ରୁଚିକା ଆତ୍ମହତ୍ୟା ଘଟଣା ନେଇ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି : ଅପରାଧ ଓ ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ବଜାୟ ରହିବ

ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ରୁଜୁ କଲେ ମାମଲା

ଭୁବନେଶ୍ବର: ରାଗିଙ୍ଗର ଶିକାର ହୋଇ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଆଜି ବିଧାନସଭାରେ ବିବୃତି ରଖିଛନ୍ତି | ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ କହିଛନ୍ତି ଯେ ରୁଚିକାଙ୍କ ଆତ୍ମହତ୍ୟା ଏକ ସମ୍ବେଦନଶୀଳ ଓ ଦୁଃଖଦ ଘଟଣା। ଘଟଣାକୁ ପୁଲିସ ଗୁରୁତ୍ୱର ସହ ନେଇଛି | ତୁରନ୍ତ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ବଡ଼ଗଡ଼ ଥାନା ପୁଲିସ ତଦନ୍ତ କରୁଛି | ଡିସିପିଙ୍କ ତତ୍ୱାବଧାନରେ ତଦନ୍ତ ଚାଲିଛି | କେସର ଉପଯୁକ୍ତ ତଦନ୍ତ ପାଇଁ କମିସନରେଟ ପୁଲିସ ତରଫରୁ ୩ଟି ଟିମ ଗଠନ କରାଯାଇଛି | ଜଣେ ଅତିରିକ୍ତ ଡ଼ିସିପିଙ୍କୁ ତତ୍ତ୍ୱାବଧାନରେ ତଦନ୍ତର ତଦାରଖ କରାଯାଉଛି | ଏହି ଘଟଣାରେ ପରିବାରର ସଦସ୍ୟ, ମୃତକଙ୍କ ବନ୍ଧୁବର୍ଗଙ୍କ ଦ୍ୱାରା ଉତ୍ଥାପିତ ତଥ୍ୟ ଓ ସୁଇସାଈଡ଼ ନୋଟରେ ଲିଖିତ ସମସ୍ତ ଦିଗକୁ ତଦନ୍ତରେ ସାମିଲ କରାଯାଇଛି | ମୁଖ୍ୟମନ୍ତ୍ରୀଙ୍କ ଅପରାଧ ଓ ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟକୁ ବଜାୟ ରଖିବା ପାଇଁ ଗୃହ ବିଭାଗର ଏସଓପିକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଥାଉ କି ଆଜିର ଗୃହକାର୍ଯ୍ୟ ଶେଷ ହେବା ପୂର୍ବରୁ ଗୃହରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିବୃତି ରଖିବା ପାଇଁ ଲାଗି ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ | ଆଉ ସେଥିପାଇଁ ରୁଚିକା ମୃତ୍ୟୁକୁ ନେଇ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ରଖିଥିଲେ |

ଅନ୍ୟପଟେ ରାଜ୍ୟ ମାନବାଧିକାର କମିଶନ ଆଜି ନିଜ ଆଡୁ ମାମଲା ରୁଜୁ କରି ଜୁଲାଇ ୨୦ ତାରିଖ ସୁଦ୍ଧା ସବିଶେଷ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଭୁବନେଶ୍ୱର-କଟକ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ସେହିପରି ରାଗିଙ୍ଗ ଯୋଗୁଁ ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ତାତିଛି ଛାତ୍ର କଂଗ୍ରେସ | ଆଜି ଛାତ୍ର କଂଗ୍ରେସ କର୍ମୀମାନେ ବିଧାନସଭାରେ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା।

ସମ୍ବନ୍ଧିତ ଖବର