ରୁକୁଣା ରାସ୍ତାରେ କୋଭିଡ କଣ୍ଟା; ନିର୍ମାଣ ଶେଷ, ଲାଗିପାରିଲାନି ଗେଟ୍

ଏବର୍ଷ ଚାଷୀଙ୍କୁ ମିଳିବନି ପାଣି

ଅନୁଗୁଳ : ଏଥର ରୁକୁଣା ନାଳରୁ ପାଣି ପାଇବେନି ଚାଷୀ। ନାଳରେ ନିର୍ମାଣ କରାଯାଉଥିବା ଜଳସେଚନ ପ୍ରକଳ୍ପର କାମ ଶେଷ ହୋଇଥିଲେ ମଧ୍ୟ ଗେଟ୍ ଲାଗି ପାରି ନ ଥିବାରୁ ଏଠାରେ ପାଣି ସଂରକ୍ଷିତ ରହିବା ସମ୍ଭାବନା କମ୍। ଗେଟ୍ ଲାଗିବା ପାଇଁ ପାଖାପାଖି ୬ ମାସ ହେଲା ପ୍ରକ୍ରିୟା ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲାଗିପାରିଲାନି। କୋଭିଡ୍ କଟକଣା ପାଇଁ ପ୍ରକ୍ରିୟା ବିଳମ୍ବିତ ହେଉଥିବା ଜଳସେଚନ ବିଭାଗ କହୁଥିଲାବେଳେ ଚାଷୀଙ୍କୁ ପାଣି ପାଇଁ ପୁଣି ବର୍ଷେ ଅପେକ୍ଷା କରିବା ଏକ ପ୍ରକାର ନିଶ୍ଚିତ ହୋଇଛି।

ଅନୁଗୁଳ ବ୍ଳକ ବନ୍ତଳା ଅଞ୍ଚଳର ଖିଣ୍ଡା ପଞ୍ଚାୟତରେ ଥିବା ରୁକୁଣା ନାଳ ଉପରେ ଜଳସେଚନ ପ୍ରକଳ୍ପ କରିବା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଏଠାରେ ପ୍ରକଳ୍ପ ହେଲେ ଖିଣ୍ଡା ସମେତ ବେଡ଼ାଶାସନ ଓ ବସଲା ପଞ୍ଚାୟତର ବହୁ ଗାଁକୁ ପାଣି ମାଡିବ। ଲୋକଙ୍କୁ ମରୁଡିରୁ ନିସ୍ତାର ମିଳିବ ବୋଲି ଲୋକେ ଆଶା ରଖିଥିଲେ। ଶେଷରେ ୨୦୧୯ ଫେବୃଆରୀ ୨୪ରେ ଏହାର ଶୂଭ ଦିଆଯାଇଥିଲା। ୨ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପର ନିର୍ମାଣ କରାଯାଇଥିଲାବେଳେ ଏହା ଏବେ ଶେଷ ହୋଇଛି। ପ୍ରକଳ୍ପ କାମ ସରିଥିଲେ ମଧ୍ୟ ଗେଟ ଲଗା ଯାଇ ନ ଥିବାରୁ ଏବର୍ଷ ଚାଷୀଙ୍କୁ କିଛି ଫାଇଦା ମିଳିବନି। ସୂଚନା ଅନୁସାରେ, ମାର୍ଚ୍ଚ ମାସରୁ ଜଳସେଚନ ବିଭାଗର କାମ ସରିଛି। କିନ୍ତୁ ଗେଟ୍‌ ଲଗାଇବା କାମ ଓଡ଼ିଶା ନିର୍ମାଣ ନିଗମ(ଓସିସି) ନେଇଥିଲାବେଳେ ସେମାନେ ଏ ଦିଗରେ ଆଗ୍ରହ ଦେଖାଉ ନାହାନ୍ତି। ଏଠାରେ ସମୁଦାୟ ୫ ଟି ଗେଟ୍ ଲାଗିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ଗେଟ୍‌ ଲଗାଇବା ପାଇଁ ଏ ଭିତରେ ଅନୁଗୁଳ ଜଳସେଚନ ବିଭାଗ ପକ୍ଷରୁ ଓସିସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଚିଠି ଲେଖା ହୋଇଛି। ଶୀଘ୍ର ଗେଟ ଲଗାଇବା ପାଇଁ ଅନୁରୋଧ କରାଯାଇଛି। କିନ୍ତୁ ସେମାନେ ଏହାକୁ ଗୁରୁତ୍ବ ଦେଇ ନାହାନ୍ତି।

ଏଥିନେଇ ଅନୁଗୁଳ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଏହି ରୁକୁଣା ପ୍ରକଳ୍ପର ନିର୍ମାଣ କାମ ଶେଷ ହୋଇଛି। କେବଳ ଗେଟ୍‌ ଲାଗିବା ବାକି ଅଛି। ଏଥିପାଇଁ ଓସିସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛୁ। ଖୁବ୍‌ଶୀଘ୍ର ଏଠାରେ ଗେଟ୍ ଲଗାଇବା ପାଇଁ ସେମାନେ ସୂଚନା ଦେଇଛନ୍ତି। ଗେଟ୍‌ ଲାଗିବା ପରେ ପ୍ରକଳ୍ପରେ ପାଣି ସଂରକ୍ଷିତ ରହିବା ସହ ଚାଷୀଙ୍କ କାମରେ ଆସିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର