କଟକ: ଓଡ଼ିଶାର ସଫଳ ଶି​ଳ୍ପୋଦ୍ୟୋଗ ‘ରୁଚିର ୪୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଶ୍ରୀ ଲକ୍ଷେଶ୍ୱର ମଣ୍ଡପରେ ‘ରୁଚିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ରାଜ୍ୟ ସୂଚନା କମିଶନର ସୁଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି, ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆର ଟ୍ରଷ୍ଟି ଡକ୍ଟର ସୌରେନ୍ଦ୍ର କୁମାର ମହାପାତ୍ର ବରେଣ୍ୟ ଅତିଥି, ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ନିର୍ଦ୍ଦେଶିକା ରଶ୍ମୀ ସାହୁ ଓ ନିର୍ଦ୍ଦେଶିକା ସଲିନା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ‘ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତଥା ‘ଆହେ ନୀଳଶୈଳ ନାଟକର ପ୍ରଯୋଜିକା ତନୟା ପଟ୍ଟନାୟକ ଓ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ୍‌ଙ୍କୁ ଚଳିତବର୍ଷ ରୁଚି କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହା ସହିତ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଲାଲା ବୀରେନ୍ଦ୍ର ରାୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସମ୍ମାନ ଗ୍ରହଣ ଅବସରରେ ଶ୍ରୀମତୀ ପଟ୍ଟନାୟକ କହିଥିଲେ ଯେ, ସାରା ଓଡ଼ିଶାରେ ‘ରୁଚି ଅନୁଷ୍ଠାନ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଲୋକମାନଙ୍କର ବିଶ୍ୱାସଭାଜନ ହୋଇପାରିଛି। ପବିତ୍ର ରଥଯାତ୍ରା ଦିନରେ ଆହେ ନୀଳଶୈଳ ପାଇଁ ଯେଉଁ ସମ୍ମାନ ମିଳିଛି, ସେଥିପାଇଁ ରୁଚି ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆନ୍ତରିକ କୃତଜ୍ଞତା। ଆହେ ନୀଳଶୈଳ ସମସ୍ତଙ୍କ ହୃଦୟକୁ ଛୁଇଁଛି। ଏସବୁ ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ହୋଇଛି। ସବୁଠି ଭଲପାଇବା, ଆଶୀର୍ବାଦ ଓ ଶୁଭକାମନା ମିଳିଛି। ଦିଲ୍ଲୀ ଓ ବେଙ୍ଗାଲୁରୁରେ ନାଟକ ପ୍ରଦର୍ଶନ ହୋଇଛି। ଏ ନାଟକ ଆଗାମୀ ଦିନରେ କଟକ, ରାଉରକେଲା, ସମ୍ବଲପୁର, କୋରାପୁଟ ସମେତ ଦେଶବିଦେଶର ବିଭିନ୍ନ ସ୍ଥାନରେ ଆୟୋଜନ ହେବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।

Advertisment

ରୁଚିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ ସାହୁ କହିଥିଲେ ଯେ ଦୁଇ ବର୍ଷ ପରେ ‘ରୁଚି ତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଛି। ଏହି ଅବସରରେ ଓଡ଼ିଶାର ପ୍ରତ୍ୟେକ ପରିବାରରେ ରୁଚି ସୁବର୍ଣ୍ଣ ଉପହାର ପହଞ୍ଚାଇବ ବୋଲି ସେ କହିଥିଲେ। ଅନୁଷ୍ଠାନର ବର୍ଷୀୟାନ ମହିଳା କର୍ମଚାରୀ ମୀନା ମଲ୍ଲିକ ରୁଚି ପତାକା ଉତ୍ତୋଳନ କରିଥିଲେ। ପ୍ରତିବର୍ଷ ଭଳି ଚଳିତବର୍ଷ ରୁଚି ପରିବାରର ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ୨୮ଜଣ କର୍ମଚାରୀଙ୍କ ସନ୍ତାନମାନଙ୍କୁ ନଗଦ ଅର୍ଥରାଶି, ନୂଆବସ୍ତ୍ର, ପାଠ୍ୟ ଉପକରଣ ସହିତ ମାନପତ୍ର ପ୍ରଦାନ କରି ରୁଚି ବିଦ୍ୟାର୍ଥୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଲକି ଡ୍ର ମାଧ୍ୟମରେ ୨୦ ଜଣ କର୍ମଚାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ଅର୍ଥରାଶି ଓ ୪୮ ଜଣଙ୍କୁ ସ୍ୱତନ୍ତ୍ର ଉପହାର ପ୍ରଦାନ ସହିତ ସମ୍ମାନିତ କରାଯାଇଥିଲା।

‘ରୁଚିର ଲୋକସଂପର୍କ ବିଭାଗ ମୁଖ୍ୟ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ହ୍ୱାଇଟ କାନଭାସ୍‌ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ, ଅର୍ଥବିଭାଗ ମହାପ୍ରବନ୍ଧକ ସୁବ୍ରମଣ୍ୟମ ପ୍ରସାଦ, ସେଲ୍‌ସ୍ ହେଡ଼୍ ଦିଲ୍ଲୀପ ସାହୁ, ମାର୍କେଟିଂ ହେଡ଼୍ ଦେବବ୍ରତ ପଟ୍ଟନାୟକ, ବିତ୍ତବିଭାଗର ଏଜିଏମ୍ ଚିତ୍ତରଂଜନ ତ୍ରିପାଠୀ, ମାନବସମ୍ବଳ ପ୍ରବନ୍ଧକ ମଧୁସ୍ମିତା ବାରିକ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ନିରାପତ୍ତା ଅଧିକାରୀ ପ୍ରମୋଦ କୁମାର ସାହୁ, ପ୍ରଶାସନିକ ବିଭାଗର ହୃଦୟ ଚନ୍ଦ୍ର ବେହେରା, ଅକ୍ଷୟ କୁମାର ପଣ୍ଡା, ଚିଣ୍ଟୁ ମିଶ୍ର, ଜ୍ଞାନରଂଜନ ରାୟ, ସୂର୍ଯ୍ୟକାନ୍ତ ସାହୁ, ଅରକ୍ଷିତ ରଣା, ଗଗନ କର, ଅଜିତ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମାନବସମ୍ବଳ ବିଭାଗ ସହକାରୀ ମହାପ୍ରବନ୍ଧକ ଅମ୍ବରୀଶ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।