ପୁରୀ ଟ୍ରିପଲ୍‌ ମର୍ଡର୍‌କୁ ନେଇ ତାତିଲେ ବିରୋଧୀ : ‘ଜଙ୍ଗଲ ରାଜ୍ ଚାଲିଛି’

ପ୍ରଶ୍ନକାଳରେ ବିଜେପି, ଶୂନ୍ୟକାଳରେ କଂଗ୍ରେସର ହଙ୍ଗାମା, ସରକାରଙ୍କୁ ପ୍ରଦୀପ୍ତ, ନରସିଂହଙ୍କ ଭର୍ତ୍ସନା, ବାରମ୍ବାର ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ବର : ପୁରୀର ଟ୍ରିପଲ୍‌ ମର୍ଡର୍ ଘଟଣା ଆଜି ବିଧାନସଭା ଗୃହକୁ ତତାଇ ଦେଇଥିଲା। ବିରୋଧୀ ସରକାରଙ୍କୁ ଘେରି ତୀବ୍ର ଭର୍ତ୍ସନା କରିଥିଲେ। ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଭିନ୍ନ ଭିନ୍ନ ସମୟରେ ନାରାବାଜି କରି ଗୃହକୁ ଥରାଇଥିଲେ। ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ରାଜ୍ୟରେ ଅରାଜକତା ସୃଷ୍ଟି ହୋଇଛି ‌େବାଲି ଦର୍ଶାଇ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ପାଇଁ ଦାବି କରିଥିବା ବେଳେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ରାଜ୍ୟରେ ଜଙ୍ଗଲ ରାଜ୍ ଚାଲିଥିବା କହି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ବାଧାପ୍ରାପ୍ତ ହୋଇଥିଲା। ପ୍ରଥମାର୍ଦ୍ଧ ମାତ୍ର ୨୯ ମିନିଟ୍‌ରେ ସୀମିତ ରହିଥିଲା। ଶେଷରେ ବାଚସ୍ପତିଙ୍କୁ ସର୍ବଦଳୀୟ ବୈଠକ ଡାକିବାକୁ ପଡ଼ିଥିଲା।

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ ବିଜେପି ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇପଡ଼ିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କିଛି କହିବା‌ ପାଇଁ ଚାହିଁଥିଲେ। ଶୂନ୍ୟକାଳରେ ସୁଯୋଗ ଦିଆଯିବ କହି ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବାକୁ ଚାହିଁଥିଲେ। କିନ୍ତୁ ଶ୍ରୀ ନାୟକ କହିବା ପାଇଁ ଅଡ଼ି ବସିବାରୁ ବାଚସ୍ପତି ସୁଯୋଗ ଦେଇଥିଲେ। ସେ କହିଥିଲେ, ଦୁଇ ଦିନ ତଳେ କେନ୍ଦ୍ରାପଡ଼ାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହେଲା। କାଲି ଦିନ ଦିପହରରେ ପୁରୀ ଜିଲ୍ଲାରେ ତିନି ଜଣ ଲୋକଙ୍କୁ ନିର୍ମମ ହତ୍ୟା କରାଗଲା। ଏହା ଅତି ଗୁରୁତର ବିଷୟ ହୋଇଥିବାରୁ ପ୍ରଶ୍ନକାଳ ବାତିଲ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରାଯାଉ।

ଶୂନ୍ୟକାଳରେ ଏ ସମ୍ପର୍କରେ ଆଲୋଚନା ପାଇଁ ସୁଯୋଗ ଦିଆଯିବ ବୋଲି ବାଚସ୍ପତି କହିଥିଲେ ମଧ୍ୟ ବିଜେପି ସଭ୍ୟମାନେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। ସରକାରଙ୍କ ବିରୋଧରେ ନାରାବାଜି କରି ହୋହଲ୍ଲା କରିଥିଲେ। ବାଚସ୍ପତି ସେମାନଙ୍କୁ ବସିବାକୁ କହି ଏକ ପ୍ରଶ୍ନର ଉତ୍ତର ‌େଦବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କହିଥିଲେ। ତେବେ ଏହାର ପ୍ରତିବାଦରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସରକାରଙ୍କ ବିରୋଧରେ ନାରାବାଜି କରି ପ୍ରଶ୍ନକାଳ ବାତିଲ୍‌ କରିବାକୁ ଜିଦ୍‌ ଧରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିଲେ। ସ୍ଥିତି ସ୍ବାଭାବିକ ନ ହେବାରୁ ବାଚସ୍ପତି ୧୦ଟା ୩୩ରେ ଗୃହକୁ ୧୦ ମିନିଟ୍‌ ମୁଲତବୀ ରଖିଥିଲେ। ୧୦ ମିନିଟ୍‌ ପରେ ବାଚସ୍ପତି ଗୃହକୁ ଆସି ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରହିଲା ବୋଲି ଘୋଷଣା କଲେ।

୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ନାୟକ କହିଥିଲେ, ରାଜ୍ୟରେ ଅରାଜକତା‌ ଲାଗି ରହିଛି। ୧୩ ତାରିଖରେ କେନ୍ଦ୍ରାପଡ଼ାରେ ଗୁଳି ଚାଳନା ହେଲା। ପୁଣି ଗତକାଲି ଜାତୀୟ ରାଜପଥରେ ଦିନ ଦିପହରରେ ୩ ଭାଇଙ୍କୁ ମାରିଦେଲେ। ସେଠି ପୁଲିସ୍ ଥାଇ ବି କିଛି କରିପାରିଲାନି। ସିମୁଳିଆରେ ମଧ୍ୟ ରାଜନୈତିକ ଆକ୍ରୋଶରେ ଜଣେ ପୂର୍ବତନ ବିଧାୟକଙ୍କ ପୁଅକୁ ଗିରଫ କରାଯାଇଛି। ସତ୍ୟବାଦୀରେ ଶାସକ ଦଳକୁ ଭୋଟ୍‌ ଦେଲେନି ବୋଲି ଗୋଟିଏ ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି। ଥାନାରେ ମାମଲା କଲେ ବି ପୁଲିସ ନିରବଦ୍ରଷ୍ଟା ସାଜିଛି। ବାଲେଶ୍ବର ଥାନା ପାଖରେ ମଦ, ଗଞ୍ଜେଇ, ବ୍ରାଉନ୍ ସୁଗାର ବିକ୍ରି ହେଉଥିଲେ ମଧ୍ୟ ପୁଲିସ ଚୁପ୍ ବସିଛି। ସୁନ୍ଦରଗଡ଼ରେ ନିଜେ ଏସ୍‌ପି ଘରେ ପଶି ନିରୀହ ଲୋକଙ୍କୁ ପିଟୁଛନ୍ତି। ପାଇକମାଳରେ ଅନୁସୂଚିତ ଜାତିର ଝିଅକୁ ଧର୍ଷଣ କରାଯାଇଥିଲେ ବି ପୁଲିସ କିଛି କରିପାରିଲାନି। ଏସବୁ ଘଟଣା ଉଦ୍‌ବେଗର ବିଷୟ। ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ନଚେତ ଅରାଜକତା ଆହୁରି ବଢ଼ିଚାଲିବ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ରାଜ୍ୟରେ ଆଇନଶୃଙ୍ଖଳା ପୂରା ଭୁଶୁଡ଼ିଗଲାଣି। ଆଇନ୍‌ର ଶାସନ ଆଉ ନାହିଁ। ଜଙ୍ଗଲରାଜ ବଢ଼ିଚାଲିଛି। ରାଜ୍ୟ ଗୃହ ବିଭାଗ ଏଥି ପାଇଁ ଉତ୍ତରଦାୟୀ। ରଥଯାତ୍ରା ସମୟରେ ପୁରୀରେ ଜଣେ ନାବାଳିକାକୁ ଧର୍ଷଣ କରାଗଲା, ଯେତେବେଳେ କି ସହରରେ ୧୦ ହଜାର ପୁଲିସ୍ ମୁତୟନ ହୋଇଥିଲେ। ଆମେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିବୃତି ଦାବି କରିଥିଲୁ। କିନ୍ତୁ ସେ ଖାତିର କଲେନି। କେନ୍ଦ୍ରାପଡ଼ାରେ ଜଣେ ଲୋକଙ୍କୁ ଗୁଳି କରାଗଲା। ଆଜି ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ ନର୍ସ ଓ କର୍ମଚାରୀମାନେ ଧାରଣାରେ ବସିଛନ୍ତି। କଲେଜ ପରିସରରେ ଜଣେ ନର୍ସଙ୍କୁ ଦୁର୍ବ୍ୟବହାର କରାଯାଇଥିବାରୁ ତାହାର ପ୍ରତିବାଦରେ ସେମାନେ ଧାରଣା ଦେଇଛନ୍ତି। ମେଡିକାଲ କଲେଜ ପରିସ‌ରରେ ଏକ ପୁଲିସ ଆଉଟ୍‌ପୋଷ୍ଟ୍‌ ପାଇଁ ମୁଁ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ବି କେହି ଶୁଣିଲେ ନାହିଁ। ଅସାମାଜିକ ଲୋକମାନେ କ୍ୟାମ୍ପସ୍‌ରେ ଏପରି ପ୍ରଭାବ ବିସ୍ତାର କରିଛନ୍ତି, ଯାହାର ଫଳ ଆଜି ସମସ୍ତେ ଦେଖିଲେ। ରାଜ୍ୟରେ ଅପରାଧ ଦ୍ରୁତ ଗତିରେ ବଢ଼ିଚାଲିଛି। ଗତକାଲି ପୁଲିସ କ୍ୟାମ୍ପ୍‌ ନିକଟରେ ‌ସ୍ପଷ୍ଟ ଦିବାଲୋକରେ ଅପରାଧୀମାନେ ତିନି ଜଣଙ୍କୁ ହତ୍ୟା କଲେ। ଏହାର ମୁଖ୍ୟ କାରଣ ହେଉଛି ଅପରାଧୀମାନେ ଆଉ ଆଇନକୁ ଭୟ କରୁ ନାହାନ୍ତି। ଅପରାଧୀ ଭାବୁଛନ୍ତି ଯେ ସରକାର ସେମାନଙ୍କୁ ସୁରକ୍ଷା ଦେବେ। ତେଣୁ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦେବା ପାଇଁ ବାଚସ୍ପତି ନି‌େର୍ଦ୍ଦଶ ଦିଅନ୍ତୁ। କୌଣସି ଅପରାଧୀଙ୍କୁ ଛଡ଼ା ଯିବ ନାହିଁ ବୋଲି ନିଜେ ମୁଖ୍ୟମନ୍ତ୍ରୀ କୁହନ୍ତୁ। ଆମେ ଗୃହରେ ପରବର୍ତ୍ତୀ କାର୍ଯ୍ୟକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗୃହ ଭିତରକୁ ଆସି ବିବୃତି ଦେବାକୁ ଶ୍ରୀ ମିଶ୍ର ଦାବି କରିଥିଲେ।

ଏହା ପରେ କଂଗ୍ରେସ ସଭ୍ୟମାନେ ଠିଆ ହୋଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। କିନ୍ତୁ ବାଚସ୍ପତି ସେମାନଙ୍କୁ ବସିବାକୁ ଅନୁରୋଧ କରି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ କହିବା ପାଇଁ ଡାକିଲେ। କଂଗ୍ରେସ ସଭ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ତାରା ପ୍ରସାଦ ବାହିନୀପତି ଚେୟାର ଉପରେ ଚଢ଼ି ବାଚସ୍ପତିଙ୍କ ଟେବୁଲ୍‌ ବା‌େଡ଼ଇଥିଲେ। ଏହା ପରେ ବାଚସ୍ପତି ରୁଲିଂ ‌େଦଇଥିଲେ ଯେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ପ୍ରସଙ୍ଗରେ ଆଜି ବିବୃତି ରଖିବେ। କିନ୍ତୁ କଂଗ୍ରେସ ସଭ୍ୟମାନେ ଏହାର ତୀବ୍ର ବିରୋଧ କରିଥିଲେ। ନିଜେ ମୁଖ୍ୟମନ୍ତ୍ରୀ ବିବୃତି ଦେବାକୁ ଅଡ଼ି ବସିଥିଲେ। ସ୍ଥିତି ସ୍ବାଭାବିକ ନ ହେବାରୁ ବାଚସ୍ପତି ୧୧ଟା ୫୬ରେ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖିଥିଲେ।

୩ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଲେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଗୁରୁତର ହୋଇପଡ଼ିଛି। ମୁଖ୍ୟମନ୍ତ୍ରୀ ଯଦି ଗୃହରେ ଉତ୍ତର ନ ରଖିବେ, ତେବେ ଆମେ କାହାଠାରୁ ଘଟଣା ସମ୍ପର୍କରେ ଅବଗତ ହେବୁ? ତେଣୁ ବାଚସ୍ପତି ଏ ନେଇ ରୁଲିଂ ଦିଅନ୍ତୁ। ଏହା ପରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ନାରାବାଜି କଲେ। ୩ଟା ୫ରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ୨୦ ମିନିଟ୍‌ ପାଇଁ ଗୃହକୁ ମୁଲତବୀ ରଖିଲେ। ‌ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ରଖିବେ ବୋଲି ଦିଆଯାଇଥିବା ରୁଲିଂର ଆସନ୍ତାକାଲି ପୁନର୍ବିଚାର କରିବେ ବୋଲି ବାଚସ୍ପତି ପ୍ରତିଶ୍ରୁତି ଦେଲା ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର