ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)ର ବିଜୟ ହୋଇଛି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଏଠାରୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ତେବେ ପିପିଲି ନିର୍ବାଚନ ରେକର୍ଡ ଅନୁସାରେ ରୁଦ୍ର ମହରାଥୀ ତାଙ୍କ ବାପାଙ୍କ ରେକର୍ଡକୁ ମଧ୍ୟ ଟପି ଯାଇଛନ୍ତି। ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ୯୬,୯୭୨ ଖଣ୍ଡ ଭୋଟ ମିଳିଛି। ଗତ ଦୁଇ ବିଧାନସଭା ନିର୍ବାଚନରେ ପ୍ରଦୀପ ମହାରଥୀ ପାଇଥିବ‌ା ଭୋଟ ସଂଖ୍ୟାଠାରୁ ଏଥର ଅଧିକ ଭୋଟ୍ ପାଇଛନ୍ତି ରୁଦ୍ର। ଭାରତୀୟ ଜନତା ପାର୍ଟି (ବିଜେପି)ର ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ୩ୟ ସ୍ଥାନରେ କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୪,୨୬୧ ଭୋଟ୍‌ ମିଳିଛି।

Advertisment

ସୂଚନାଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନ ସମୟରେ ପିପିଲି ଆସନରୁ ବିଜେଡିରୁ ପ୍ରଦୀପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ଅଜିତ ମଙ୍ଗରାଜ ଅବତୀର୍ଣ୍ଣ ହୋଇଥିଲେ। ବିଜେଡିକୁ ୮୮ ହଜାର ୫୧୮ ଖଣ୍ଡ ଭୋଟ ମିଳିଥିଲା। ବିଜେପିକୁ ୭୮ ହଜାର ୭୩୧ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ୯ ହଜାର ୮୩୦ ଖଣ୍ଡ ଭୋଟ୍‌ ପାଇଥିଲା। ସେହିପରି ସିପିଆଇ (ଏମ୍‌ଏଲ୍‌)ଏଲର ଅଶୋକ ପ୍ରଧାନ ୧୨୧୪, ବିଏସ୍‌ପିର ଅହମଦ୍‌ ଖାନ ୯୪୯, ନୋଟାରେ ୮୬୭ ଓ ଏସ୍‌ୟୁସିଆଇ(ସି)ର ପଦ୍ମଚରଣ ଜେନାଙ୍କୁ ୬୨୬ ଖଣ୍ଡ ଭୋଟ ମିଳିଥିଲା।

୨୦୧୪ ବିଧାନସଭା ନିର୍ବାଚନରେ ପ୍ରଦୀପ ମହରଥୀ ପିପିଲି ନିର୍ବାଚନରୁ ବିଜେଡି ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ। ସେହି ସମୟରେ ତାଙ୍କୁ ୮୨ ହଜାର ୫୫୦ ଖଣ୍ଡ ଭୋଟ ମିଳିଥିଲା। ତାଙ୍କର ନିକଟତମ ପ୍ରାର୍ଥୀ କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟଙ୍କୁ ୪୯ ହଜାର ୭୬ ଖଣ୍ଡ ଭୋଟ ମିଳିଥିଲା। ସେହିପରି ୨୦୦୯ ନିର୍ବାଚନରେ ପ୍ରଦୀପ ମହାରଥୀ ୭୪ ହଜାର ୧୧୨ ଓ କଂଗ୍ରେସର ପ୍ରାର୍ଥୀ ଯୁଧିଷ୍ଠୀର ସାମନ୍ତରାୟ ୬୧ ହଜାର ୬୦୭ ଖଣ୍ଡ ଭୋଟ ପାଇଥିଲେ। ସେହି ସମୟରେ ବିଜେପି ପ୍ରାର୍ଥୀ ଅଜିତ ମଙ୍ଗରାଜ ବିଜେପିରୁ ଲଢ଼ି ୧୧ ହଜାର ୧୩୮ ଖଣ୍ଡ ଭୋଟ୍‌ ପାଇଥିଲେ।