ସମ୍ବଲପୁର: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିବା ଅତ୍ୟନ୍ତ ପୀଡ଼ାଦାୟକ ଓ ଦୁର୍ଭାଗ୍ୟଜନକ। ରାଜଧାନୀ ଭୁବନେଶ୍ବରରେ ଏଭଳି ଘଟଣା ଘଟିବା ଏବଂ ଗତ ୩ ଦିନ ଧରି ସରକାରଙ୍କ ଦ୍ୱାରା ବିଶେଷ ଭାବରେ ପଦକ୍ଷେପ ଗ୍ରହଣ ନ କରିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ। ଏହି ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଆଜି ଏଠାରେ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ସମ୍ବଲପୁର ବିଜେପି ଜିଲ୍ଲା କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଥିଲେ; ଏହା କେବଳ ଗୋଟିଏ ଘଟଣା ନୁହେଁ, ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ କିଛିଦିନ ପୂର୍ବରୁ ଆଉ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ରୂପ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚାଲିଥିବା ରାଗିଂ ମୃତ୍ୟୁ ଘଟଣାରେ ‘ଆଇନ ତା ବାଟରେ ଯିବ’ କହୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିରବ କାହିଁକି? କାହିଁକି ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରୁନାହାନ୍ତି? ବୋଲି ସେ ପ୍ରଶ୍ନ କରିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ ୨୦୦୯ ମସିହାରେ ବିଚାରପତି ଅରଜିତ ପଶାୟତଙ୍କ ଖଣ୍ଡପୀଠ ଦ୍ବାରା କେରଳ ବିଶ୍ବବିଦ୍ୟାଳୟ ସଂପର୍କିତ ମାମଲାର ବିଚାରବେଳେ ଦିଆଯାଇଥିବା ରାୟକୁ ଶୀଘ୍ର ରାଜ୍ୟ ସରକାର ପାଳନ କରନ୍ତୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପୂର୍ବତନ ସିବିଆଇ ନିର୍ଦେଶକ ଡ. ଆର.କେ. ରାଘବନଙ୍କ ନେତୃତ୍ବରେ ରାଗିଂ ନିରାକରଣ ପାଇଁ ଗଠିତ ଏକ କମିଟିର ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ। ଏଥିସହିତ, ଓଡ଼ିଶାରେ ତୁରନ୍ତ ରାଜ୍ୟସ୍ତରୀୟ ଆଣ୍ଟି ରାଗିଂ ଟାସ୍କଫୋର୍ସ ଗଠନ ସହିତ ହେଲ୍ପଲାଇନ୍ ଜାରି କରିବାକୁ ସରକାର ତୁରନ୍ତ ଅଧିନିୟମ ଆଣନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଥିଲେ। ସାମ୍ବାଦିକ ସମ୍ମିଳନୀରେ କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ସମ୍ବଲପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ ଓ ଯୁବମୋର୍ଚ୍ଚାର ରାଜ୍ୟ ଗଣମାଧ୍ୟମ ସହ-ସଂଯୋଜିକା ଅର୍ଚ୍ଚନା ପ୍ରିୟଦର୍ଶିନୀ ବାଗ ଉପସ୍ଥିତ ଥିଲେ।