ଭାର୍ଗବୀରେ ବୁଡ଼ିରହିଛି ପ୍ରାଚୀନ ମନ୍ଦିରର ଧ୍ବଂସାବଶେଷ

ପିପିଲି : ପିପିଲି ବ୍ଲକ୍‌ ମୌଜିବେଗ୍‌ ଗାଁ ନିକଟ ଭାର୍ଗବୀ ନଦୀରେ ବୁଡ଼ି ରହିଛି ପ୍ରାଚୀନ ମନ୍ଦିରର ଧ୍ବଂସାବଶେଷ। ନଦୀରେ ପାଣି କମ୍‌ଥିବାରୁ ଏବେ ବଡ଼ ବଡ଼ ପଥରଖଣ୍ତ ଦୃଶ୍ୟମାନ ହେଉଛି। ଏହା ପ୍ରାୟ ୭ଶହ ବର୍ଷ ତଳର ମନ୍ଦିର ବୋଲି ଆକଳନ କରାଯାଉଛି। ୧୩ଶହ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିରର ନିର୍ମାଣ କରାଯାଇଥିଲା ବୋଲି ବୋଲି ଗ୍ରାମର ପୁରୁଖା ବ୍ୟକ୍ତିମାନେ କହିଛନ୍ତି। ପ୍ରଳୟଙ୍କରୀ ବନ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଏହି ପ୍ରାଚୀନ ମନ୍ଦିର ନଦୀ ଗର୍ଭରେ ଲୀନ ହୋଇଯାଇଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି।

୫ବର୍ଷ ତଳେ ଗ୍ରାମବାସୀମାନେ ଉଦ୍ଧାର କରିଥିବା ନବଗ୍ରହ ମୂର୍ତ୍ତି ଏବେ ଶ୍ରୀଆଖଣ୍ତଳମଣି ମନ୍ଦିରରେ ପୂଜା ପାଉଛନ୍ତି। ପୂର୍ବରୁ ପଥରର ବାଘ ମୂର୍ତ୍ତି ମଧ୍ୟ ଏଠାରୁ ଉଦ୍ଧାର ହୋଇଥିବା ଜଣାଯାଏ। ସେହିପରି ବଡ଼ବଡ଼ ଶିଳାଖଣ୍ତ ଗ୍ରାମବାସୀ ଉଦ୍ଧାର କରି କୂଳକୁ ଆଣିଥିଲେ। ଗୋଟିଏ ଗୋଟିଏ ଶିଳାଖଣ୍ଡର ଓଜନ ୧୦ରୁ ୧୨ କ୍ବିଣ୍ଟାଲ ହେବ ବୋଲି ଅନୁମାନ କରାଯାଉଛି। ଏହି ଶିଳାଗୁଡ଼ିକରେ ମନ୍ଦିରର କାରୁକାର୍ଯ୍ୟ ଖୋଦେଇ ହୋଇଛି। ଭାର୍ଗବୀ ନଦୀର ଏହି ସ୍ଥାନରେ ପ୍ରାୟ ୨୦ ଫୁଟ୍‌ ଲମ୍ବ ଓ ୧୫ଫୁଟ ଚଉଡ଼ାରେ ଶିଳାଖଣ୍ତଗୁଡ଼ିକ ବୁଡ଼ି ରହିଛି। ଭଗ୍ନ ମନ୍ଦିରର ମୂଳଦୁଆ ଦୃଶ୍ୟମାନ ହେଉନାହିଁ। ନିକଟରେ ନଦୀ ମଧ୍ୟରେ ଏକ କୂଅ ରହିଛି। ଯାହା ମାଟି ନନ୍ଦରେ ନିର୍ମାଣ ହୋଇଛି।

୫ବର୍ଷ ତଳେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏଠାକୁ ଆସି ତନଖି କରିଥିଲା, ହେଲେ ନଦୀରେ ଗଭୀର ପାଣିଥିବାରୁ ଫେରିଯାଇଥିଲା। ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିବା ତତ୍କାଳୀନ ମୋଗଲ ଶାସକ ତକୀ ଖାଁ ଏହି ମନ୍ଦିରକୁ ଭାଙ୍ଗି ଦେଇଥିଲେ ବୋଲି ଗ୍ରାମର କିଛି ପୁରୁଖା ବ୍ୟକ୍ତି ମତ ରଖିଛନ୍ତି। ତେବେ ରାଜ୍ୟ ସରକାର ତଥା ପ୍ରତ୍ନତତ୍ତ୍ବ ବିଭାଗ ଭାର୍ଗବୀ ନଦୀଗର୍ଭରୁ ଏହି ଭଗ୍ନ ମନ୍ଦିରର ଧ୍ବଂସାବଶେଷ ତଥା ପ୍ରାଚୀନ କୀର୍ତ୍ତିରାଜିଗୁଡ଼ିକୁ ଉଦ୍ଧାର କରି ସଂରକ୍ଷଣ କରିବା ସହ ତଥ୍ୟ ଅନୁସନ୍ଧାନ କଲେ ମନ୍ଦିର କିମ୍ବଦନ୍ତିର ସୂଚନା ମିଳିପାରନ୍ତା ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର