ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ ସେଫ୍-୨୦୨୧: ୪ ଗୃହିଣୀ ଶ୍ରେଷ୍ଠ

କଟକ: ଓଡ଼ିଶାର ଅଗ୍ରଣୀ ମସଲା ଉଦ୍ୟୋଗ ରୁଚି ଆନୁକୁଲ୍ୟରେ ଗୁରୁବାର ପ୍ରଥମ “ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ୍ ସେଫ୍-୨୦୨୧” ର ପୁରସ୍କାର ବିତରଣୀ ଉତ୍ସବ ମଧୁପାଟଣାସ୍ଥିତ ଫ୍ରୋଜିଟ୍ ପରିସରରେ ଥିବା ଫ୍ରୋଜିଟ୍ କନ୍‌ଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି ।  ଲୋକପ୍ରିୟ ସେଫ୍ ସୁନୀଲ୍ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ।

କାର୍ଯ୍ୟକ୍ରମରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ମୁଖ୍ୟ ଅତିଥି, ରୁଚିର ମାର୍କେଟିଂ ମୁଖ୍ୟ ଦେବବ୍ରତ ପଟ୍ଟନାୟକ ଓ ଫ୍ରୋଜିଟ୍ର ଫାଇନାନ୍ସ ମୁଖ୍ୟ ଶ୍ରୀକାନ୍ତ ମହାପାତ୍ର ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ସେଫ୍ ସୁନୀଲ ପ୍ରାରମ୍ଭିକ ସୂଚନା ଦେବା ସହ ଏଥିରେ ଅଂଶଗ୍ରହଣ କରିଥିବା ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଦୁବାଇ, ଇଣ୍ଡୋନେସିଆ ଓ ମସ୍କଟ୍ ଆଦି ୫ ଦେଶ ତଥା ଆମ ଦେଶର ୧୫ ରାଜ୍ୟର ୧୦୦ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ରୁଚି ମସଲା ସହଯୋଗରେ ଏହା ବେଶ୍  ରୁଚିକର କାର୍ଯ୍ୟକ୍ରମ ହୋଇଯାଇଛି ବୋଲି ସେ କହିଥିଲେ।

ଦୀର୍ଘ ୩ ମାସ ଧରି ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ  ଓଡ଼ିଶାର ମଧୁସ୍ମିତା ସୋରେନ୍ ପ୍ରଥମ, ସୋନାଲି ରେ ଦ୍ୱିତୀୟ, ବନଜା ପାତ୍ର ଓ ରାଜସ୍ଥାନର ଗାୟତ୍ରୀ ରତନ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।  ପ୍ରଥମ ବିଜେତାଙ୍କୁ ୫୦୦୦ ଅର୍ଥରାଶି ଓ ସୁନା କଏନ, ଦ୍ୱିତୀୟ ବିଜେତାଙ୍କୁ ୩୦୦୦ ଅର୍ଥରାଶି ଓ ସୁନା କଏନ ଏବଂ ତୃତୀୟ ବିଜେତାଙ୍କୁ  ୨୦୦୦ ଅର୍ଥରାଶି ଓ ସୁନା କଏନ ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରତିଯୋଗୀ ରୁଚିର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ କୋଭିଡ୍ ସମୟରେ ଏଭଳି କାର୍ଯ୍ୟକ୍ରମ ସମସ୍ତ ଗୃହିଣୀଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମକୁ ଉଲ୍ଲାସ ଚନ୍ଦ୍ର ବେହୁରା ସଂଯୋଜନା କରିଥିଲେ। ଦେବସ୍ମିତା ମିଶ୍ର, ଅମୃତରଂଜନ ଦାଶ, କୃଷ୍ଣଚନ୍ଦ୍ର ଦାଶ, ଜ୍ଞାନରଂଜନ ରାୟ, ସନ୍ତୋଷ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର