ଭୁବନେଶ୍ବର : ବିଜେବି ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାକୁ ନେଇ ୧୧ ଦିନ କାଳ ଧାରଣାରେ ବସିଥିବା ମା’ ବିଦ୍ୟୁତ୍ପ୍ରଭା ମହାନ୍ତି ଧାରଣାରୁ ଓହରି ଯାଇଛନ୍ତି। ତାଙ୍କୁ ସମର୍ଥନ କରି ଅନଶନ ଜାରି ରଖିଥିବା ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଆନ୍ଦୋଳନରୁ ଓହରିଯାଇଛି। ତେବେ ରୁଚିକାଙ୍କୁ ନ୍ୟାୟ ନ ମିଳିବା ଯାଏଁ ଏହି ଲଢ଼େଇ ଜାରି ରହିବ ବୋଲି ବିଦ୍ୟୁତ୍ପ୍ରଭା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆସନ୍ତା ୧୯ ତାରିଖ ଦିନ ଏନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ଓ ଓଡ଼ିଶା ବନ୍ଦ ଡାକରା ଦିଆଯିବ ବୋଲି ସେ କହିଛନ୍ତି।
ବୁଧବାର ଦିନ ଲୋୟର୍ ପିଏମ୍ଜି ଧାରଣାସ୍ଥଳରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ୍ପ୍ରଭାଙ୍କ ସହ ନବନିର୍ମାଣ ଯୁବ ଛାତ୍ର ସଂଗଠନ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବିଦ୍ୟୁତ୍ପ୍ରଭା କହିଛନ୍ତି ଯେ କଲେଜରେ ରାଗିଂ ହୋଇନାହିଁ ବୋଲି ଡିସିପି କହିଛନ୍ତି। ତଦନ୍ତ ଟିମ୍ ମାମଲାକୁ ଚାପି ଦେବାକୁ ଯାଇ ତଦନ୍ତକୁ ବାଟବଣା କରିଛି। ତେଣୁ ଏ ପର୍ଯ୍ୟନ୍ତ କୌଣସି ଜଣେ ହେଲେ ଅଭିଯୁକ୍ତଙ୍କୁ ପୁଲିସ ଠାବ କରିପାରିଲାନାହିଁ। ରାଜ୍ୟ ସରକାର ମଧ୍ୟ ନିରବ ରହିଲେ। ଏଭଳି ସ୍ଥିତିରେ ରାଜ୍ୟବାସୀ ହିଁ ତାଙ୍କ ଝିଅକୁ ନ୍ୟାୟ ଦେଇପାରିବେ। ତେଣୁ ଆସନ୍ତା ୧୪ ଓ ୧୫ ତାରିଖ ଦିନ ରାଜଧାନୀରେ ଏବଂ ୧୬ ତାରିଖରେ କଟକର ସମସ୍ତ କଲେଜ୍ ବୁଲି ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରେ ସାମିଲ୍ ହେବାକୁ ସେ ଅନୁରୋଧ କରିବେ। ୧୭ ତାରିଖ ଦିନ କଟକରେ ଡିଜିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ। ୧୯ ତାରିଖରେ ରାଜ୍ୟବ୍ୟାପୀ ରାସ୍ତାରୋକ କରାଯିବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ନବନିର୍ମାଣ ଯୁବଛାତ୍ର ସଂଗଠନର ସଂଯୋଜକ ମହମ୍ମଦ ମନୱର ଅଲ୍ଲୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ruchika-sucide-case-m10.jpg)