କୋମନା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଜୁମଲାଗଡ଼ ଓ ମାନିକଗଡ଼ ଦୁର୍ଗର ଭଗ୍ନାବଶେଷ। ଏଯାଏ ଏହାର ଇତିହାସ, ରାଜତନ୍ତ୍ରର ଶାସନ ପ୍ରଣାଳୀର କଥା ଲୋକଲୋଚନକୁ ଆସି ପାରି ନାହିଁ। ପ୍ରାଚୀନ ଦୁର୍ଗ ହୋଇଥିଲେ ବି ଏଯାଏ ପ୍ରତ୍ନତତ୍ତ୍ଵ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ଦୃ‌ଷ୍ଟି ପଡ଼ି ନାହିଁ। ଏହି ଭଗ୍ନାବଶେଷର ଖନନ କରାଗଲେ ଅନେକ ଐତିହାସିକ ତଥ୍ୟ ମିଳିବ ବୋଲି ଖଡ଼ିଆଳ ଅଟୋନମସ୍ କଲେଜର ପ୍ରତ୍ନତତ୍ତ୍ବ ବିଭାଗ ମୁଖ୍ୟ ଡ. ରଣବୀର ସିଂହ ଜଣାଇଛନ୍ତି।

Advertisment

କିଛିଦିନ ତଳେ ଖଡ଼ିଆଳ ଅଟୋନମସ୍ କଲେଜର ପ୍ରତ୍ନତତ୍ତ୍ବ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ରଣବୀର ସିଂହଙ୍କ ନେତୃତ୍ବରେ ଏକ ଟିମ୍ ସୁନାବେଡ଼ା ଅଭୟାରଣ୍ୟର ଜୁମଲାଗଡ଼ ଓ ମାନିକଗଡ଼ ଦୁର୍ଗକୁ ଯାଇ ଅନୁଧ୍ୟାନ କରିଥିଲେ। ସୁନାବେଡ଼ା ଅଭୟାରଣ୍ୟର ଜୋଙ୍କ ଅବବାହିକାରେ ଥିବା ମାନିକଗଡ଼ ଦୁର୍ଗର ପ୍ରାଚିର ପଥରରେ ନିର୍ମିତ ହୋଇଛି। ପଥର ବାଡ଼ ମଧ୍ୟରେ ବଡ଼ ବଡ଼ ପଥରରେ ନିର୍ମିତ ଏକ ଦୁର୍ଗର ଭଗ୍ନାବଶେଷ ଅଛି। ପୁଣି ଜୁମଲାଗଡ଼ ଦୁର୍ଗଟି ପଥର ଏବଂ ପୋଡ଼ାଇଟାରେ ନିର୍ମିତ ହୋଇଥିଲା। ଜୁମଲାଗଡ଼ ଦୁର୍ଗ ମଧ୍ୟରେ ଅନେକ ଭଗ୍ନ ସ୍ତୁପ ଥିବା ଜଣାପଡୁଛି। ସ୍ତୁପଗୁଡ଼ିକୁ ଅନୁଧ୍ୟାନ କଲେ ସେ ଯୁଗର ନଗର ନିର୍ମାଣ ଶୈଳୀ ଜଣାପଡୁଛି। ଦୁଇ ଦୁର୍ଗ ଜିଲ୍ଲାର ମାରାଗୁଡ଼ା ସଭ୍ୟତାର ସମସାମୟିକ ବୋଲି ଅନୁମାନ କରାଯାଉଛି। କୋମନା ବ୍ଲକରେ ଥିବା ଏ ଦୁଇ ପ୍ରାଚୀନ ଦୁର୍ଗର ଏଯାଏ ଖନନ କିଂବା ସର୍ଭେ ହୋଇ ନାହିଁ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଖନନ କଲେ ଇତିହାସକୁ ଅନେକ ଉପାଦେୟ ତଥ୍ୟ ମିଳି ପାରିବ ବୋଲି ଶ୍ରୀ ସିଂହ କହିଛନ୍ତି। ଅଧ୍ୟାପକ ଶ୍ରୀ ସିଂହଙ୍କ ସହ ଲୋକ ସଂସ୍କୃତି ଗବେଷକ ମାୟାଧର ସରାଫ, ସାମ୍ବାଦିକ ଅଜିତ ପଣ୍ତା, ତପନ ରଞନ ଦାସ, ମୁକେଶ ସାହୁ, ସୁନୀଳ ସାହୁ, ଡମ୍ବରୁଧର ମାଝୀ ପ୍ରମୁଖ ଜୁମଲାଗଡ଼ ଓ ମାନିକଗଡ଼ ଦୁର୍ଗ ଅନୁଧ୍ୟାନରେ ସାମିଲ ହୋଇଥିଲେ।