ଅଲୌକିକ ଘଟଣା ! ଅଦ୍ଭୁତ ସମସ୍ୟାରେ କଲବଲ ହେଉଛି ନାବାଳକ, ଅଦୃଶ୍ୟ ଭାବେ ଶରୀରରେ ଲାଗିଯାଉଛି ବିଷ୍ଠା!

ଯାହାକୁ ଛୁଇଁଲେ ତାହାଠି ବି ଲାଗୁଛି ବିଷ୍ଠା, ପାଠ ଛାଡ଼ି ଗାଁ ମନ୍ଦିର ବେଢ଼ାରେ ଜୀବନ ବିତାଉଛନ୍ତି ରୁଦ୍ର

ଦଶପଲ୍ଲା : ଆଧୁନିକ ସଭ୍ୟତା ତଥା ବିଜ୍ଞାନ ଯୁଗରେ ଏପରି ଏକ ଅଲୌକିକ ଘଟଣା ଘଟୁଛି, ଯେ କେହି ଦେଖିବ ତାଜୁବ୍‌ ହେଇଯିବ। ଆଖିରେ ନ ଦେଖିଲେ କେହି ବି ବିଶ୍ୱାସ କରିପାରିବେ ନାହିଁ। ବୟସ ମାତ୍ର ୧୩ ବର୍ଷ, ହେଲେ ପେଷଣରେ ପେଶି ହୋଇଯାଉଛି ନାବାଳକ ଛାତ୍ର। ଶରୀର ସାରା ଅଦୃଶ୍ୟ ଭାବେ ଲାଗି ଯାଉଛି ମେଞ୍ଚା ମେଞ୍ଚା ବିଷ୍ଠା। ଯାହାକୁ ଛୁଇଁଲେ ସେ ମଧ୍ୟ ବିଷ୍ଠାରେ ବୁଡ଼ି ଯାଉଛି। ବିଭିନ୍ନ ଜିଲ୍ଲାରୁ ଆସିଲେଣି ପ୍ରାୟ ୩୦ ଜଣ ତାନ୍ତ୍ରିକ। ହେଲେ କେହି ବି ଭଲ କରି ପାରୁନାହାନ୍ତି। ସାଙ୍ଗସାଥୀ ହେଉ କି ସାହି ପଡ଼ିଶା, ଏହାକୁ ନେଇ କେହି ବି ଆଉ ତା’ ପାଖ ମାଡ଼ୁନାହାନ୍ତି। ଘରଦ୍ୱାର ଓ ଘରର ଲୁଗାପଟା ମଧ୍ୟ ବିଷ୍ଠା ଦୁର୍ଗନ୍ଧରେ ଫାଟି ପଡ଼ୁଛି।

ବିଦ୍ୟାଳୟରେ ସାଙ୍ଗସାଥୀ ପାଖ ମାଡ଼ୁ ନ ଥିବା ବେଳେ ଶିକ୍ଷକ ମଧ୍ୟ ଏଭଳି ଘଟଣାକୁ ନେଇ ତାଜୁବ୍‌ ହୋଇ ରହୁଛନ୍ତି। ଦୁଇ ମାସ ହେଲା ପାଠପଢ଼ାରେ ଡୋରି ବନ୍ଧା ହୋଇ ରହିଥିବା ବେଳେ, ଗାଁ ମନ୍ଦିରରେ ଦଣ୍ତିତ ହେଲା ଭଳି ଏକାକି ଜୀବନ ବିତାଉଛନ୍ତି ରୁଦ୍ର। ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଡିହଗାଁ ଗ୍ରାମରେ। ଦଶପଲ୍ଲା-ଗଣିଆ ରାସ୍ତାର ଡିହଗାଁ ଛକ ଉପରେ ବସବାସ କରୁଥିବା ରଂଜନ କୁମାର ନନ୍ଦ (ବାପିନା)ଙ୍କ ବଡ଼ପୁଅ ରୁଦ୍ର ପ୍ରତାପ ନନ୍ଦ (୧୩)ଙ୍କ କ୍ଷେତ୍ରରେ ଏଭଳି ଅଲୌକିକ ଘଟଣା ଅଞ୍ଚଳ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ରୁଦ୍ର ୭ମ ଶେଣୀରେ ପଢ଼ୁଥିବା ବେଳେ ଏବେ ୩ ମାସ ହେଲା ପାଠପଢ଼ାରେ ଡୋରି ବନ୍ଧା ହୋଇପଡ଼ିଛି। ରଂଜନଙ୍କ କହିବା ଅନୁଯାୟୀ, ଗତ ଆଶ୍ୱିନ ମାସ ତଥା ଅକ୍ଟୋବର ମାସରେ ପ୍ରଥମେ ଘରର ବିଭିନ୍ନ ସ୍ଥାନରେ ବିଷ୍ଠା ଲାଗିବା ସହ ଦୁର୍ଗନ୍ଧ ହୋଇଥିଲା। ଏହାକୁ ନେଇ ସାନପୁଅ ଉପରେ ଅବିଶ୍ୱାସ କରି ଦେଖିବା ସମୟରେ କୌଣସି ଜଣାପଡ଼ିନଥିଲା। ଏଭଳି ୨/୩ ଦିନ ପରେ ଦେଖିବା ବେଳକୁ ରୁଦ୍ର ଯେଉଁ ସ୍ଥାନରେ ହାତ ମାରୁଛନ୍ତି, ସେହି ସ୍ଥାନରେ ମେଞ୍ଚା ମେଞ୍ଚା ହୋଇ ବିଷ୍ଠା ଲାଗୁଥିବା ଦେଖିବାକୁ ମିଳିଥିଲା। ଏପରିକି ବିଦ୍ୟାଳୟକୁ ଯାଇଥିବା ବେଳେ ବିଭିନ୍ନ ସାଙ୍ଗସାଥୀଙ୍କ ସହ ଖେଳିବା ସମୟରେ ହେଉ କି ପାଠ ପଢ଼ିବା ସମୟରେ, ଯାହା ସହିତ ଟିକିଏ ଲାଗି ଗଲେ ସେମାନଙ୍କ ପୋଷାକ ବିଷ୍ଠାରେ ଭର୍ତ୍ତି ହୋଇ ପଡ଼ିଥିଲା। ଏ କଥା ଶିକ୍ଷକ ଜାଣିବା ପରେ ଜଣେ ଶିକ୍ଷକଙ୍କ ହାତରେ ମଧ୍ୟ ବିଷ୍ଠା ଲାଗିଥିଲା। ଏହା ପରେ ରୁଦ୍ରଙ୍କ ପାଠପଢ଼ା ବନ୍ଦ ରହିଛି। ମାତ୍ର ଘରେ ଦୈନିକ ଏଭଳି ଘଟଣା ଘଟି ଚାଲିଥିବା ବେଳେ ଖବର ପାଇ ସାହି ପଡ଼ିଶାଙ୍କ ଭିଡ଼ ଜମୁଥିବା ବେଳେ, ଯିଏ ରୁଦ୍ରଙ୍କୁ ଛୁଇଁଲା କିମ୍ବା ଦେଖିକି ଘୃଣା କଲା ସେମାନଙ୍କ ଦେହରେ ମଧ୍ୟ ମେଞ୍ଚାମେଞ୍ଚା ହୋଇ ବିଷ୍ଠା ଲାଗିଯାଉଥିବା ବେଳେ ଆଉ କେହି ବି ତାଙ୍କ ପାଖ ମାଡ଼ୁ ନାହାନ୍ତି। ଗ୍ରାମର ଯୋଗୀ ପ୍ରଧାନ, ବିନୋଦ ପ୍ରଧାନ, କାଳିଆ ପ୍ରଧାନ ଏବଂ ସାଥି ରାହୁଲ ପ୍ରଧାନଙ୍କ ସମେତ ଅନେକ ବ୍ୟକ୍ତି ସ୍ପର୍ଶକରି ବିଭିନ୍ନ ମସସ୍ୟା ଭୋଗିବାକୁ ପଡିଥିବା ପ୍ରକାଶ କରିଛନ୍ତି। ଘରେ ଏକାକି ଖାଇବା ସମୟରେ ମଧ୍ୟ ହାତସାରା ବିଷ୍ଠା ଲାଗି ରହୁଛି। ଘରେ କେବଳ ବାପାଙ୍କୁ ଛାଡିଦେଲେ ଯିଏ ସ୍ପର୍ଶ କରୁଛି କେହିବି ବାଦ୍‌ ପଡୁନାହାଁନ୍ତି।

ରୁଦ୍ରଙ୍କୁ ଗୁଣି ଗାରେଡି ହୋଇଥିବା ନେଇ ବାପା କନ୍ଧମାଳ, ବୈାଦ୍ଧ, ମାଣିକଗଡା, ଚକାପାଦ, ଗଣିଆ, ଡମସାହି, ଗୁଡିପଡା ଏବଂ ଦଶପଲ୍ଲା ପ୍ରଭୃତି ଅଂଚଳରୁ ପ୍ରାୟ ୩୦ ଜଣ ତାନ୍ତ୍ରିକଙ୍କୁ ଡାକି ପୂଜା ପାଠ କରିଥିବା ବେଳେ କିଛି ବି ସୁଫଳ ମିଳୁନାହିଁ। କେବଳ ବାପା ଧରିବା ସମୟରେ କିମ୍ବା ଗାଁର ଶିବ ମନ୍ଦିର ବେଢା ଭିତରେ ଥିବା ସମୟରେ ରୁଦ୍ର ଯାହାକୁ ଛୁଇଁଲେ କିଛି ହେଉନଥିବା ଦେଖିବାକୁ ମିଳିଛି। ଏପରିକି କିଛି ଦିନ ଧରି ସେ ମନ୍ଦିରରେ ରାତି ବିତାଇବାକୁ ପଡିଛି। ଏବେ ରଂଜନ ତାଙ୍କୁ ଧରି ଶୋଉଥିବା ବେଳେ ତାଙ୍କ ହାତଧରି ଗାଧୋଇ ଦେବା ସହ ନିତ୍ୟକର୍ମ ସାରି ପୁଣି ମନ୍ଦିର ବେଢାରେ ଛାଡିଦେଇ ନିଜ ଜଞ୍ଜାଳରେ ବାହାରୁଥିବା କହିଛନ୍ତି। କିନ୍ତୁ ବଡକଥା ହେଉଛି ଯଦି ମନ୍ଦିର ବେଢା ମଧ୍ୟରେ ପଡିଥିବା କିଛି କପଡାକୁ ରୁଦ୍ର ବାହାରକୁ ଫୋପାଡୁଛନ୍ତି ସେଥିରେ ମଧ୍ୟ ମେଂଚାମେଂଚା ହୋଇ ବିଷ୍ଠା ଲାଗୁଥିବା ଦେଖିବାକୁ ମିଳିଛି।

ରୁଦ୍ରଙ୍କ କହିବା ଅନୁଯାୟୀ କିଏ ଜଣେ ବ୍ୟକ୍ତି ତାଙ୍କୁ ସବୁବେଳେ ଡାକୁଛନ୍ତି। ଯାହାକୁ ସେ ନିଜ ଆଖିରେ ଦେଖି ପାରୁଥିବା କହିଛନ୍ତି। ମନ୍ଦିର ବେଢା ଭିତରେ ଥିବା ବେଳେ ବାହାରୁ ଖେଳିବା ପାଇଁ ସେ ବାରମ୍ବାର ଡାକୁଥିବା ମଧ୍ୟ କହିଛନ୍ତି। ଏହାକୁ ନେଇ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଏହି ଅଲୌକିକ ଘଟଣାକୁ କେହି ଆଖିରେ ନଦେଖିଲେ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ। କିନ୍ତୁ ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ବେତ କୁମାର ମହାପାତ୍ରଙ୍କ କହିବା ଅନୁଯାୟୀ, ଏଭଳି ଘଟଣା ବିଶ୍ୱାସ କରି ହେଉନଥିବା ବେଳେ କିଛି ଷ୍ଟାଫ୍‌ ପଠାଇ ଏହାକୁ ପ୍ରଥମେ ଦେଖିବାକୁ ପଡ଼ିବ ବୋଲି କହିଛନ୍ତି। ଏଥି ସହିତ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ମଧ୍ୟ ଏହା ଉପରେ ଦୃଷ୍ଟି ଦେବାକୁ ପଡ଼ିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର