କଟକ: ‘ରୁଚି’ କମ୍ପାନିର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ ଆଉ ନାହାନ୍ତି। କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟାହ୍ନ ୧୨ଟା ବେଳେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଶେଷ ସମୟରେ ତାଙ୍କ ନିକଟରେ ପତ୍ନୀ ‌ସଂଯୁକ୍ତା ସାହୁ, ପୁଅ ଅରବିନ୍ଦ ସାହୁ, ବୋହୂ ସଲିନା ସାହୁ, ଝିଅ ରଶ୍ମୀ ସାହୁ ଓ ଅନ୍ୟାନ୍ୟ ପ୍ରିୟଜନ ଉପସ୍ଥିତ ଥିଲେ। ସୋମବାର ସକାଳେ ତାଙ୍କ ମରଶରୀର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିଥିଲା। ପରେ ଏକ ଶୋଭାଯାତ୍ରାରେ କଟକ କାଜିଢିହ ବାସଭବନରେ ପହଞ୍ଚିବା ପରେ ମଧୁପାଟଣା ଶିଳ୍ପାଞ୍ଚଳସ୍ଥିତ ରୁଚି ପାସ୍ତା ଭିଲେଜଠାରେ ପୂର୍ବାହ୍ଣ ୧୧ରେ ସମସ୍ତଙ୍କ ଶେଷଦର୍ଶନ ପାଇଁ ରଖାଯିବ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବିଶିଷ୍ଟ ରାଜନେତା, ବ୍ୟବସାୟୀ ଶୋକବ୍ୟକ୍ତ କରିଛନ୍ତି। ୧୯୫୦ ଜୁଲାଇ ୨୨ ତାରିଖରେ କଟକର ରାଣୀହାଟ ତେଲିସାହିରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସାହୁ ରାଣୀହାଟ ହାଇସ୍କୁଲ୍‌ ଓ ସେକେଣ୍ଡାରି ବୋର୍ଡ ହାଇସ୍କୁଲ୍‌ରୁ ପାଠ ପଢ଼ିବା ପରେ ଖ୍ରୀଷ୍ଟ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଶେଷ କରିଥିଲେ। ରାଣୀହାଟ ହିନ୍ଦ୍‌ ସିନେମା ହଲ୍‌ ନିକଟରେ ବାପା ବନମାଳୀ ସାହୁଙ୍କ ହୋଟେଲ୍‌ରେ ତାଙ୍କୁ ସହଯୋଗ କରିବା ସମୟରେ ବ୍ୟବସାୟ ପ୍ରତି ତାଙ୍କର ଆଗ୍ରହ ଆସିଥିଲା। ପରେ ଏକ ଛୋଟ ହଳଦୀ ପ୍ରୋସେସିଂ ୟୁନିଟ୍‌ରୁ ବ୍ୟବସାୟ ଆରମ୍ଭ କରି ୧୯୭୬ ମସିହାରେ ‘ରୁଚି’ର ଶିଳାନ୍ୟାସ କରିଥିଲେ। ୫ହଜାର ଟଙ୍କା ବିନିଯୋଗ କରି ଛୋଟ ୟୁନିଟ୍‌ ଆରମ୍ଭ କରିଥିଲା ବେଳେ ଏବେ ୨୫୦ କୋଟି ଟଙ୍କାର କମ୍ପାନି ଛିଡ଼ା କରିପାରିଛନ୍ତି। ଏବେ ରୁଚି ୫୦ ବର୍ଷରେ ପଦାର୍ପଣ କରିଥିଲା ବେଳେ ୪୯ ପ୍ରକାରର ମସଲା ସହିତ ମୋଟ ୩୦୦ ପ୍ରକାରର ଉତ୍ପାଦ ପ୍ରସ୍ତୁତ କରୁଛି। ଓଡ଼ିଶାରେ ପାଖାପାଖି ୨୦୦ ଡିଲର୍‌ଙ୍କ ଜରିଆରେ ଉତ୍ପାଦଗୁଡ଼ିକ ବିକ୍ରି ହେଉଥିବା ବେଳେ ସାରା ଦେଶରେ ୪୦ରୁ ଅଧିକ ସୁପରଷ୍ଟକର ବ୍ୟବସାୟରେ ସହଯୋଗ କରୁଛନ୍ତି। 

Advertisment

ବ୍ୟବସାୟ କ୍ଷେତ୍ରରେ ସୁପରିଚିତ ସ୍ବର୍ଗତ ସାହୁ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୧୯୯୮ ଓ ୨୦୦୧ରେ ରାଜ୍ୟ ସରକାରଙ୍କଠୁ ‘ଶ୍ରେଷ୍ଠ ରପ୍ତାନି’ ପୁରସ୍କାର, ୨୦୦୧ରେ ଓଡ଼ିଶା ରାଜ୍ୟ ଅର୍ଥ ନିଗମଠୁ ‘ଶ୍ରେଷ୍ଠ ସଫଳ ଉଦ୍ୟୋଗୀ’ ପୁରସ୍କାର, ୨୦୦୪ରେ ‘ରାଜ୍ୟ ସୁରକ୍ଷା’ ପୁରସ୍କାର, ୨୦୦୭ରେ ‘ଏକ୍ସପୋ-ଓଡ଼ିଶା’ ପୁରସ୍କାର, ୨୦୧୦ରେ ‘ସମ୍ବାଦ’ର ତତ୍କାଳୀନ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କଠୁ ‘ସଫଳ ସାଧବ ପୁଅ’ ସମ୍ମାନ, ୨୦୧୭ରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପକ୍ଷରୁ ‘ଓଡ଼ିଶା ବିଜିନେସ୍‌’ ପୁରସ୍କାର, ୨୦୧୯ରେ ‘ସମ୍ବାଦ କର୍ପୋରେଟ୍‌ ଏକ୍ସିଲେନ୍ସ’ ପୁରସ୍କାର ଭଳି ଅନେକ ସମ୍ମାନ ଓ ପୁରସ୍କାର ସେ ଗ୍ରହଣ କରିଛନ୍ତି। ୨୦୧୮ରେ ବଲ୍‌ସବ୍ରିଜ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ଇଣ୍ଡଷ୍ଟ୍ରିଆଲ୍‌ ମ୍ୟାନେଜମେଣ୍ଟ ଉପରେ ତାଙ୍କୁ ଡକ୍ଟରେଟ୍‌ ଉପାଧି ମିଳିଥିଲା। 

କେବଳ ବ୍ୟବସାୟ କ୍ଷେତ୍ରରେ ନୁହେଁ, ସାମାଜିକ କାର୍ଯ୍ୟରେ ମଧ୍ୟ ସେ ସାମିଲ ଥିଲେ। ୧୯୯୬ ମସିହା ଠାରୁ ମାଟ୍ରିକ୍‌ ଟପର୍‌ଙ୍କୁ ପୁରସ୍କୃତ କରିଆସୁଥିଲା ବେଳେ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରୁଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ରୁଚି ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଉଛି। ଜଣେ ଭଲ ବ୍ୟବସାୟୀ ସହିତ ଭଲ କବାଡ଼ି ଖେଳାଳି ଭାବେ ମଧ୍ୟ ସେ ପରିଚିତ ଥିଲେ। ଯୁବକ ସମୟରେ ସେ ୧୯୬୮ରୁ ୧୯୭୨ ମସିହା ପର୍ଯ୍ୟନ୍ତ କବାଡ଼ି ଦଳର ନେତୃତ୍ବ ନେଇଥିଲେ। ପରେ ୧୯୭୩ ମସିହାରେ ସେ ଓଡ଼ିଶା କବାଡ଼ି ସଂଘର ସମ୍ପାଦକ ନିର୍ବାଚିତ ହୋଇଥିଲେ। ୨୦୧୨ ମସିହାରୁ ସେ ସଂଘର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି।