ତାରା, ସଂଗ୍ରାମଙ୍କୁ ଭେଟିଲେ ରୁଦ୍ରରାଜୁ, ପ୍ରଦୀପ ମାଝୀ

ଭୁବନେଶ୍ବର : କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କିଛି ଦିନ ତଳେ କରେନା ସଂକ୍ରମିତ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ। କିନ୍ତୁ ମଧୁମେହ ଓ କରୋନା ପରବର୍ତ୍ତୀ ଜଟିଳତା ଯୋଗୁ ସେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ଗତ ୧୨ ଦିନ ଧରି ସିକନ୍ଦରାବାଦସ୍ଥିତ କିମ୍‌ସ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ରବିବାର ଦିନ ତାଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଏଆଇସିସି ସମ୍ପା‌ଦକ ତଥା ଓଡ଼ିଶା କଂଗ୍ରେସ ସହ ପ୍ରଭାରୀ ଜି ରୁଦ୍ରରାଜୁ ହସ୍ପିଟାଲରେ ଭେଟି ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ।

କିମ୍‌ସ୍‌ରେ ପୂର୍ବରୁ ଚିକିତ୍ସିତ ହେଉଥିବା ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି ସଂଗ୍ରାମ ଜେନାଙ୍କୁ ମଧ୍ୟ ଉଭୟ ସାକ୍ଷାତ କରି ଆଶୁ ଆରୋଗ୍ୟ କାମନା କରିଥିଲେ। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଶ୍ରୀ ବାହିନୀପତି ଓ ଶ୍ରୀ ଜେନାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସହ ଫୋନ୍‌ରେ କଥା ହୋଇ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର