ବିଧାନସଭାରେ ଅଚଳାବସ୍ଥା

ପ୍ରଶ୍ନକାଳ ୧ ମିନିଟ୍‌, ଶୂନ୍ୟକାଳ ୪ ମିନିଟ୍‌, ଅପରାହ୍ନରେ ବିରୋଧୀଙ୍କ କକ୍ଷତ୍ୟାଗ

ଭୁବନେଶ୍ୱର : ରାଜ୍ୟର ବିଶୃଙ୍ଖଳିତ ଶାସନ ବ୍ୟବସ୍ଥା ନେଇ କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କଲେନି। କଂଗ୍ରେସ ସଭ୍ୟମାନେ ତାତିଯାଇ ଗୃହ କମ୍ପାଇଲେ। ବିଜେପି ସଭ୍ୟ ଦାବି କଲେ, ବିଜୁ ଯୁବ ବାହିନୀ ଖର୍ଚ୍ଚର ଅଡିଟ୍‌ ହେଉ। ଦୁଇଟି ଯାକ ପ୍ରସଙ୍ଗକୁ ନେଇ ଦୁଇ ବିରୋଧୀ ଦଳ ଏପରି ଅଡ଼ି ବସିଲେ ଯେ ଆଜି ପୂରା ଦିନ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହେଲା। ପ୍ରଶ୍ନକାଳ ଆଦୌ ହୋଇପାରିଲାନି। ଶୂନ୍ୟକାଳ ୪ ମିନିଟ୍‌ରେ ସୀମିତ ହେଲା। ଅପରାହ୍ନରେ ବିନା ବିରୋଧୀ ଦଳରେ ୭ ବିଲ୍‌ ଗୃହୀତ ହେଲା।

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ମୁଲତବୀ ପ୍ରସ୍ତାବ କାହିଁକି ଗ୍ରହଣ ହେଲାନି ବୋଲି ପ୍ରଶ୍ନ କଲେ କଂଗ୍ରେସ ସଭ୍ୟ। ମୁଲତବୀ ପ୍ରସ୍ତାବ ଗ୍ରହଣ କରିବାକୁ ଦାବି କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ସେମାନେ ନାରାବାଜି କଲେ। ବିଜୁ ଯୁବ ବାହିନୀ ପାଇଁ ବରାଦ ହୋଇଥିବା ଅର୍ଥର ଅଡିଟ୍‌ ପାଇଁ ରାଜ୍ୟ ସରକାର ଏଜିଙ୍କୁ ସହଯୋଗ କରୁ ନାହାନ୍ତି ବୋଲି ବିଜେପି ସଭ୍ୟ ଆରୋପ ଲଗାଇ ସ୍ଲୋଗାନ୍‌ ଦେଇଥିଲେ। ଫଳରେ ଗୋଟିଏ ମିନିଟ୍‌ରେ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ଗୃହ ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ସେ କହିଲେ, କଂଗ୍ରେସ ପକ୍ଷରୁ ଆଜି ଏକ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। ତାହାର ଶୀର୍ଷକ ଥିଲା ‘ରାଜ୍ୟରେ ଚାଲୁଛି ବିଶୃୃଙ୍ଖଳିତ ଶାସନ ବ୍ୟବସ୍ଥା : ରାଜ୍ୟବାସୀଙ୍କୁ ଦଇବ ଶାହା’। କିନ୍ତୁ ବାଚସ୍ପତି ତାହାକୁ ଗ୍ରହଣ କଲେ ନାହିଁ। କୁହାଗଲା ଯେ ଏଥିରେ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ନାହିଁ। ଏହା କି ପ୍ରକାର ଯୁକ୍ତି ବୁଝାପଡ଼ୁନି। ବାସ୍ତବ କଥା ହେଉଛି ସରକାରଙ୍କ ସତ୍‌ସାହସ ନାହିଁ ଶାସନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବାକୁ। ଶାସନ ବ୍ୟବସ୍ଥା ଭୁଶୁଡ଼ିଗଲାଣି। କେହି କାହା କଥା ମାନୁ ନାହାନ୍ତି। କର୍ମଚାରୀ ମନ୍ତ୍ରୀଙ୍କ କଥା ମାନୁ ନାହାନ୍ତି। ତଳ ପାହ୍ୟାର କର୍ମଚାରୀ ଉପର ପାହ୍ୟାର ଅଧିକାରୀଙ୍କ କଥା ମାନୁ ନାହାନ୍ତି। ସରକାରଙ୍କ ଏକଛତ୍ର ମନୋଭାବ ଯୋଗୁଁ ବିରୋଧୀ ଦଳଙ୍କ କଥା ଶୁଣିବାକୁ ଚାହୁଁ ନାହାନ୍ତି। ବିରୋଧୀ ଦଳ ଉଚିତ ଉପଦେଶ ଦେଲେ ବି ତାହା ଗ୍ରହଣ କରୁ ନାହାନ୍ତି। ଏଥିପାଇଁ ସରକାର ବାରମ୍ବାର ଅପଦସ୍ଥ ହେଉଛନ୍ତି। ବାରମ୍ବାର ଏପରି ଅଭିଜ୍ଞତା ସତ୍ତ୍ୱେ ସରକାର କାଲି ପୁଣି ସେହି ଭୁଲ୍‌ କଲେ। ସମ୍ବିଧାନ ସଂଶୋଧନ ପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଯେପରି ଗୁରୁତ୍ୱ ସହକାରେ ବିଚାର କରି ବିଧାନସଭାରେ ପ୍ରସ୍ତାବ ଗୃହୀତ କରାଯିବା କଥା, ସରକାର ସେଥି ପ୍ରତି ଦୃଷ୍ଟି ଦେଇ ନାହାନ୍ତି। ବୋଧହୁଏ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କାର୍ଯ୍ୟ କରାଯାଇଛି। ସରକାରଙ୍କ ଆନ୍ତରିକତାର ଅଭାବ ସ୍ପଷ୍ଟ ଜଣାପଡ଼ୁଛି। ଯେଉଁ ସଂକଳ୍ପ ଏକତରଫା ଭାବେ ଗୃହୀତ କରାଯାଇଛି, ତାହା ଯଦି ସଂସଦରେ ଉପସ୍ଥାପନ ହେବ ତେବେ ଆମେ ଅପଦସ୍ଥ ହେବା। କେବଳ ଗୋଟିଏ ଦିନ ନୋଟିସ୍‌ ଦେଇ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ କରାଯିବା ଅନୁଚିତ। ସରକାରଙ୍କ ଏପରି ଏକଛତ୍ର ମନୋଭାବର କଂଗ୍ରେସ ପ୍ରତିବାଦ କରୁଛି।

୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ପୁଣି କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ିଆସିଲେ। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ବିଜୁ ଯୁବ ବାହିନୀ ଅଡିଟ୍‌ କଥା ଉଠାଇଥିଲେ। ସରକାର କିପରି ଅଡିଟ୍‌ରେ ଅସହଯୋଗ କରୁଛନ୍ତି, ତାହା ସେ ଦର୍ଶାଇଥିଲେ। ଶ୍ରୀ ସିଂହଦେଓଙ୍କ କଥା ସରି ନ ଥିଲା ବେଳେ ବାଚସ୍ପତି ବିଜେଡିର ସମୀର ଦାଶଙ୍କୁ କହିବା ପାଇଁ ସୁଯୋଗ ଦେଲେ। ଏଥିରେ ଶ୍ରୀ ସିଂହଦେଓ ଉତ୍‌କ୍ଷିପ୍ତ ହୋଇ ବଡ଼ ପାଟିରେ ନିଜ ଅସନ୍ତୋଷ ଜାହିର କରୁଥିଲେ। ତେବେ ହୋହଲ୍ଲା ଭିତରେ କିଛି ଶୁଣାଯାଉ ନ ଥିଲା। ଶାସକ ଦଳ ସଭ୍ୟ ସମୀର ଦାଶ ଓ ବ୍ୟୋମକେଶ ରାୟ ଓଡ଼ିଶା ପ୍ରତି ଅଭିଜିତ ଆୟାର ଗତ ବର୍ଷ କିପରି ଅପମାନସୂଚକ ମନ୍ତବ୍ୟ ଦେଇଥିଲେ ତାହା କହିବା ସହ ପ୍ରତିବାଦ ଜଣାଇଥିଲେ। ତେବେ ହୋହଲ୍ଲା ଜାରି ରହିଥିବାରୁ ୧୧ଟା ୩୪ରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ମୁଲତବୀ ପ୍ରସ୍ତାବ ଗ୍ରହଣ ହୋଇ ନ ଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ସରକାର କିପରି ଏକଛତ୍ରବାଦ ଶାସନ ଚଳାଇଛନ୍ତି ଓ ଗୃହରେ ବିରୋଧୀ ଦଳର ସ୍ୱରକୁ କିପରି ଚପାଇ ଦିଆଯାଉଛି, ସେ ନେଇ ଭର୍ତ୍ସନା କରିଥିଲେ। ଶ୍ରୀ ମିଶ୍ର କହିସାରିଲା ପରେ ଅସନ୍ତୋଷ ପ୍ରକାଶ କରି ୩ଟା ୨୫ରେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।

ଏହା ପରେ ବିଜେପି ସଭ୍ୟ ପ୍ରଦୀପ ପୁରୋହିତ ଅସନ୍ତୋଷ ପ୍ରକାଶ କରି କହିଲେ, ବିରୋଧୀଙ୍କ ବିନା ଏଠାରେ ବିଲ୍‌ ଗୃହୀତ ହୋଇପାରୁଛି। ଶାସକ ଦଳରେ ବହୁ ଜ୍ଞାନୀ ଲୋକ ଅଛନ୍ତି। ଏକପାଖିଆ ବିଧାନସଭା ଚଳାଇବାରେ କିଛି ଅସୁବିଧା ନାହିଁ। ଏହା ପରେ ବିଜେପି ସଭ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ।

ଏହା ପରେ ବିନା ବିରୋଧୀ ଦଳରେ ଗୃହ କାର୍ଯ୍ୟ ଚାଲିଲା। ସାତଟି ବିଲ୍‌ ଗୃହୀତ ହେଲା। ୫ଟା ୩୩ରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ସମ୍ବନ୍ଧିତ ଖବର