ଭୁବନେଶ୍ବର : ଲଗାତର ତୃତୀୟ ଦିନ ପାଇଁ ବିଧାନସଭାରେ ବିଭ୍ରାଟ ଦେଖାଦେଇଛି। ପ୍ରଥମ ଦୁଇ ଦିନ ବିରୋଧୀ ଦଳ ସଭ୍ୟ ହୋହଲ୍ଲା କରିଥିଲା ବେଳେ ଆଜି ଶାସକ ଦଳ ସଭ୍ୟ ହଙ୍ଗାମା କରିଥିଲେ। ବିରୋଧୀ ବି ଛାଡ଼ି ନ ଥିଲେ। ତିନି ଦଳର ସଭ୍ୟମାନଙ୍କ ହୋହଲ୍ଲା, ପରସ୍ପର ବିରୋଧରେ ନାରାବାଜି ଭିତରେ ଗୃହରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା କିଛି ହୋଇପାରି ନଥିଲା। ଅପରାହ୍ନରେ ବି ସ୍ଥିତି ସ୍ବାଭାବିକ ହୋଇ ନ ଥିଲା। ଫଳରେ ଦିନତମାମ ଗୃହ କାର୍ଯ୍ୟ ମାତ୍ର ୧୬ ମିନିଟ୍‌ରେ ସୀମିତ ରହିଥିଲା।

Advertisment

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ଶାସକ ବିଜେଡି ସଭ୍ୟ ନିଜ ନିଜ ଆସନରେ ଠିଆ ହୋଇପଡ଼ିଲେ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ମିଳୁଥିବା ମାଟ୍ରିକ୍ ପରବର୍ତ୍ତୀ ଶିକ୍ଷା ବୃତ୍ତି ବାବଦକୁ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନ ଗତ ଆର୍ଥିକ ବର୍ଷ ଠାରୁ କମାଇ ଦିଆଯାଇଥିବାରୁ ସେମାନେ ତାହାର ପ୍ରତିବାଦ କରିଥ‌ିଲେ। କେନ୍ଦ୍ର ସରକାର ହାଏ...ହାଏ..., ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଏ...ହାଏ... ନାରାରେ କମ୍ପିଲା ଗୃହ। ଶାସକ ଦଳ ସଭ୍ୟମାନେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଲେଖିଥିବା ଏକ ଚିଠିକୁ ଦେଖାଇ ପ୍ରତିବାଦ କରିଥିଲେ। କିନ୍ତୁ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ଏକ ପ୍ରଶ୍ନର ଉତ୍ତର ଦେବାକୁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଡାକିଲେ। ମନ୍ତ୍ରୀ ତାଙ୍କ ଉତ୍ତର ପଢ଼ୁଥିଲେ ବି କେହି ଶୁଣିପାରୁ ନ ଥିଲେ।

ଶାସକ ଦଳ ସଭ୍ୟଙ୍କ ଏପରି ପ୍ରତିବାଦ ଦେଖି ବିରୋଧୀ ବି ଚୁପ୍ ବସି ନ ଥିଲେ। କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ସଚିବାଳୟରେ ସିବିଆଇ ଅଧିକାରୀ ପଶିଥିବା ନେଇ ହେଉଥିବା ଚର୍ଚ୍ଚାରେ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ। ବିଜେପିର ମାତ୍ର ଦୁଇ ଜଣ ସଭ୍ୟ ଗୃହରେ ଉପସ୍ଥିତ ଥିଲେ ବି ସେମା‌େନ ଠିଆ ହୋଇ ଶାସକ ଦଳକୁ ଆକ୍ଷେପ କରିଥିଲେ। ଜମି, ଜଳ, ଜଙ୍ଗଲ ଖାଇଲା କିଏ, ନବୀନ ପଟ୍ଟନାୟକ ଆଉ କିଏ... ନାରାବାଜି କଲେ।

ଗୃହରେ ଏମିତି ଆକ୍ଷେପ, ପ୍ରତି ଆକ୍ଷେପ ଜାରି ରହିଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ବାଚସ୍ପତି ସବୁ ପକ୍ଷଙ୍କୁ ବସିବା ପାଇଁ ଅନୁରୋଧ କରିଥିଲେ ବି କେହି ଶୁଣି ନ ଥିଲେ। ଶେଷରେ ୧୦ଟା ୩୪ରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ମୁଲତବୀ ପରେ ଶାସକ ଦଳ ସଭ୍ୟମାନେ ଗାନ୍ଧୀ ମୂର୍ତ୍ତି ନିକଟକୁ ଯାଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ‌େସମାନେ ଅଭିଯୋଗ କରିଥିଲେ, ୨୦୧୬-୧୭ ମସିହା ପର୍ଯ୍ୟନ୍ତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ବାବଦରେ ଦିଆଯାଉଥିବା ଅର୍ଥରେ କେନ୍ଦ୍ର ଓ ରାଜ୍ୟ ଅନୁପାତ ୯୦:୧୦ ଥିଲା। କିନ୍ତୁ ୨୦୧୭-୧୮ରୁ କେନ୍ଦ୍ର ଓ ରାଜ୍ୟ ଅନୁପାତ ଓଲଟା ହୋଇ ୨୦:୮୦ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଏ ନେଇ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ନିଜ ଆଦିବାସୀ, ହରିଜନ ମାରଣ ନୀତି ପ୍ରତ୍ୟାହାର କରନ୍ତୁ ବୋଲି ସେମାନେ ଦାବି କରିଥିଲେ।

ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମା‌ତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତିନିଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ପଟ୍ଟାମୁଣ୍ଡାଇର ମାଳିପୁର ଛକ ନିକଟରେ ଚାଷୀମାନେ ଧାରଣା ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତିଙ୍କ ନେତୃତ୍ବରେ ଦଳୀୟ କର୍ମୀମାନେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ। ଏହା ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିଲେ ବି ଚାଷୀମାନଙ୍କ ଏତଲାକୁ ପୁଲିସ୍‌ ଗ୍ରହଣ କଲା ନାହିଁ। ବିଜେଡିର ଏପରି ଦାଦାଗିରି ପାଇଁ ରାଜ୍ୟରେ ବିପଜ୍ଜନକ ସ୍ଥିତି ସୃଷ୍ଟି ହୋଇଛି। ଏହାର ପରିଣାମ ପାଇଁ ରାଜ୍ୟ ସରକାର ଦାୟୀ ରହିବେ।

ବିୟର ଫ୍ୟାକ୍ଟ୍ରି ପ୍ରସଙ୍ଗରେ ଶ୍ରୀ ମିଶ୍ର କହିଲେ, ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟା ହେବା ଘଟଣାରେ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଥିଲା ଓ ତାହାକୁ ବାଚସ୍ପତି ଗ୍ରହଣ କରିଥିଲେ। ଆଜି ତାହା ଆଲୋଚନା ହେବାର ଥିଲା। କିନ୍ତୁ ଶାସକ ଦଳ ସଭ୍ୟମାନେ ଗୃହରେ ବିଶୃଙ୍ଖଳା ସୃଷ୍ଟି କରି ଆଲୋଚନା କରାଇ ନ ଦେବା ଦୁର୍ଭାଗ୍ୟଜନକ। ପ୍ରଶ୍ନକାଳ ବାତିଲ ହେଲେ ଶାସକ ଦଳ ସଭ୍ୟମାନେ ବିରୋଧୀଙ୍କୁ ଦୋଷ ଦିଅନ୍ତି। ଆଜି ସେମାନେ କିପରି ବିଶୃଙ୍ଖଳା ସୃଷ୍ଟି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କଲେ? ସରକାର ଓ ଶାସକ ଦଳ ଆଲୋଚନାକୁ ଡରିଲେ ବୋଲି ସେ ଆକ୍ଷେପ କରିଥିଲେ।

ସିବିଆଇ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା କହିଲେ, ସିବିଆଇ ସଚିବାଳୟରେ ପଶିଛି ବୋଲି ଏକ ଖବରକାଗଜରେ ଖବର ପ୍ରକାଶ ପାଇଛି। ବାସ୍ତବରେ ସିବିଆଇ ଅଧିକାରୀମାନେ ସଚିବାଳୟ ଯାଇଥିଲେ କି? ଏଥି ପାଇଁ ସରକାରଙ୍କ ଅନୁମତି ନେଇଥିଲେ କି? କେଉଁଥି ପାଇଁ ସେମାନେ ସଚିବାଳୟ ଯାଇଥିଲେ? ଯଦି ଏହା ସତ୍ୟ ହୋଇଥିବ, ତେବେ ସାଂଘାତିକ। ସରକାର ଏ ନେଇ ଗୃହରେ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି। ଯଦି ଏହା ଭୁଲ୍, ତେବେ ଏପରି ଖବର ପରିବେଷଣରୁ ନିବୃତ୍ତ ରହିବାକୁ ସଂପୃକ୍ତ ଖବରକାଗଜକୁ କୁହାଯାଉ। ଏ ନେଇ ସରକାରଙ୍କୁ ବାଚସ୍ପତି ନିର୍ଦେଶ ଦିଅନ୍ତୁ।

ଏହା ପରେ ସରକାରୀ ଦଳ ମୁଖ୍ୟ ସ‌େଚତକ ଅମର ପ୍ରସାଦ ଶତପଥୀ କହିଲେ, ଛାତ୍ରବୃତ୍ତି ପ୍ରସଙ୍ଗ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହାକୁ ଗୃହରେ ଉଠାଇ ଶାସକ ଦଳ କିଛି ଭୁଲ୍ କରି ନାହିଁ। ଲକ୍ଷାଧିକ ଛାତ୍ରଛାତ୍ରୀ ଏଥିରେ ସଂପୃକ୍ତ ଥିବାରୁ ଏହି ପ୍ରସଙ୍ଗ ଉପରେ ବିଚାର କରାଯିବା‌ ଉଚିତ।

ତେବେ ଏହା ପରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ସିବିଆଇ ପ୍ରସଙ୍ଗରେ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ। ସେମାନେ ହୋହଲ୍ଲା କରିବାକୁ ୩ଟା ୧୧ରେ ବାଚସ୍ପତି ଗୃହକୁ ୩୦ ମିନିଟ୍ ପାଇଁ ମୁଲତବୀ ରଖିଲେ। ୩ଟା ୪୧ରେ ସମାନ ସ୍ଥିତି ହେବାରୁ ମାତ୍ର ଗୋଟିଏ ମିନିଟ୍‌ରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଗଲା।

ଗୃହ ବାହାରେ ଗଣମାଧ୍ୟମକୁ ବିଜେପି ସଭ୍ୟ ପ୍ରଦୀପ ପୁରୋହିତ କହିଥିଲେ, କେନ୍ଦ୍ର ସରକାର ଯାହା ନିୟମ କରୁଛନ୍ତି, ତାହା ସବୁ ରାଜ୍ୟ ପାଇଁ ଲାଗୁ ହେଉଛି। ଆଜି ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟା ପ୍ରସଙ୍ଗରେ ମୁଲତବୀ ଆଲୋଚନା ଥିଲା। ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି ବୋଲି ସରକାର କହୁଥିଲା ବେଳେ ମୁଲତବୀ ଆଲୋଚନା କରାଇ ନ ଦେବା ପାଇଁ ଶାସକ ଦଳ ସଭ୍ୟମାନେ ଛାତ୍ର ବୃତ୍ତି ପ୍ରସଙ୍ଗରେ ହୋହଲ୍ଲା କରିଥିଲେ। ଗତ ୧୭ ତାରିଖ‌େର ମୁଖ୍ୟମନ୍ତ୍ରୀ ଚିଠି ‌େଲଖିଥିଲେ। କିନ୍ତୁ ଆଜି ହଠାତ୍ ତାହାକୁ ଦେଖାଯାଇ ଗୃହରେ ପାଟିତୁଣ୍ଡ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ।