ୍ଏ, ବାହାରିନ୍, ଇର୍ସାଇଲ୍, ୟ୍ରୁଏଇ, ରୁଷିଆ, ଦୁବାଇ, ଇରାକ୍, ସ୍ପେନ ଓ ଇରାନ୍ ୧୦ଟି ଦେଶ ଭାଗ ନେଇଥିଲେ। ପାଖାପାଖି ୧୦୦୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସିଦ୍ଧାର୍ଥ ନନ୍ଦ ମଧ୍ୟ ଅଂଶଗ୍ରହଣ କରିଥିଲେ। ନିଜର ବୁଦ୍ଧି ବଳରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଶ୍ବ ରେକର୍ଡ ହକ୍ଦାର ହେବାର ଗୌରବ ଅର୍ଜନ କରିଛନ୍ତି। ମାତ୍ର ୧୨ ବର୍ଷ ବୟସରେ ସିଦ୍ଧାର୍ଥ ଏଭଳି କାମ କରି ଦେଖାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଡାକ୍ତର ସରୋଜ ରଞ୍ଜନ ନନ୍ଦ ଓ ରାଜଲକ୍ଷ୍ମୀ ନନ୍ଦଙ୍କ ପୁଅ ହେଉଛନ୍ତି ସିଦ୍ଧାର୍ଥ। ସେ ରାଜଗାଙ୍ଗପୁରସ୍ତ ନିର୍ମଳା ଇଂରାଜୀ ମାଧ୍ୟମ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ଉଲ୍ଲେଖଯୋଗ୍ୟ ଗତ ମାର୍ଚ୍ଚ ରେ ସିଦ୍ଦାର୍ଥଙ୍କ ଭଉଣୀ ସୁଦୀକ୍ଷା ନନ୍ଦ ଏମ୍ସିଲ୍ ଅଠାରେ ବିଭିନ୍ନ ପ୍ରକାର କ୍ଷୁଦ୍ର ମୂର୍ତ୍ତି ତିଆରି କରି ୱାରଲ୍ଡ ୱାଇଡ୍ ବୁକ୍ସ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଥିଲେ।