ବିକାଶ ଚନ୍ଦ୍ର ସାହୁ

Advertisment

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର କେଉଁ ଲୋକସଭା କ୍ଷେତ୍ରରୁ ଲଢ଼ିବେ? କେଉଁ ଜାଗାରୁ ଲଢ଼େଇ କରିବେ, କେଉଁଠି ତାଙ୍କର ଖଳା ଖୋଳିବେ ଏ ପର୍ଯ୍ୟନ୍ତ ଜାଣି ନାହାନ୍ତି। ସେ କଥା ଜଣାଇବାକୁ ଧର୍ମେନ୍ଦ୍ର ବାବୁଙ୍କର ଦମ୍‌ ନାହିଁ। ଗତକାଲି ଏକ ଜାତୀୟ ଖବର ସରବରାହ ସଂସ୍ଥା ଜରିଆରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଆଗ୍ରହ ଥିବା ସ୍ପଷ୍ଟ କଲା ପରେ ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ଏମିତି ଭାଷାରେ କଟାକ୍ଷ କରିଛନ୍ତି। ଖୋଲାଖୋଲି ସେ ଦର୍ଶାଇଛନ୍ତି, ଢେଙ୍କାନାଳ ଲୋକସଭା କ୍ଷେତ୍ରରୁ ବିଜୁ ଜନତା ଦଳ ଲଢ଼େଇ କରିବ। ମୋର ଆତ୍ମବିଶ୍ବାସ ଅଛି, ମୋର ନେତୃତ୍ବ ଉପରେ ବିଶ୍ବାସ ଅଛି, ମୁଁ ହିଁ ତାହାଙ୍କ ସାଙ୍ଗେ ଲଢ଼ିବି ଲୋକସଭା କ୍ଷେତ୍ରରେ। ଶହେ ପ୍ରତିଶତ ଜିତିବି। ବିଜୁ ଜନତା ଦଳ ସବୁବେ‌ଳେ ନବୀନ ବାବୁଙ୍କ ନେତୃତ୍ବରେ ପ୍ରସ୍ତୁତ ଥାଏ ବୋଲି ଶ୍ରୀ ସାହୁ କହିଛନ୍ତି।

ଅନ୍ୟପକ୍ଷରେ ସାଂସଦ ଶ୍ରୀ ସାହୁଙ୍କର ଏ ପ୍ରକାର ଆତ୍ମବିଶ୍ବାସକୁ ପାଗଳର ପ୍ରଳାପ ବୋଲି ଦର୍ଶାଇଛି ବିଜେପି। ବରିଷ୍ଠ ବିଜେପି ନେତା ତଥା ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ବେଳକୁ ସାଂସଦ ଶ୍ରୀ ସାହୁ ପାଳଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ସିଟିଂ ବିଧାୟକ ଥିଲେ। ସେ ଯଦି ଏତେ ଲୋକପ୍ରିୟ, ତେବେ ପାଳଲହଡ଼ା ନିର୍ବାଚନମଣ୍ଡଳୀରେ ସାଂସଦ ଭୋଟ୍‌ରେ ପଛରେ ରହିଥିଲେ କାହିଁକି? ଏ ଜବାବ ତାଙ୍କ ନିକଟରେ ଅଛି? ଅତୀତ କଥାକୁ ଦର୍ଶାଇ ଶ୍ରୀ ପାଣି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟକ୍ରମକୁ ସାଂସଦ ଶ୍ରୀ ସାହୁ ପୂର୍ବରୁ ସର୍ବସାଧାରଣରେ ପ୍ରଶଂସା କରିଛନ୍ତି। ଆଜି ସମାଲୋଚନା କରୁଛନ୍ତି କେମିତି? ତାଙ୍କରି ମୁହଁରେ ଉଆ ଓ ତାଙ୍କରି ମୁହଁରେ ଉସୁନା। ଏହା ସାଂସଦ ଶ୍ରୀ ସାହୁଙ୍କର କେବଳ ବାଚାଳାମି ମାତ୍ର। ସାଂସଦ ଶ୍ରୀ ସାହୁଙ୍କୁ ସମାଲୋଚନା କରିବାକୁ ଯାଇ ରୁଦ୍ର କହିଛନ୍ତି, କାଉନ୍‌ସିଲର ଜୀବନଠାରୁ ଆରମ୍ଭ କରି ସାଂସଦଙ୍କର ବର୍ତ୍ତମାନ ଜୀବନ ପର୍ଯ୍ୟନ୍ତ, ସେ ଯେଉଁ ଥାଳିରେ ଖାଆନ୍ତି, ସେହି ଥାଳିରେ କଣା କରନ୍ତି। ଏହା ତାଙ୍କର ରାଜନୈତିକ ଚରିତ୍ର। ବର୍ତ୍ତମାନ ଶଙ୍ଖ ଭବନରେ ସାଂସଦଙ୍କର ଗୁରୁତ୍ବ ନାହିଁ ବୋଲି ରୁଦ୍ର ଏକ ପ୍ରେସ୍‌ ବାର୍ତ୍ତାରେ ପ୍ରକାଶ କରିଛନ୍ତି।