ସର୍ବଦଳୀୟ ବୈଠକରେ ବାହାରିଲା ସମାଧାନର ରାସ୍ତା
ଗଣମାଧ୍ୟମକୁ କଟକଣା ଦିନକ ପାଇଁ ଥିଲା: ବାଚସ୍ପତି
ଆଲୋଚନା ବେଳେ ଅଫିସର ଗ୍ୟାଲେରିରେ ରହିବାକୁ ବାଧ୍ୟ
ଭୁବନେଶ୍ବର : ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଲା। ସନ୍ଧ୍ୟା ୫ଟା ୫୦ରେ ବାଚସ୍ପତି ପୁଣି ରୁଲିଂ ଦେଇ କହିଲେ ଯେ ବିଭିନ୍ନ ସମୟରେ ଦେଖାଯାଉଛି, ଯେତେବେଳେ ବିଧାନସଭାରେ ଆଲୋଚନା ଚାଲୁଛି,ସେତେବେଳେ ଅଫିସରମାନେ ସେମାନଙ୍କ ଲାଗି ଉଦ୍ଦିଷ୍ଟ ଗ୍ୟାଲେରିରେ ରହୁନାହାନ୍ତି। ଯେତେବେଳେ ଯେଉଁ ବିଭାଗର ଆଲୋଚନା ହେଉଛି, ସେତେବେଳେ ସେହି ବିଭାଗର ଅଧିକାରୀମାନେ ଗ୍ୟାଲେରିରେ ରହିବାକୁ ବାଧ୍ୟ। ମୁଖ୍ୟଶାସନ ସଚିବ ଅଫିସରଙ୍କ ଉପସ୍ଥିତିକୁ ନିଶ୍ଚିତ କରିବେ। କେବଳ ସେତିକି ନୁହେଁ, ଗତକାଲି ଏକ ସ୍ବତନ୍ତ୍ର ପରିବେଶରେ କିଛି ଘଟଣା ଗଣମାଧ୍ୟମରେ ପ୍ରକାଶ କରାଯିବନାହିଁ ବୋଲି ରୁଲିଂ ଦିଆଯାଇଥିଲା। ମାତ୍ର ଏହା ସେହି ଦିନକ ପାଇଁ ଉଦ୍ଦିଷ୍ଟ ଥିଲା। ସଭ୍ୟମାନେ ଗୃହ ଆଲୋଚନାରେ ଭାଗ ନିଅନ୍ତୁ ଓ ସହଯୋଗ କରନ୍ତୁ।
ବାଚସ୍ପତିଙ୍କ ଏଭଳି ରୁଲିଂ ସହିତ ବିଧାନସଭା ବଜେଟ୍ ଅଧିବେଶନରେ ଗତକାଲିଠାରୁ ଦେଖାଦେଇଥିବା ଅଚଳାବସ୍ଥାରେ ପରିସମାପ୍ତି ଘଟିଛି। ଗୃହ ସ୍ବାଭାବିକ ହୋଇଛି ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇଛି।
ବିଧାନସଭା ଗୃହ ମଧ୍ୟ ଭାଗକୁ କୌଣସି ସଭ୍ୟ ଆସି ହଟ୍ଟଗୋଳ କଲେ ସେ ସମ୍ପର୍କରେ ଗଣମାଧ୍ୟମ ଖବର ପ୍ରକାଶ କରିପାରିବେ ନାହିଁ କି ଲେଖିପାରିବେ ନାହିଁ। ଗୁରବାର ଦିନ ବାଚସ୍ପତି ଦେଇଥିବା ଏମିତି ରୁଲିଂରୁ ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ପୂର୍ବାହ୍ନରେ ବିଧାନସଭା ମୁଲତବୀ ହୋଇଥିବା କାରଣରୁ ଆଜି ବିରୋଧୀ ସଭ୍ୟମାନଙ୍କ ରୋଷ ଦେଖିବାକୁ ମିଳିଥିଲା ଗୃହରେ।
ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ଆଜି ସକାଳୁ ଗୃହରେ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ବାଚସ୍ପତିଙ୍କ ବିରୋଧରେ ସ୍ଲୋଗାନ ବାଜି କରିବା ସହିତ ଶୁକ୍ରବାର ଦେଇଥିବା ରୁଲିଂ ପ୍ରତ୍ୟାହାର କରିନେବା ଲାଗି ଦାବି କରିଥିଲେ। ‘ବାଚସ୍ପତିଙ୍କ ବ୍ରିଟିସ୍ ଶାସନ ଚଳିବ ନାହିଁ’, ‘ରୁଲିଂ ପ୍ରତ୍ୟାହାର ଆମର ଦାବି’ ବୋଲି ନାରା ଦେଇ ଗର୍ଜନ କରିଥିଲେ। ବାଚସ୍ପତି ସଭ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯିବା ଲାଗି ଯେତେଥର ପ୍ରବର୍ତାଇଥିଲେ ବି କେହି ଶୁଣିନଥିଲେ। ପରିଣାମ ହେଲା, ପ୍ରଶ୍ନକାଳ ହୋଇପାରିନଥିଲା। ଶୂନ୍ୟକାଳରେ ମଧ୍ୟ ସ୍ଥିତି ଅପରିବର୍ତିତ ରହିବାରୁ ୪ମିନିଟ୍ ଚାଲିଥିଲା ଗୃହକାର୍ଯ୍ୟ। ‘ଗୋଳନ୍ଥରା ଥାନା େମନ୍ଦ୍ରାରାଜପୁର ଅପରାଧିକ ଅବହେଳାରୁ ସରକାର ହେଲେ ଯମ, ଅକାଳରେ ଲିଭିଗଲା ୧୦ ଅମୂଲ୍ୟ ଜୀବନ’ ଶୀର୍ଷକରେ ବିରୋଧୀ ଦଳ ଦେଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରିନଥିଲା। ସେହିଭଳି ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ତାଙ୍କ ପୂର୍ବ ଦାବିରେ ଅଟଳ ରହିଥିଲେ। ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଅପରାହ୍ନ ୩ଟା ୩ରୁ ୩ଟା ୧୮, ୩ଟା ୨୦ରୁ ୩ଟା ୫୦ ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ବାଚସ୍ପତି କହିଥିଲେ, ଏ ପ୍ରସଙ୍ଗରେ ସମାଧାନ ରାସ୍ତା କାଢିବା ଲାଗି ଅପରାହ୍ନ ୫ଟାରେ ସର୍ବଦଳୀୟ ବୈଠକ ବସିବ। ଏଥିସହିତ ୩ଟା ୫୧ରୁ ୫ଟା ୩୦ ଯାଏ ଗୃହ ମୁଲତବୀ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/assembly-1-1.jpg)