ଦୁର୍ନୀତି ନେଇ ତାତିଲେ : ଲୋକାୟୁକ୍ତ ନିଯୁକ୍ତିକୁ ଭୟ କାହିଁକି?

ବିନା ଅନୁଧ୍ୟାନରେ ଏନ୍‌ଟିପିସି ପ୍ରକଳ୍ପକୁ ଅନୁମତି ନ ମିଳୁ, କେନ୍ଦ୍ରକୁ ଟାର୍ଗେଟ କଲା ଶାସକ ଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଦୁର୍ନୀତିର ଗନ୍ତାଘର ପାଲଟିଛି। କେନ୍ଦ୍ର ସରକାର ମଧ୍ୟ। ଆଜି ପ୍ରଥମ ଅତିରିକ୍ତ ବଜେଟ୍‌ ଲାଗି ଆଗତ ବ୍ୟୟ ମଞ୍ଜୁରି ବିଲ୍‌ ଆଲୋଚନାରେ ଭାଗ ନେଇ କେତେବେଳେ ସିଧାସଳଖ, ଆଉ କେତେବେଳେ ବୁଲେଇ ବଙ୍କେଇ ଏମିତି ଅଭିଯୋଗକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲା ବିରୋଧୀ କଂଗ୍ରେସ। ଶାସକ ଦଳ ନେତାଙ୍କ ମନ୍ତବ୍ୟ ଠାରୁ ଆରମ୍ଭ କରି ଖଣି ଦୁର୍ନୀତି ଯାଏ ଅନେକ ପ୍ରସଙ୍ଗ ଗୃହ ସାମ୍ନାକୁ ଆଣିଥିଲେ। ଅନ୍ୟପକ୍ଷରେ ଟଙ୍କାର ମୂଲ୍ୟ ଉଦ୍‌ବେଗଜନକ ଭାବେ ହ୍ରାସ, ତୈଳ ଦର ଆକାଶଛୁଆଁ ହେବା, ଜିଏସ୍‌ଟି, ବିମୁଦ୍ରୀକରଣ, ନିଯୁକ୍ତି ସଙ୍କଟ ଆଦି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲା ଶାସକ ଦଳ।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଗଣମାଧ୍ୟମରେ ଦୁର୍ନୀତି ଖବର ଛାଇଗଲାଣି। ଜଣେ ପୂର୍ବତନ ମନ୍ତ୍ରୀ ସିଧାସଳଖ ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀ, ଏକାଧିକ ବିଭାଗ ଓ ବ୍ୟୁରୋକ୍ରାଟ୍‌ଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଆଜି ଶାସକ ଦଳର ଜଣେ ବିଧାୟକ ଅନ୍ୟ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଦୁର୍ନୀତି ପ୍ରସଙ୍ଗକୁ ଟାଣିଲେଣି। ଶାସକ ଦଳର ବିଧାୟକମାନଙ୍କ ବୟାନ ହିଁ ସୂଚାଉଛି ଯେ ରାଜ୍ୟରେ ବ୍ୟାପକ ଦୁର୍ନୀତି ଚାଲିଛି। କୌଣସି ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି।

ବିରୋଧୀ ଦଳ ନେତା କହିଥିଲେ, ଏନ୍‌ଟିପିସି ପ୍ରସଙ୍ଗରେ ଯଦି ରାଜ୍ୟ ସରକାର ରଖିଥିବା ଯୁକ୍ତି ଠିକ୍‌ ଥାଏ, ତେବେ ଏହି ପ୍ରକଳ୍ପକୁ ଅନୁମତି ଦିଆଯିବା ଉଚିତ୍‌ ନୁହେଁ। ତେବେ ଏହି ପ୍ରସଙ୍ଗ ଗୃହକୁ ସାମ୍ନାକୁ ଅଣାଯାଇ ଏହାର କ୍ଷୟକ୍ଷତି ଆଲୋଚନା କରାଯିବା ଆବଶ୍ୟକତା ରହିଛି। ଅନ୍ୟଥା ଏକ କମିଟି ଗଠନ କରାଯିବା ପରେ ଏ ସଂକ୍ରାନ୍ତରେ ସରକାର ନିଷ୍ପତ୍ତି ନିଅନ୍ତୁ। ଯଦି ବିନା ଆଲୋଚନାରେ ସରକାର ନିଷ୍ପତ୍ତି ନିଅନ୍ତି, ତେବେ ଏହାକୁ ଦୁର୍ଭାଗ୍ୟଜନକ ବୋଲି କୁହାଯିବ। ଏମିତିରେ ବି ପ୍ରଧାନମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦିଅନ୍ତି, ତାହା କାର୍ଯ୍ୟକାରୀ ହୁଏ ନାହିଁ। ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ମେଡିକାଲ କଲେଜ କଥା ପ୍ରଧାନମନ୍ତ୍ରୀ କହିଥିଲେ। ଏହାକୁ କାର୍ଯ୍ୟକାରୀ ତ କରାଗଲା ନାହିଁ, ବରଂ ଦୀର୍ଘ ୭୧ ଦିନ ବ୍ୟାପୀ ଚାଲି ଚାଲି ଦିଲ୍ଲୀ ଯାଏ ଯାଇଥିବା ମୁକ୍ତିକାନ୍ତ ବିଶ୍ୱାଳକୁ ବି ପ୍ରଧାନମନ୍ତ୍ରୀ ସାକ୍ଷାତ କଲେ ନାହିଁ। ଏ ପ୍ରସଙ୍ଗରେ ସେ ନିଜେ ଲେଖିଥିବା ଚିଠିର ବି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଉତ୍ତର ଆସିଲାନି। ଶ୍ରୀ ମିଶ୍ର କହିଥିଲେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଓଡ଼ିଶାର ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ଭେଟିବାକୁ ସମୟ ଦେଲେ ନାହିଁ। ରାଜ୍ୟ ସରକାରଙ୍କର ଆନ୍ତରିକତା ଏତେ ଯେ ବିଧାନସଭାର ଏହି କମିଟି ମଧ୍ୟ ବସୁନାହିଁ।

ଲୋକାୟୁକ୍ତ ପ୍ରସଙ୍ଗରେ ଆଜି ବିରୋଧୀ ଦଳ ନେତା ଗର୍ଜନ ତର୍ଜନ କରିଥିଲେ। କହିଥିଲେ, ଏହି ଆଇନ ପାରିତ କରିବା ବେଳେ ରାଜ୍ୟ ସରକାର ବାହା ବା ନେଇଥିଲେ। ହେଲେ ଆଜି ଯାଏ ଲୋକାୟୁକ୍ତ ନିଯୁକ୍ତି ଦିଆଗଲା ନାହିଁ। ସରକାରଙ୍କର ଭୟ କାହିଁକି? ଜୁଲାଇ ୧୦ ତାରିଖରେ ସୁପ୍ରିମକୋର୍ଟ ୩ମାସ ସମୟ ଦେଇଛନ୍ତି। ଆଜିଯାଏ କିନ୍ତୁ ଚୟନ କମିଟି ଗଠନ ହେଲା ନାହିଁ। ପୁଣି ସର୍ଚ୍ଚ କମିଟି ଓ ପ୍ୟାନେଲ ଆଦି ବଛାଯିବା କଥା ରହିଛି।

ରାଜନୈତିକ ଦୁର୍ନୀତି ଓ ଆଇନ ଅନୁସାରେ ଥିବା ଦୁର୍ନୀତି। ଏଭଳି ପ୍ରକାର ଭେଦ ସଂପର୍କରେ ସୂଚାଇ ଶ୍ରୀ ମିଶ୍ର କହିଥିଲେ, ଜଣେ ପୂର୍ବତନ ସାଂସଦ ଅଫିସରମାନଙ୍କର ବୈଠକ ନେଇପାରିବେ? କେଉଁ ନିୟମ ବା ଆଇନ ବଳରେ ନେବେ? କୌଣସି ସାଂସଦ ନିଜ ସମୀକ୍ଷା ବୈଠକ ବେଳେ ବାପା ମା’, ଭାଇଙ୍କୁ ବସାଇ ଅଫିସରମାନଙ୍କୁ ମନଇଚ୍ଛା ଗାଳିଦେବେ? ଏମିତି ହେଲା। କିନ୍ତୁ ରାଜ୍ୟ ସରକାର କିଛି ବି କାର୍ଯ୍ୟାନୁଷ୍ଠାନ ନେବେନି, ତେବେ ରାଜ୍ୟରେ କେମିତି ପ୍ରଶାସନ ଚାଲିଛି?

ବିଜୁ ଯୁବ ବାହିନୀରେ କେଉଁ ନିୟମ ଭିତ୍ତିରେ ହୋଇଛି, କାହିଁକି ଏଠାରେ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ନିୟମ ଲାଗୁ ହୋଇନାହିଁ, ମହିଳାଙ୍କ ସଂରକ୍ଷଣ ବ୍ୟବସ୍ଥା କରାଯାଇନାହିଁ ସେ ନେଇ ଆପତ୍ତି ଉଠାଇଥିଲେ। ସେ ପରୋକ୍ଷରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ତରିକାକୁ ବି ବିରୋଧ କରିଥିଲେ। ସମସ୍ତଙ୍କୁ ସବୁଦିନ ବୋକା ବନାଯାଇପାରିବ ନାହିଁ ବୋଲି ସେ ସତର୍କ କରାଇ ଦେଇଥିଲେ।

ଶିକ୍ଷା ଓ ପୁଲିସ ବିଭାଗରେ ଖାଲି ପଦବି କାରଣକୁ କିଭଳି ମୌଳିକ ଅଧିକାର ଉଲ୍ଲଂଘନ ହେଉଛି, ସେ କଥା ବଖାଣିଥିଲେ ବିରୋଧୀ। ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କିଭଳି ବିପନ୍ନ ହେଲାଣି, ସେ ନେଇ ଅସନ୍ତୋଷ ଅଜାଡିଥିଲେ ବିରୋଧୀ ଦଳ ନେତା। ହାଇକୋର୍ଟ ବେଞ୍ଚ ଦାବି ପ୍ରସଙ୍ଗରେ ଓ ହାଇକୋର୍ଟ ବନ୍ଦ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଲୋକେ କିଭଳି ହନ୍ତସନ୍ତ ହେଉଛନ୍ତି, ସେକଥା ଜଣାଇଥିଲେ। ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ, ପାଲ୍‌ କମିସନ ରିପୋର୍ଟ କାହିଁକି ଉପସ୍ଥାପନ ହେଉନାହିଁ, ୨୦୦୯ ଖଣି ଦୁର୍ନୀତି ମାମଲାରେ ତଦନ୍ତ ଶିଥିଳତା, ଶାହା କମିସନଙ୍କ ସୁପାରିସ ଆଧାରରେ ସିବିଆଇ ଦୁର୍ନୀତି ନ ହେବା ପ୍ରସଙ୍ଗ ବି ଉଠିଥିଲା।

କଳା ଟଙ୍କା ଉଦ୍ଧାର, ବିମୁଦ୍ରାକରଣ ଓ ନିଯୁକ୍ତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ଖୋଲା ସମାଲୋଚନା କରାଯାଇଥିଲା। ରାଫେଲ ଦୁର୍ନୀତି ପ୍ରସଙ୍ଗ ଓ ଓଡ଼ିଶାର କ୍ଷତି ସଂପର୍କରେ ମଧ୍ୟ ବଖାଣିଥିଲେ ବିରୋଧୀ ଦଳ ନେତା। ବେକାରି ପ୍ରସଙ୍ଗ ଏବେ ଏଭଳିସ୍ତରରେ ପହଞ୍ଚିଲେଣି ଯେ ଦୁର୍ନୀତି ପଛକୁ ଚାଲିଗଲାଣି।

ଗୋଟିଏ ଦେଶ ଓ ଗୋଟିଏ ଟିକସ କଥା ପ୍ରଧାନମନ୍ତ୍ରୀ କହିଥିଲେ ହେଁ, କେଉଁ ପରିସ୍ଥିତିରେ ପେଟ୍ରୋଲ, ଡିଜେଲକୁ ଏହା ପରିସରକୁ ଅଣାଯାଉନାହିଁ, ତାହା ବୁଝାପଡୁନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ପରସ୍ପର ବିରୋଧରେ କେବଳ ଦୋଷ ଲଦାଲଦି ହେଉଛନ୍ତି, ସେପଟେ ଓଡ଼ିଶାରେ ପେଟ୍ରୋଲ ଦର ୮୦ ଟଙ୍କା ଡେଇଁଲାଣି। ବାର୍ଧକ୍ୟ ଭତ୍ତା ପେନସନକୁ ୧୦୦୦ ଟଙ୍କାକୁ ବୃଦ୍ଧି କରିବା ଲାଗି ଦାବି ନେଇ ଶ୍ରୀ ମିଶ୍ର ଦାବି ଦୋହରାଇଥିଲେ। ସେହିପରି ପୁଲିସ ବିଭାଗର ସ୍ଥାଣୁତା ବଖାଣି ବିରୋଧୀ ଦଳ ନେତା କହିଥିଲେ, ଏଠାରେ ଦଣ୍ଡବିଧାନ ହାର ସବୁଠାରୁ କମ୍‌। ଅପରାଧ ଦିନକୁ ଦିନ ବଢିଚାଲିଛି। ‘ସମ୍ବାଦ’ ଖବର କାଗଜରେ ଆଜି ପ୍ରକାଶିତ ବ୍ୟାଙ୍କ ଡକାୟତ ଧରାପଡୁନଥିବା ଓ ସି ପ୍ଲେନ୍‌ ଉଡାଣ ନେଇ କେହି କିଛି ଟେର୍‌ ପାଉନଥିବା ନେଇ ରିପୋର୍ଟ ସଂପର୍କରେ ସୂଚାଇ ବିରୋଧୀ ଦଳ ନେତା ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିଥିଲେ।

ସରକାରୀ ଦଳ ବିଧାୟକ ଡ. ଅରୁଣ କୁମାର ସାହୁ କହିଥିଲେ, ତୈଳଦର ବୃଦ୍ଧି ଦେଶର ରାଜନୀତିରେ ମଙ୍ଗ ମୋଡ଼ିବାର ସଙ୍କେତ ଦେଉଛି। ୨୦୧୪ ସାଧାରଣ ନିର୍ବାଚନରେ ଉପା ସରକାରଙ୍କ ପତନ ପାଇଁ ଏହା ଅନ୍ୟତମ ପ୍ରମୁଖ କାରଣ ପାଲଟିଥିଲା। ୨୦୧୪ ବେଳକୁ ଦେଶରେ ଉପା ସରକାର ୧.୩୦ ଲକ୍ଷ କୋଟିର ଅଏଲ୍‌ ବଣ୍ଡ କରି ଦେଶକୁ ଦେବାଳିଆ କରିଦେଇଥିଲେ ଏବଂ ଏନ୍‌ଡିଏ ସରକାର ଏହାକୁ ପରିଶୋଧ କରୁଥିବା ଦର୍ଶାଇ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଓଡ଼ିଆ ପୁଅ ତଥା ଛତିଶଗଡ଼ ଓ ମଧ୍ୟପ୍ରଦେଶର ପୋଷ୍ୟ ପୁଅ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ପାଇଁ ସୌଭାଗ୍ୟ କି ଦୁର୍ଭାଗ୍ୟ ବୁଝାପଡ଼ୁନାହିଁ।

ଗତ ସାଢ଼େ ଚାରିବର୍ଷ ଭିତରେ ଏନ୍‌ଡିଏ ସରକାର ଓଡ଼ିଶାକୁ କେତେ ଦେଇଛନ୍ତି ଏବଂ ଉପା ସରକାର କେତେ ଦେଇଛନ୍ତିି ବୋଲି ବିଜେପି ବିଧାୟକ ରବି ନାୟକ ପଚାରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମକୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ପିସି ବନ୍ଦ କରିବା ଘୋଷଣା କରିବା ପରଠାରୁ ଏହି କାରବାର ବୃଦ୍ଧି ପାଇଥିବା ସେ କହିଥିଲେ।

ଉଭୟ ଶାସକ ଓ ବିରୋଧୀ ବିଧାୟକମାନଙ୍କ ମଧ୍ୟରେ ବେଦପ୍ରକାଶ ଅଗ୍ରଓ୍ଵାଲା, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅମର ପ୍ରସାଦ ଶତପଥୀ, ସରୋଜ କୁମାର ସାମଲ, ଭୁଜବଳ ମାଝୀ, ସାଇବା ସୁଶୀଲ ହାଂସଦା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର