ରୁଦନ ପାଇଲେ ନୂଆ ଜୀବନ, ବଦଳିଲା ରୂପ

କେନ୍ଦୁଝର: ରୁଦନ ପାଇଲା ନୂଆ ଜୀବନ। ଅତ୍ୟନ୍ତ କଷ୍ଟକର ମନେ ହୋଉଥିବା ଅସ୍ତ୍ରୋପଚାର ସଫଳ ହେବା ପରେ ନୂଆ ଜୀବନ ପାଇଛି ରୁଦନ ସନଙ୍ଗୀ।
କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଶଙ୍କାରୀ ଗ୍ରାମରେ ରୁହନ୍ତି ରୁଦନ ସନଙ୍ଗୀ।  ଯୁବ ବୟସରୁ ରୁଦନଙ୍କ ତଳପାଟି ହାଡ଼ରେ ଏକ ଟ୍ୟୁମର୍‌ ହେବା ପରେ ଧୀରେ ଧୀରେ ଯନ୍ତ୍ରଣା ହୋଇଥିଲା। ସମୟକ୍ରମେ ଏହା ବଡ଼ ଆକାର ଧାରଣ କଲା ଏବଂ ଯନ୍ତ୍ରଣା ବଢ଼ିଲା। ଖାଇବାରେ ଏବଂ କଥା କହିବାରେ ସମସ୍ୟା ଉପୁଜିଲା।

ସେ ଦୁର୍ବଳ ହେବାକୁ ଲାଗିଲେ। ତେବେ ଶରୀର ଦୁର୍ବଳ ହେବା କାରଣରୁ କାମ ଧନ୍ଦା ବି କରି ପାରିଲେ ନାହିଁ। ଯେଉଁଥିପାଇଁ  ଘରେ ପରିବାର ପ୍ରତିପୋଷଣ ଅସମ୍ଭବ ହୋଇପଡିଲା। ରୁଦନ୍‌ଙ୍କ ଟ୍ୟୁମର୍‌ କାରଣରୁ ବଡ଼ଝିଅ ପଳାଇ ସନଙ୍ଗି (୧୪ ବର୍ଷ) ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହେଲେ। ପଛକୁ ପଛ ସାନ ଝିଅ ଲଳିତା ସନଙ୍ଗି, ଦୁଇ ପୁଅ ଗୁରୁଚରଣ ଓ ରାହୁଲଙ୍କ ପାଠ ପଢ଼ା ମଧ୍ୟ ସମସ୍ୟା ହେଲା। ତେବେ ରୁଦନଙ୍କୁ କିଭଳି ଚିକିତ୍ସା କରିବେ ତାଙ୍କ ପତ୍ନୀ ଚିନ୍ତା କରୁଥିବା ବେ‌ଳେ ସମାଜସେବୀ ସଞ୍ଜୀବ କୁମାର ସାହୁ ଖବର ପାଇ ରୁଦନ୍‌ଙ୍କୁ ତତକ୍ଷଣାତ ବାଂଶପାଳ ଡାକ୍ତରଖାନା ଆଣି ଚିକିତ୍ସା ଆରମ୍ଭ କରିଥିଲେ। ଏହାପରେ କଟକରେ ପାରିଜାତମ୍  ଫାଉଣ୍ଡେସନ୍ ନାମକ ଆଉ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ରୁଦନ୍‌ଙ୍କ ସହାୟତା ପାଇଁ ଆଗେଇ ଆସି ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ।  ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ରୁଦନ୍‌ଙ୍କ ଅପରେସନ ସଫଳ ହୋଇଥିଲା। ଏବେ ରୁଦନ ସୁସ୍ଥ ହେବା ପରେ ପୂର୍ବପରି କଥା କହିବା ସହିତ ଖାଇବା ପିଇବା ସ୍ବାଭାବିକ କରୁଛନ୍ତି। କହିବାକୁ ଗଲେ ରୁଦନ ଏବେ ନୂଆ ଜୀବନ ପାଇଛନ୍ତି।

ସମ୍ବନ୍ଧିତ ଖବର