ଭୁବନେଶ୍ୱର : ମହିଳା ଓ ଶିଶୁଙ୍କୁ ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୁଣି ଥରେ ତାଙ୍କ ଅସନ୍ତୋଷ ମୁଖ୍ୟମନ୍ତ୍ରୀଙ୍କ ଉପରେ ଝାଡିଛନ୍ତି। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଥିଲେ, ନୀଳଗିରି ଓ ସୋର ଘଟଣାରେ ବିରୋଧୀ ଦଳ ହଟ୍ଟଗୋଳ କଲେ ବୋଲି ଏହି ପ୍ରସଙ୍ଗରେ ଆଲୋଚନା ଲାଗି ନିଷ୍ପତ୍ତି ହେଲା। ଗତକାଲି ମୁଲତବୀ ପ୍ରସ୍ତାବ ଆସିଲା। ବିତର୍କ ହେଲା। ଫଳ କଣ ବାହାରିଲା? ଏହାକୁ ରୋକିବା ତଥା ଅପରାଧୀଙ୍କୁ ଧରିବା ଲାଗି ସରକାର କଣ କରୁଛନ୍ତି ତାହା ଜାଣିବା ଥିଲା ଆଲୋଚନାର ଉଦ୍ଦେଶ୍ୟ। ହେଲେ ମୁଖ୍ୟମନ୍ତ୍ରୀ ଏସବୁ ପ୍ରସଙ୍ଗକୁ ଛୁଇଁଲେ ବି ନାହିଁ।
ମହିଳାଙ୍କ ଜୀବନ, ସଂପତ୍ତି ଓ ସମ୍ମାନ ରାଜ୍ୟରେ ଆଉ ନିରାପଦ ନୁହେଁ ବୋଲି ସୂଚାଇ ବିରୋଧୀ ଦଳ ନେତା କହିଥିଲେ, ଦେଶର ରାଷ୍ଟ୍ରପତି ମଧ୍ୟ ଦୁଷ୍କର୍ମ ଘଟଣାରେ ଉଦ୍ବେଗ ପ୍ରକାଶ କଲେଣି। ମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଏ ସଂପର୍କରେ ପଦୁଟିଏ ବି କହିଲେନି। ଆଜି ବିଭିନ୍ନ ଗଣମାଧ୍ୟମ ସଂପାଦକୀୟ ପୃଷ୍ଠାରେ ବାହାରିଥିବା ଖବରକୁ ଦେଖାଇ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ରାଜନୀତି ଉର୍ଧ୍ୱରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ତାକୁ ମଧ୍ୟ ନାପସନ୍ଦ କରିଥିଲେ। ‘ସମ୍ବାଦ’ରେ ଆଜି ଏକ ସ୍ତମ୍ଭ ଜରିଆରେ ସ୍ତମ୍ଭକାର ଯୋଗେନ୍ଦ୍ର ଯାଦବ ଯାହା ସୂଚନା ଦେଇଛନ୍ତି,ତାକୁ ସରକାର ପଢିବା ଦରକାର ବୋଲି ସୂଚାଇ ଶ୍ରୀ ମିଶ୍ର କହିଥିଲେ, ସେଥିରେ କୁହାଯାଇଛି, ନାରୀ ସୁରକ୍ଷା ନେଇ ରାଜନୀତି ହେବା ଦରକାର।
ବିରୋଧୀ ଦଳ ନେତା କହିଥିଲେ ଯେ ପ୍ରତିଦିନ ରାଜ୍ୟରେ ୬ଟି ଦୁଷ୍କର୍ମ ହେଉଛି। ଏ ପ୍ରସଙ୍ଗରେ ସବୁଦିନ ଆଲୋଚନା ହୋଇପାରିବ ନାହିଁ। ମାତ୍ର ଗଣମାଧ୍ୟମ ପ୍ରତିଦିନ ଏ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହା ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚୁନି? ଯଦି ମୁଖ୍ୟମନ୍ତ୍ରୀ କିଛି ବି କହିବେନି, ତେବେ ବିଧାୟକମାନେ କାହାକୁ କହୁଛନ୍ତି? ଏଠି କଣ ମଜାକ୍ ଚାଲିଛି?
ସେହିଭଳି ଗତକାଲି ପିଇବା ପାଣି ସଂକ୍ରାନ୍ତରେ ବିଧାୟକମାନେ ସେମାନଙ୍କର ଉଦ୍ବେଗ ରଖିଲେ। ମାତ୍ର ମନ୍ତ୍ରୀଙ୍କ ଉତ୍ତର ଠିକ୍ ନଥିଲା। ଯଦି ଏତେ ସଂଖ୍ୟକ ପ୍ରକଳ୍ପ ହୋଇଛି, ତେବେ ପାଣି କୁଆଡେ ଗଲା?
ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ, ବିରୋଧୀ ଦଳ ନେତା ଯେଉଁ ଉଦ୍ବେଗ ପ୍ରକାଶ କରୁଛନ୍ତି, ସେ ନେଇ ମୁଖ୍ୟମନ୍ତ୍ରୀଙ୍କର ଭିନ୍ନ ମତ ନାହିଁ। ତେବେ ଆସନ୍ତା ଦିନରେ ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ଏ ନେଇ ଅଧିକ ବିତର୍କର ସୁଯୋଗ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/ass1.jpg)