ପ୍ରତିଭା ପୂଜନ କ୍ଷେତ୍ରରେ ରୁଚିର କାର୍ଯ୍ୟ ପ୍ରଶଂସନୀୟ: ଶିଳ୍ପ ମନ୍ତ୍ରୀ

ରୁଚି ପ୍ରତିଭା ସମ୍ମାନ ପ୍ରଦାନ ସମାରୋହ

କଟକ : ଓଡ଼ିଶାର ପ୍ରମୁଖ ଶିଳ୍ପୋଦ୍ୟୋଗ ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କୃତୀ ଛାତ୍ର ଓ କୃତବିଦ୍ୟ ଓଡ଼ିଆମାନଙ୍କୁ ସମ୍ମାନିତ କରାଯାଇଛି। ଶିଳ୍ପର ଅଭିବୃଦ୍ଧି ସହିତ ପ୍ରତିଭା ପୂଜନ କ୍ଷେତ୍ରରେ ଏହି ଅନୁଷ୍ଠାନର କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଶକ୍ତି, ଶିଳ୍ପ ଓ ସ୍ବରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର।

ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଚତୁର୍ବିଂଶତମ ରୁଚି ପ୍ରତିଭା ସମ୍ମାନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ମିଶ୍ର ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା କେନ୍ଦ୍ର ଆଇଟିଆର୍‌ର ନି‌େର୍ଦ୍ଦଶକ ଡକ୍ଟର ବିନୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଆୟକର ମହାନିେର୍ଦ୍ଦଶକ ବିଧୁଭୂଷଣ ମହାନ୍ତି ଯୋଗ ଦେଇଥିଲେ।

ରୁଚି ପ୍ରତିଭା ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବିଶିଷ୍ଟ ଉଦ୍ୟୋଗୀ ଡକ୍ଟର ଶରତ କୁମାର ସାହୁ ସ୍ବାଗତ ଭାଷଣ ଦେବା ସହିତ ୪୫ ବର୍ଷ ଧରି ଓଡ଼ିଶାର ଘରେ ଘରେ ପରିଚିତ ରୁଚି ଉଦ୍ୟୋଗର ପ୍ରତିଭା ପୂଜନ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ସବୁବେଳେ ପ୍ରେରଣାଦାୟୀ ଓ ଅନୁକରଣୀୟ ହୋଇଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୁଚିର ନିେର୍ଦ୍ଦଶକ ଅରବିନ୍ଦ ସାହୁ ଓ ରଶ୍ମି ସାହୁ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଚଳିତବର୍ଷ ସମ୍ମାନଜନକ ଦେଶ ଜ୍ୟୋତି ସମ୍ମାନ ବିଶିଷ୍ଟ ସାରସ୍ବତ ସାଧକ ମନୋଜ ଦାସ, ସମ୍ମାନଜନକ ରୁଚି ଦେଶ ଗୌରବ ସମ୍ମାନ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଂଜନ ନାୟକଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଆଇଏଏସ୍‌ ଟପର ସଂଜିତା ମହାପାତ୍ରଙ୍କୁ ରୁଚି ବିଦ୍ୟାସାଗର ସମ୍ମାନ, ସମାଜ ସେବାପାଇଁ ଚଳଚ୍ଚିତ୍ର ତାରକା ସବ୍ୟସାଚୀ ମିଶ୍ରଙ୍କୁ ରୁଚି ଦେଶ ସେବା ସମ୍ମାନ, ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ରୁଚି ବାରବାଟୀ କ୍ରୀଡ଼ା ସମ୍ମାନ, ମାଟ୍ରିକ ଟପର ଜିତେନ ମହାଳିକ ଓ ଯୁକ୍ତ ଦୁଇ ବିଜ୍ଞାନ ଟପର ସୁଦୀପ ସୁଦର୍ଶନ ରଣାଙ୍କୁ ରୁଚି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା।

ମନୋଜ ଦାସଙ୍କ ପକ୍ଷରୁ ତାଙ୍କ ପୁତୁରାବୋହୂ ଡକ୍ଟର ସଂଘମିତ୍ରା ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ। ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସୋଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ବକ୍ତବ୍ୟ ରଖିଥିବା ବେଳେ ଜଗନ୍ନାଥ ରଥ ପ୍ରକାଶନର ମୁଖ୍ୟ ଶୁଭାନ୍ବେଷ ରଥ ମନୋଜ ଦାସଙ୍କ ସଂପର୍କରେ ଆଲୋକପାତ କରିଥିଲେ। ରୁଚି ଫାଉଣ୍ଡେସନର ଯୁଗ୍ମ ସଂପାଦକ ତଥା ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ଦେଶ ଜ୍ୟୋତି ସମ୍ମାନ ପ୍ରାପ୍ତ ମନୋଜ ଦାସଙ୍କ ଲିଖିତ ଶୁଭେଚ୍ଛା ବାର୍ତ୍ତା ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ରୁଚିର ଆଇ.ଟି. ମୁଖ୍ୟ ଶୁଭେନ୍ଦୁ ଶୁଭଦର୍ଶନ ମହାନ୍ତି ବୈଷୟିକ ସହାୟତା ପ୍ରଦାନ କରିଥିଲେ। ‘ହ୍ବାଇଟ୍ କାନଭାସ୍‌’ ଦ୍ବାରା ସଂଚାଳିତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଉଲ୍ଲାସ ଚନ୍ଦ୍ର ବେହୁରା ଓ ଶେଫାଳି ଉଦ୍‌ଗାତା।

ସମ୍ବନ୍ଧିତ ଖବର