ପୁରୀ : ଦୟା ନଦୀ ଗର୍ଭରୁ ମିଳିଛି ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ। ଓରକଳ ଗ୍ରାମ ନିକଟ ନଦୀ ଗର୍ଭରୁ ୮ଶହ ବର୍ଷ ପ୍ରାଚୀନ ମନ୍ଦିରର ଅବଶେଷ ଉଦ୍ଧାର କରାଯାଇଛି। ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲ୍ଚରାଲ୍ ହେରିଟେଜ୍ (ଇନ୍ଟାକ୍) ପକ୍ଷରୁ ଅନିଲ ଧୀରଙ୍କ ନେତୃତ୍ବରେ ଦୁଇଟି ଟିମ୍ ନଦୀ ଗର୍ଭରୁ ପ୍ରାଚୀନ ମନ୍ଦିର ଥିବା ସନ୍ଧାନ କରିଛନ୍ତି। ଉଦ୍ଧାର ହୋଇଥିବା ଅବଶେଷରୁ ଏହା ଗଙ୍ଗବଂଶ ରାଜତ୍ବ ସମୟର ବୋଲି ଅନୁମାନ କରାଯାଉଛି।
ଗ୍ରାମବାସୀଙ୍କ କହିବା ମୁତାବକ, ଅତୀତରେ ଓରକଳ ଗ୍ରାମ ନିକଟରେ କଣାସ ମାଇନର୍ କେନାଲ ବନ୍ଧ ପାର୍ଶ୍ବରେ ମାଛ ଧରିବା ବେଳେ ଜାଲରେ ହର ପାର୍ବତୀ, ଶିବ ଲିଙ୍ଗ, ଶ୍ରୀଗଣେଶ, ନନ୍ଦୀ, ବୃଷଭ ଆଦି ଶିଳା ମୂର୍ତ୍ତି ଛନ୍ଦି ହୋଇଥିଲା। ସେହିସବୁ ମୂର୍ତ୍ତି ଉଦ୍ଧାର କରାଯାଇଛି। ସେଇ ତଥ୍ୟ ଆଧାରରେ ଏହି ସ୍ଥାନରେ ମନ୍ଦିର ଥିବା ନେଇ ଅନୁମାନ କରାଯାଉଥିଲା। ଇନ୍ଟାକ୍ର ଦୁଇଟି ଟିମ୍ ମନ୍ଦିରର ଅନ୍ବେଷଣ କରି ଏହାର କାଳଖଣ୍ଡ ନିର୍ଦ୍ଧାରଣ କରିଛନ୍ତି। ସେପଟେ ଜନଶ୍ରୁତି ମୁତାବକ, ଅତୀତରେ ମନ୍ଦିରଟି ନଦୀ କୂଳରେ ଥିଲା। ଦୟାନଦୀ ଗତିପଥ ପରିବର୍ତ୍ତନ କରିବାରୁ କାଳକ୍ରମେ ମନ୍ଦିରଟି ନଦୀ ଗର୍ଭରେ ବାଲୁକା ଶଯ୍ୟାରେ ପୋତି ହୋଇଯାଇଛି। ଏବେ ମଧ୍ୟ ନଦୀ ମଧ୍ୟରେ ମନ୍ଦିରର ପ୍ରାଚୀନ ଶିଳା ପଡ଼ି ରହିଥିବା ଦୃଶ୍ୟମାନ ହେଉଛି।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ନଦୀ ଗର୍ଭରେ ରହି ଯାଇଥିବା ଶିଳାଖଣ୍ଡ ଅବଶେଷ ପ୍ରାଚୀନ ପ୍ରତ୍ନତାତ୍ତ୍ବିକ ବିଭବର ପରାକାଷ୍ଠା ବହନ କରୁଛି। ଏବେ ବି ନଦୀ ଗର୍ଭରୁ ଉଦ୍ଧାର ହୋଇଥିବା ମୂର୍ତ୍ତି, ଶିବ ଲିଙ୍ଗ, ନନ୍ଦୀ ବୃଷଭ ପ୍ରାଚୀନ ଶିଳା ମୂର୍ତ୍ତି ସମୂହ ରାସ୍ତା କଡ଼ରେ ଖୋଲା ଆକାଶ ତଳେ ରହିଛି। ଲୋକେ ଫୁଲ ଓ ପାଣି ଦେଇ ପୂଜାର୍ଚ୍ଚନା କରୁଛନ୍ତି। କିନ୍ତୁ ବିଧିବଦ୍ଧ ପୂଜାର୍ଚ୍ଚନା ସମ୍ଭବ ହେଉନାହିଁ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଏହା ଉପରେ ଦୃଷ୍ଟି ପଡ଼ୁନାହିଁ।
ଇନ୍ଟାକ୍ ଭୁବନେଶ୍ବର ଶାଖାର ଆବାହକ ଅନିଲ ଧୀର କହିଛନ୍ତି, ଦୟାନଦୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଗବେଷଣାର ଗନ୍ତାଘର। ଏହା ମଧ୍ୟରେ ବହୁ ପ୍ରାଚୀନ କୀର୍ତ୍ତିରାଜି ଓ ମନ୍ଦିର ବୁଡ଼ି ରହିଛି। ଯେତେବେଳେ ମଧ୍ୟ ଦୟାନଦୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସର୍ବେକ୍ଷଣ କରାଯାଇଛି ସେତେବେଳେ କିଛି ସ୍ଥାନରୁ ପ୍ରାଚୀନ ସ୍ମାରକୀର ସନ୍ଧାନ ମିଳିଛି। ତେଣୁ ଏ ଅଞ୍ଚଳରେ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ନିତାନ୍ତ ଆବଶ୍ୟକ। ଏଠାରୁ ମିଳୁଥିବା ମଧ୍ୟଯୁଗୀୟ ଅବଶେଷର ସଂରକ୍ଷଣ ପାଇଁ ଛୋଟ ସଂଗ୍ରହାଳୟ କରିବା ସହ କଣାସ ମାଇନର୍ କେନାଲ ବନ୍ଧ ପାର୍ଶ୍ବରେ ଅନାବନା ଘାସ ଭିତରେ ଅବହେଳିତ ଭାବେ ପୂଜା ପାଉଥିବା ପ୍ରାଚୀନ ଶିଳା ମୂର୍ତ୍ତି ପାଇଁ ମନ୍ଦିର ନିର୍ମାଣର ଆବଶ୍ୟକତା ରହିଛି। ଗବେଷକ ଦୀପକ ନାୟକ କହିଛନ୍ତି, ବିଗତ କିଛି ମାସ ଧରି ଆମେ ଦୟା ନଦୀ ତଟବର୍ତ୍ତୀ ଓରକଳ ଓ ଏହାର ଆଖପାଖ ଅଞ୍ଚଳରେ ଅନୁଧ୍ୟାନ କରିଛୁ। ପ୍ରତ୍ନତାତ୍ତ୍ବିକ ଦୃଷ୍ଟିକୋଣରୁ ଏ ସ୍ଥାନ ବହୁ ଗୁଣେ ସମୃଦ୍ଧ।